ବଦଲା ନେଲା ଆସାମ ରାଇଫଲ୍ସ : ଟଳିଲେ ୩ NSCN-KYA ଉଗ୍ରବାଦୀ, ଚୀନ ନିର୍ମିତ ଅସ୍ତ୍ରଶସ୍ତ୍ର ଜବତ
ମଣିପୁର : ମଣିପୁର ସ୍ଥିତ ଚୁରାଚାନ୍ଦପୁର ଠାରେ ଗତ ଶନିବାର ହୋଇଥିବା ଆକ୍ରମଣରେ ବଦଲା ନେଇଛି ଆସାମ ରାଇଫଲ୍ସ। ସୋମବାର ଅରୁଣାଚଳ ପ୍ରଦେଶ ଠାରେ ଆସାମ ରାଇଫଲ୍ସ ଯବାନଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନଷ୍ଠାନରେ ଟଳିପଡିଛନ୍ତି ୩ NSCN-KYA ଉଗ୍ରବାଦୀ।
ଭାରତ-ମିଆଁମାର ସୀମାସ୍ଥିତ ଅରୁଣାଚଳ ପ୍ରଦେଶ ତିରାର ଜିଲାରେ ଆସାମ ରାଇଫଲ୍ସ ପକ୍ଷରୁ କରାଯାଇଥିବା ଅପରେସନ ବର୍ତ୍ତମାନ ଜାରି ରହିଛି। ଘଟଣାସ୍ଥଳରୁ ଚୀନ ନିର୍ମିତ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ପ୍ରତିବନ୍ଧିତ ଉଗ୍ରବାଦୀ ସଙ୍ଗଠନ NSCN- K(YA) (National Socialist Council of Nagaland-Khaplang) ଗୋଷ୍ଠୀ ସହ ଜଡି଼ତ ୩ ଉଗ୍ରବାଦୀ ୨ ଜଣ ନାଗରିକଙ୍କୁ ଅପହରଣ କରି ନେଇଯାଉଥିଲେ। ଏନେଇ ଖବର ମିଳିବା ପରେ ଆସାମ ରାଇଫଲ୍ସ ଯବାନଙ୍କ ପକ୍ଷରୁ କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ ସମସ୍ତ ୩ ଉଗ୍ରବାଦୀ ଟଳିପଡି଼ଥିଲେ। ଅପହୃତ ନାରିକଙ୍କ ବାବଦରେ କୌଣସି ଖବର ମିଳିନାହିଁ। ଗତ ଶନିବାର ମଣିପୁର ସ୍ଥିତ ଚୁରାଚାନ୍ଦପୁର ଠାରେ ହୋଇଥିବା ଆକ୍ରମଣରେ ଆସାମ ରାଇଫଲ୍ସ କମାଣ୍ଡିଂ ଅଫିସର ବିପ୍ଲବ ତ୍ରିପାଠୀ, ତାଙ୍କ ପତ୍ନୀ ଏବଂ ୮ ବର୍ଷର ପୁଅ ଏବଂ ଆସାମ ରାଇଫଲ୍ସର ୪ ଯବାନ ସହିଦ ହୋଇଥିଲେ। ଦେହେଙ୍ଗ ଅଞ୍ଚଳ ଠାରୁ ପ୍ରାୟ ୩ କିମି ଦୂରରେ ହୋଇଥିବା ଏହି ଆକ୍ରମଣରେ ଅନ୍ୟ ୪ ଜଣ ଲୋକ ଆହତ ହୋଇଥିଲେ। ଏହି ଆକ୍ରମଣ ପାଇଁ ପିଏଲଏ-ଏମ (Peoples Liberation Army of manipur), ଏମଏନପିଏଫ (Manipur Naga Peoples Front) ନାମକ ୨ ଉଗ୍ରବାଦୀ ସଙ୍ଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲେ। ସୂଚନା ଯେ, ୧୯୭୮ ମସିହାରେ ପିଏଲଏ ଗଠିତ ହୋଇଥିଲା। ଭାରତ ସରକାର ଏହାକୁ ଏକ ଆତଙ୍କବାଦୀ ସଙ୍ଗଠନ ଭାବେ ଘୋଷଣା କରିଛନ୍ତି। ଅତୀତରେ ମଣିପୁର ଠାରେ ଏହି ସଙ୍ଗଠନ ଭାରତୀୟ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଆସୁଛି। ଏହି ଆତଙ୍କବାଦୀ ସଂଗଠନ ଏକ ସ୍ୱତନ୍ତ୍ର ମଣିପୁର ଦାବି କରିଆସୁଛି।
