ନଭେମ୍ବର ୨୪ରୁ ବିଧାନସଭା ଅଧିବେଶନ; ପ୍ରଥମ ଦିନରେ ଉପସ୍ଥାପିତ ହେବ ଅତିରିକ୍ତ ବ୍ୟୟ ତାଲିକା
ଭୁବନେଶ୍ୱର : ଷୋଡ଼ଶ ବିଧାନସଭାର ଏକାଦଶ ଅଧିବେଶନ ଚଳିତ ନଭେମ୍ବର ୨୪ରୁ ଆରମ୍ଭ ହୋଇ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସର୍ବଦଳୀୟ ବୈଠକ ଡକାଯାଇ ବିଧାନସଭା ଅଧିବେଶନ ନିମନ୍ତେ ମାର୍ଗଦର୍ଶିକା ଏବଂ ଏ ସଂକ୍ରାନ୍ତୀୟ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟରେ ନିଷ୍ପତି ନିଆଯିବ ବୋଲି ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ ପ୍ରକାଶ କରିଛନ୍ତି ।
ପ୍ରତି କ୍ୟାଲେଣ୍ଡର ବର୍ଷରେ ୬୦ ଦିନ ବିଧାନସଭାର ବୈଠକ ବସିବାର ନିୟମ ରହିଛି । ବର୍ତମାନ ସୁଦ୍ଧା ୨୦୨୨ ବର୍ଷରେ ୨୭ ଦିନ ବିଧାନସଭାର ବୈଠକ ବସିସାରିଛି । ଏଣୁ ଅବଶିଷ୍ଟ ୩୩ ଦିନ ପାଇଁ ଏହି ଅଧିବେଶନ ବସିିବା ନିମନ୍ତେ ସ୍ଥିର କରାଯାଇଛି ବୋଲି ବାଚସ୍ପତି ଶ୍ରୀ ଆରୁଖ କହିଛନ୍ତି ।
ବାଚସ୍ପତିଙ୍କ ନିର୍ଦ୍ଦେଶରେ ବିଧାନସଭା ସଚିବଦାଶରଥୀ ଶତପଥୀ ବିଧାନସଭା ଅଧିବେଶନର କାର୍ଯ୍ୟନିର୍ଘଂଟ ବାବଦରେ ସମସ୍ତ ସଦସ୍ୟ, ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ, ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ, ଆଡ୍ଭୋକେଟ୍ ଜେନେରାଲ୍, ଲୋକସଭା ସଚିବାଳୟର ସେକ୍ରେଟାରୀ ଜେନେରାଲ୍, ଭାରତ ନିର୍ବାଚନ ଆୟୋଗଙ୍କ ସଚିବ, କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଏବଂ ଅନ୍ୟ ସଂପୃକ୍ତ କାର୍ଯ୍ୟାଳୟଙ୍କୁ ଅବଗତ କରାଇଛନ୍ତି ।
ଏହି ଅଧିବେଶର ମୋଟ ୩୩ଟି କାର୍ଯ୍ୟଦିବସ ମଧ୍ୟରୁ ୬ଟି ବେସରକାରୀ ସଭ୍ୟଙ୍କ କାର୍ଯ୍ୟଦିବସ ଓ ୨୭ଟି ସରକାରୀ କାର୍ଯ୍ୟଦିବସ ରହିଛି । ପ୍ରଥମ ଦିବସରେ ଦୁଇଜଣ ଆସୀନ ସଦସ୍ୟ ସ୍ୱର୍ଗତ ବିଷ୍ଣୁଚରଣ ସେଠୀ ଏବଂ ସ୍ୱର୍ଗତ ବିଜୟ ରଞ୍ଜନ ସିଂବରିହାଙ୍କ ସମେତ ଅନ୍ୟାନ୍ୟ ଦିବଂଗତ ପୂର୍ବତନ ସଦସ୍ୟମାନଙ୍କ ବିୟୋଗରେ ଶୋକପ୍ରସ୍ତାବ ଆଗତ କରାଯିବା ସହ ୨୦୨୨-୨୩ ଆର୍ôଥକ ବର୍ଷ ପାଇଁ ଅତିରିକ୍ତ ବ୍ୟୟ ତାଲିକା ଉପସ୍ଥାପିତ ହେବ । ନଭେମ୍ବର ୩୦ ତାରିଖ ଓ ଡିସେମ୍ବର ୧ ତାରିଖ ଦିନ ଅତିରିକ୍ତ ଖର୍ଚ୍ଚ ଦାବି ଉପରେ ଆଲୋଚନା କରାଯିବ ଏବଂ ଡିସେମ୍ବର ୨ ତାରିଖ ଦିନ ବିନିୟୋଗ ବିଲ୍ ପାରିତ କରାଯିବ ।
