ଏସିଆନ ବକ୍ସିଂ ଚାମ୍ପିୟନସିପ୍ : ଫାଇନାଲରେ ହାରିଲେ ଶିବ ଥାପ୍ପା, ରୌପ୍ୟରେ ସନ୍ତୁଷ୍ଟ
ନୂଆଦିଲ୍ଲୀ: ଏସିଆନ ବକ୍ସିଂ ଚାମ୍ପିୟନସିପ୍ରେ ବାମ ହେଲା ଭାରତର ଭାଗ୍ୟ। ଆହତ କାରଣରୁ ସ୍ୱର୍ଣ୍ଣ ପଦକ ହାତେଇ ପାରିଲେନି ଭାରତୀୟ ବକ୍ସିଂ ଷ୍ଟାର୍ ଶିବ ଥାପ୍ପା। ଏସିଆନ ବକ୍ସିଂ ଚାମ୍ପିୟନସ୍ପିପ୍ର ଫାଇନାଲ ମ୍ୟାଚ୍ରେ ଶିବ ଥାପାଙ୍କୁ ଉଜବେକିସ୍ତାନରେ ରୁସ୍ଲନ ଅବ୍ଦୁଲ୍ଲାଏଭଙ୍କ ଠାରୁ ପରାଜିତ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ମ୍ୟାଚ୍ ବେଳେ ତାଙ୍କ ଆଣ୍ଠୁରେ ଆଘାତ ଲାଗିବା କାରଣରୁ ମ୍ୟାଚ୍ ଅଧାରୁ ବନ୍ଦ କରାଯାଇଥିଲା। ଫଳରେ ଶିବଙ୍କୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।
ଏସିଆନ ବକ୍ସିଂ ଚାମ୍ପିୟନସିପ୍ରେ ପୁରୁଷ ବର୍ଗରେ ଫାଇନାଲ ମ୍ୟାଚ୍ ୬୩ କେଜି ବର୍ଗରେ ଉଜବେକିସ୍ତାନର ଓ ଭାରତ ମଧ୍ୟରେ ଖେଳାଯାଉଥିଲା। ଶନିବାର ଜର୍ଡାନର ଅମ୍ମାନ ଠାରେ ଏହି ମ୍ୟାଚ୍ ଖେଳାଯାଉଥିଲା। ଏଥିରେ ଭାରତର ଶିବ ଥାପ୍ପା ଓ ଉଜବେକିସ୍ତାନ ରୁସ୍ଲନ ଅବ୍ଦୁଲ୍ଲାଏଭ ମୁହାଁମୁହିଁ ହୋଇଥିଲେ। ଆଉ ଆହତ କାରଣରୁ ଭାରତକୁ ସ୍ୱର୍ଣ୍ଣ ପଦ ଦେଇପାରି ନାହାନ୍ତି ଶିବ ଥାପ୍ପା।
ମ୍ୟାଚ୍ର ଦ୍ୱିତୀୟ ରାଉଣ୍ଡରେ ଥାପାଙ୍କ ଡାହାଣ ଆଣ୍ଠୁ ଆଘାତ ଲାଗିଥିଲା। ଏହାପରେ ମ୍ୟାଚ୍ ରେଫରି ଡାକ୍ତରଙ୍କ ସହିତ ଆଲୋଚନା କରି ପ୍ରଥମ ରାଉଣ୍ଡ ପରେ ମ୍ୟାଚ୍ ବନ୍ଦ କରିଦେଇଥିଲେ। ହେଲେ ସେତେବେଳେକୁ ଅବଦୁଲ୍ଲାଏଭ ଲିଡ୍ ନେଇସାରିଥିଲେ। ପ୍ରଥମ ରାଉଣ୍ଡରେ ଅବ୍ଦୁଲ୍ଲାଏଭ ୫-୦ରେ ଆଗୁଆ ରହିଥିଲେ। ଏଥିପାଇଁ ଆର୍ଏସ୍ସି-୧ ନୀତିରେ ତାଙ୍କୁ ବିଜୟୀ ଘୋଷଣା କରାଯାଇଥିଲା।
ସୁଚନା ଥାଉକି ଏସିଆନ ବକ୍ସିଂ ଚାମ୍ପିୟନସିପ୍ରେ ଏହା ହେଉଛି ଥାପ୍ପାଙ୍କ ତୃତୀୟ ରୌପ୍ୟ ପଦକ। ବକ୍ସିଂରେ ଏହା ତାଙ୍କର ମୋଟ ଷଷ୍ଟ ମେଡାଲ୍। ଏହା ପୂର୍ବରୁ ଥାପ୍ପା ୨୦୧୩ରେ ସ୍ୱର୍ଣ୍ଣ ପଦକ, ୨୦୧୭ ଓ ୨୦୨୧ ରେ ରୌପ୍ୟ ଏବଂ ୨୦୧୫-୨୦୧୯ରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।
