ଏସିଆ କପ୍-୨୦୨୩ : ଆଜି ଶ୍ରୀଲଙ୍କା ଗସ୍ତ କରିବ ଭାରତୀୟ ଦଳ, ପାକିସ୍ତାନ ସହ ଖେଳିବ ପ୍ରଥମ ମ୍ୟାଚ୍
ବେଙ୍ଗାଲୁରୁ : ଆଉ ଦିନକ ପରେ ଆରମ୍ଭ ହେବ ଏସିଆ କପ୍-୨୦୨୩ । ପାକିସ୍ତାନ ଓ ଶ୍ରୀଲଙ୍କାରେ ହାଇବ୍ରିଡ୍ ନିୟମ ଅନୁସାରେ ଖେଳାଯିବ ଏହି ଟୁର୍ଣ୍ଣାମେଣ୍ଟ । ଏହିକ୍ରମରେ ଭାଗ ନେବାକୁ ଥିବା ସମସ୍ତ ଟିମ୍ ଏବେ ଉଭୟ ଦେଶକୁ ଗସ୍ତ କରିବାରେ ଲାଗିଛନ୍ତି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଶ୍ରୀଲଙ୍କା ଗସ୍ତ କରିବ ଭାରତୀୟ ଦଳ ।
ଏସିଆ କପ୍ ପାଇଁ ଭାରତୀୟ ଦଳ ଆଲୁର କ୍ରିକେଟ୍ ଗ୍ରାଉଣ୍ଡରେ ଜୋରଦାର ଅଭ୍ୟାସ କରିଥିଲା । ଗତ ରବିବାର ବିଶ୍ରାମ ଦିବସ ପରେ ଦଳୀୟ ଖେଳାଳି ପୁଣି ଥରେ ଅଭ୍ୟାସ କରିଥିଲେ । ଷ୍ଟାର୍ ବ୍ୟାଟର ବିରାଟ କୋହଲି ଓ ଅଧିନାୟକ ରୋହିତ ଶର୍ମାଙ୍କ ସମେତ ଅନ୍ୟ ବ୍ୟାଟରମାନେ ନେଟ୍ସରେ ଉଭୟ ପେସ୍ ଓ ସ୍ପିନରଙ୍କୁ ସାମ୍ନା କରିଥିଲେ । ଭାରତୀୟ ଦଳ ଆସନ୍ତା ୨ ତାରିଖ ଏସିଆ କପ୍ ଅଭିଯାନ ଆରମ୍ଭ କରିବ । ପ୍ରଥମ ମ୍ୟାଚ୍ରେ ଦଳ ଚିରାଚରିତ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ ।
ସୂଚନା ଯେ, ଏସିଆ କପ୍ ୨୦୨୩ରେ ଭାରତର ପ୍ରଥମ ମ୍ୟାଚ୍ ସେପ୍ଟେମ୍ବର ୨ରେ ଖେଳିବ । ପାକିସ୍ତାନ ସହିତ ପ୍ରଥମ ମୁକାବିଲା ଶ୍ରୀଲଙ୍କାରେ ଖେଳିବ ଭାରତ । ଏହାପରେ ସେପ୍ଟେମ୍ବର ୪ରେ ୨ୟ ମୁକାବିଲା ନେପାଳ ସହିତ ରହିଛନ୍ତି । ଭାରତ, ପାକିସ୍ତାନ, ନେପାଳ ଏସିଆ କପ୍ର ଗ୍ରୁପ-ଏରେ ରହିଛନ୍ତି । ଚଳିତ ବର୍ଷ ଏହି ଟୁର୍ଣ୍ଣାମେଣ୍ଟ ହାଇବ୍ରିଡ୍ ମଡେଲ୍ ଆଧାରରେ ଖେଳାଯିବ । ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆର ଦବ୍ଦବା ରହିଛି । ଏବେ ଯାଏଁ ମୋଟ ୧୫ଟି ସିଜିନ୍ ଖେଳାଯାଇଛି । ଯେଉଁଥିରେ ଭାରତୀୟ ଟିମ୍ ସବୁଠୁ ଅଧିକ ଥର ଚମ୍ପିଆନ୍ ହୋଇଛି । ଭାରତ ୭ଥର ଟ୍ରଫି ଜିତିଥିବା ବେଳେ ଶ୍ରୀଲଙ୍କା ୬ ଥର, ପାକିସ୍ତାନ ୨ ଥର ଚମ୍ପିଆନ୍ ହୋଇଛି ।
ଏସିଆ କପ୍-୨୦୨୩ ପାଇଁ ଭାରତୀୟ ଦଳ :
ରୋହିତ ଶର୍ମା (ଅଧିନାୟକ), ଶୁଭମନ୍ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍ ରାହୁଲ, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ଇଷାନ୍ କିଷାନ୍, ହାର୍ଦ୍ଦିକ ପାଣ୍ଡ୍ୟା ( ଉପ-ଅଧିନାୟକ), ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ୍, ଶର୍ଦ୍ଦୁଲ ଠାକୁର, ଯଶପ୍ରୀତ ବୁମ୍ରାହ, ମହମ୍ମଦ ସାମି, ମହମ୍ମଦ ସିରାଜ, କୁଲ୍ଦୀପ ଯାଦବ, ପ୍ରସିଦ୍ଧ କ୍ରିଷ୍ଣ ।
ଷ୍ଟାଇବାଇ ଖେଳାଳି-: ସଞ୍ଜୁ ସାମସନ୍
