ଏସୀୟ କୁସ୍ତି ଚାମ୍ପିଅନଶିପ : ସ୍ଵର୍ଣ୍ଣ ଜିତିଲେ ରବି ଦାହିଆ
ବଜରଙ୍ଗ ପୁନିଆଙ୍କୁ ରୌପ୍ୟ ଓ ନବୀନଙ୍କୁ କାଂସ୍ୟ ପଦକ
ନୂଆଦିଲ୍ଲୀ : ମଙ୍ଗୋଲିଆର ଉଲାନବଟାର ଏସୀୟ କୁସ୍ତି ଚାମ୍ପିଅନଶିପରେ ଶନିବାର ଚମକିଚନ୍ତି ଭାରତୀୟ ଖେଳାଳି । ଅଲିମ୍ପିକ ପଦକ ବିଜେତା ରବି ଦାହିଆ ସ୍ଵର୍ଣ୍ଣ ଜିତିଛନ୍ତି । ସେହିପରି ଅନ୍ୟ ଭାରତୀୟ ରେସଲର ବଜରଙ୍ଗ ପୁନିଆଙ୍କୁ ରୌପ୍ୟ ଓ ନବୀନ କାଂସ୍ୟ ପଦକ ହାସଲ କରିଛନ୍ତି।
ଟୋକିଓ ଅଲିମ୍ପିକର ରୌପ୍ୟ ପଦକ ବିଜେତା ରବି ଦାହିଆ କଜାକିସ୍ତାନର କଲଜାନ ରାଖତଙ୍କୁ ୧୨-୨ରେ ହରାଇ ୫୭ କିଗ୍ରା ପୁରୁଷ ବର୍ଗରେ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। କଣ୍ଟିନେଣ୍ଟାଲ ଇଭେଣ୍ଟରେ ରବିଙ୍କ ଏହା ଲଗାତାର ତୃତୀୟ ସ୍ଵର୍ଣ୍ଣ ପଦକ। ଅନ୍ୟପଟେ ଟୋକିଓ ଅଲିମ୍ପିକର କାଂସ୍ୟ ପଦକ ବିଜେତା ବଜରଙ୍ଗ ପୁନିଆ ୬୫ କିଗ୍ରା ବର୍ଗ ଫାଇନାଲ୍ରେ ଇରାନର ରହମାନ ମୌସା ଅମୋଜଦଖଲିଲିଙ୍କଠୁ ୧-୩ରେ ପରାଜିତ ହୋଇଛନ୍ତି। ତାଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି। ଏହି ସିଜିନରେ ଏହା ତାଙ୍କର ଦ୍ଵିତୀୟ ଫାଇନାଲ୍ ଥିଲା। ଫେବୃଆରୀରେ ଡନ କୋଲୋଭ ପ୍ରତିଯୋଗିତାରେ ସେ ରୌପ୍ୟ ପଦକ ଜିତିଥିଲେ। ସେହିପରି ୭୦ କିଗ୍ରା କାଂସ୍ୟ ପଦକର ପ୍ଲେଅଫରେ ନବୀନ ସ୍ଥାନୀୟ ପହିଲମାନ ତେମୁଉଲେମ ଏନଖତୁଆ ବିରୋଧରେ ୪-୦ରେ ଅଗ୍ରଣୀ ହାସଲ କରି ମ୍ୟାଚ୍ ଜିତି ନେଇଥିଲେ।
