ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହକି : ଆଜି ସେମିରେ ଜାପାନକୁ ଭେଟିବ ଭାରତ
ଢାକା : ଢାକା ଠାରେ ଚାଲିଥିବା ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପୁରୁଷ ହକିର ସେମିଫାଇନାଲ୍ରେ ପ୍ରବେଶ କରିଛି ଭାରତ। ଡିଫେଣ୍ଡିଂ ଚାମ୍ପିଅନ୍ ଭାରତ ଅଦ୍ୟାବଧି ତା’ର ତିନିଟି ମ୍ୟାଚ୍ରେ କ୍ରମାଗତ ଦୁଇଟି ବିଜୟ ହାସଲ କରିବା ସହ କୋରିଆ ବିପକ୍ଷ ମ୍ୟାଚ୍କୁ ଡ୍ର’ ରଖି ପଏଣ୍ଟ୍ ଟେବଲ୍ର ଶୀର୍ଷ ସ୍ଥାନରେ ରହିଛି। ଶୁକ୍ରବାର ଦଳ ତା’ର ତୃତୀୟ ମ୍ୟାଚ୍ରେ ପାକିସ୍ତାନକୁ ୩-୧ରେ ପରାସ୍ତ କରି ସମୁଦାୟ ୭ ପଏଣ୍ଟ୍ ସହ ରାଉଣ୍ଡ୍ ରବିନ୍ ଭିତ୍ତିରେ ଖେଳାଯାଉଥିବା ପ୍ରତିଯୋଗିତାର ସେମିରେ ଏକରକମ ନିଜର ସ୍ଥାନ ପକ୍କା କରିଥିଲା।
ଶନିବାର ଖେଳାଯାଇଥିବା ପ୍ରତିଯୋଗିତାର ଦୁଇଟି ମ୍ୟାଚ୍ରେ ପାକିସ୍ତାନ ସାଉଥ୍ କୋରିଆ ବିପକ୍ଷ ମ୍ୟାଚ୍କୁ ୩-୩ରେ ଡ୍ର’ ରଖିଥିବା ବେଳେ ଅନ୍ୟ ମୁକାବିଲାଟିରେ ଜାପାନ ଆୟୋଜକ ବାଂଲାଦେଶ ୫-୦ ଗୋଲ୍ରେ ପରାସ୍ତ କରିଛି। ଏଥିସହ ପଏଣ୍ଟ୍ ଟେବଲ୍ର ଶୀର୍ଷ ସ୍ଥାନରେ ଭାରତ କାଏମ ରହିଥିବା ବେଳେ ୬ ପଏଣ୍ଟ୍ ସହ କୋରିଆ ଦ୍ୱିତୀୟରେ, ୨ ପଏଣ୍ଟ୍ ଲେଖାଏଁ ପାଇ ଜାପାନ ଓ ପାକିସ୍ତାନ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି। ପ୍ରତିଯୋଗିତାର ଷଷ୍ଠ ଟିମ୍ ମାଲେସିଆ ଓହରିଯାଇଥିବାରୁ ଏହି ଟୁର୍ଣ୍ଣାମେଣ୍ଟ୍ଟି ୫ଟି ଟିମ୍ ମଧ୍ୟରେ ଖେଳାଯାଉଛି। ଆୟୋଜକ ବାଂଲାଦେଶ ଅଦ୍ୟାବଧି କୌଣସି ପଏଣ୍ଟ୍ ପାଇ ନ ପାରି ଶେଷ ସ୍ଥାନରେ ରହିଛି।
ରବିବାର ପ୍ରତିଯୋଗିତାର ଶେଷ ରାଉଣ୍ଡ୍ ମ୍ୟାଚ୍ରେ ଭାରତର ମୁକାବିଲା ଜାପାନ ସହ ଓ ପାକିସ୍ତାନର ମୁକାବିଲା ବାଂଲାଦେଶ ସହ ହେବ। ଏହି ଦୁଇଟି ମ୍ୟାଚ୍ ଶେଷ ହେବା ପରେ ସେମିଫାଇନାଲ୍ ଲାଇନ୍ଅପ୍ ଚୂଡ଼ାନ୍ତ ହେବ। ଫର୍ମାଟ୍ ଅନୁସାରେ ଶୀର୍ଷ ସ୍ଥାନରେ ଥିବା ଭାରତର ମୁକାବିଲା ଜାପାନ କିମ୍ବା ପାକିସ୍ତାନ ସହ ହେବ। ତେବେ ଏହି ଦୁଇ ଦଳ ମଧ୍ୟରେ ପଏଣ୍ଟ୍ ଟେବଲ୍ରେ ଚୂଡ଼ାନ୍ତ ସ୍ଥାନ ରବିବାର ଖେଳାଯିବାକୁ ଥିବା ମ୍ୟାଚ୍ ଶେଷ ହେବା ପରେ ସ୍ପଷ୍ଟ ହେବ। ପ୍ରତିଯୋଗିତାର ଦୁଇଟିଯାକ ସେମିଫାଇନାଲ୍ ୨୧ରେ, ତୃତୀୟ ସ୍ଥାନ ଓ ଫାଇନାଲ୍ ୨୨ରେ ଖେଳାଯିବ।
