ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଅଶୋକ ଗେହୋଲତ, କଳ୍ପନାଜଳ୍ପନା ଜାରି!
ନୂଆଦିଲ୍ଲୀ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହୋଲତଙ୍କ ନେତୃତ୍ୱାଧିନ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି ସମସ୍ତ ମନ୍ତ୍ରୀ। ସଦ୍ୟ ମିଳିଥିବା ଖବର ଅନୁସାରେ ରାଜ୍ୟ କ୍ୟାବିନେଟରେ ସାମିଲ ଥିବା ମନ୍ତ୍ରୀଙ୍କ ସମୂହ ଇସ୍ତଫା ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ ରାଜଭବନ ଠାରେ ପହଞ୍ଚିଛନ୍ତି।
ରାଜଭବନ ଠାରେ ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ ଏହାକୁ ନେଇ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଯାଇଛି ଅନେକ ଧରଣର ଚର୍ଚ୍ଚା। ମନ୍ତ୍ରୀଙ୍କ ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହୋଲତ ଇସ୍ତଫା ଦେଇ ପାରନ୍ତି ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଉଛି। ରାଜ୍ୟପାଳଙ୍କୁ ସାକ୍ଷାତ କରିବା ଅବସରରେ ପଦରୁ ଇସ୍ତଫା ଦେଇଥିବା ମନ୍ତ୍ରୀଙ୍କ ତାଲିକା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହିତ ରବିବାର ଅନୁଷ୍ଠିତ ହେବାକୁ ଯାଉଥିବା ନୂତନ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ ସମାରୋହକୁ ନେଇ ଆଲୋଚନା ହୋଇଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ରାଜଭବନ ପକ୍ଷରୁ ରବିବାର ଅପରାହ୍ନ ୪ଟା ସମୟ ଦିଆଯାଇଛି। ଇସ୍ତଫା ପରେ ନୂଆ ମନ୍ତ୍ରୀମଣ୍ଡଳ ଗଠନ କରିବା ପ୍ରସଙ୍ଗରେ ରବିବାର ଦିନ ୨ଟା ସମୟରେ ରାଜ୍ୟ ପ୍ରଦେଶ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେବାକୁ ଯାଉଛି କଂଗ୍ରେସ ବିଧାୟକ ଦଳ ବୈଠକ। ଏହା ପରେ ଦଳର ଆଗାମୀ କାର୍ଯ୍ୟପନ୍ଥା ମୁଖ୍ୟମନ୍ତ୍ରୀ ଅଶୋକ ଗେହୋଲତ ଏବଂ ରାଜସ୍ଥାନ କଂଗ୍ରେସ ପ୍ରଭାରୀ ଅଜୟ ମାକେନଙ୍କ ଦ୍ୱାରା ସ୍ଥିର କରାଯିବ।
ମନ୍ତ୍ରୀମଣ୍ଡଳ ପୁନର୍ଗଠନ ମିଶନ ୨୦୨୩ ଆଧାରରେ କରାଯିବ। ରାଜସ୍ଥାନରେ କ୍ଷମତାସୀନ ଅଶୋକ ଗେହଲୋତଙ୍କ ନେତୃତ୍ୱାଧିନ ସରକାର ଆସନ୍ତା ମାସରେ ଏହାର ୩ ବର୍ଷର କାର୍ଯ୍ୟକାଳ ପୂରଣ କରିବାକୁ ଯାଉଛି। ଏହାର ଠିକ ୨ ବର୍ଷ ପରେ ଅର୍ଥାତ ୨୦୨୩ ନଭେମ୍ବରରେ ଅନୁଷ୍ଠିତ ହେବ ରାଜସ୍ଥାନ ବିଧାନସଭା ନିର୍ବାଚନ। ନିର୍ବାଚନରେ ଦଳକୁ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ଏବଂ ରାଜ୍ୟ ରାଜନୀତିରେ ପ୍ରଭାବ ରଖୁଥିବା ବିଧାୟକଙ୍କୁ ଏଥରର କ୍ୟାବିନେଟରେ ସ୍ଥାନ ମିଳିପାରେ। ମୁଖ୍ୟମନ୍ତ୍ରୀ ଗେହୋଲତଙ୍କ କ୍ୟାବିନେଟରେ ସାମିଲ ଥିବା ରଘୁ ଶର୍ମା, ହରିଶ ଚୌଧୁରୀ, ଗୋବିନ୍ଦ ସିଂହ ଡଟସାରା ପ୍ରମୁଖଙ୍କୁ ମନ୍ତ୍ରୀଣ୍ଡଳରୁ ବାଦ ଦେଇ ସେମାନଙ୍କ ସ୍ଥାନରେ ୨ ଜଣ ଜାଟ ଏବଂ ଜଣେ ବ୍ରାହ୍ମଣ ଚେହେରାଙ୍କୁ ସ୍ଥାନ ଦିଆଯିବ। ବ୍ରାହ୍ମଣ ବର୍ଗରୁ ମହେଶ ଯୋଶୀ କିମ୍ବା ରାଜକୁମାର ଶର୍ମାଙ୍କୁ ମନ୍ତ୍ରୀ କରାଯାଇପାରେ। ଜାଟ ନେତା ଭାବେ ରାମଲାଲ ଜାଟ କିମ୍ବା ମହାଦେବ ସିଂହ ଖଣ୍ଡେଲାଙ୍କୁ କ୍ୟାବିନେଟରେ ସ୍ଥାନ ମିଳିପାରେ। ଆଦିବାସୀ କ୍ଷେତ୍ରର ବିଧାୟକ ମହେନ୍ଦ୍ର ଜିତ ସିଂହ ମାଲବୀୟଙ୍କୁ ମଧ୍ୟ ମନ୍ତ୍ରୀ ପଦ ମିଳିପାରେ।
ସେହିପରି ଅଶୋକ ଚାନ୍ଦନା ଏବଂ ଟିକରାମ ଜୁଲିଙ୍କୁ ପଦୋନ୍ନତି ମିଳିପାରେ। ଅନ୍ୟ ପଟେ କାର୍ଯ୍ୟଦକ୍ଷତା ଅନୁଯାୟୀ ୪ ଜଣ ମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ ଦିଆଯାଇପାରେ। ବିଏସପି ଛାଡି଼ କଂଗ୍ରେସ ହାତ ଧରିଥିବା ରାଜେନ୍ଦ୍ର ଗୁଢା, ସ୍ୱାଧିନ ବିଧାୟକଙ୍କ ମଧ୍ୟରେ ବାବୁଲାଲ ନାଗର ଏବଂ ସଂୟମ ଲୋଢା ମଧ୍ୟ ମନ୍ତ୍ରୀ ହୋଇପାରନ୍ତି। କ୍ୟାବିନେଟରେ ପ୍ରିୟଙ୍କା ଗାନ୍ଧୀଙ୍କ ସୂତ୍ର ଦେଖିବାକୁ ମିଳେ। ୩ ଜଣ ମହିଳା ବିଧାୟକଙ୍କୁ ମନ୍ତ୍ରୀ କରାଯାଇପାରେ। ସେମାନେ ହେଉଛନ୍ତି ଦଳିତ ବିଧାୟକ ମଞ୍ଜୁ ମେଘୱାଲ, ଗୁଜର ବର୍ଗରୁ ଶକୁନ୍ତଳା ରାୱତ, ମୁସଲିମ ବର୍ଗରୁ ଜାହିଦା ପ୍ରମୁଖ ଏହି ଦୌଡରେ ଅଛନ୍ତି। ଗୋବିନ୍ଦ ରାମ ମେଘୱାଲ ଏବଂ ଖିଲାଡି଼ ଲାଲ ବୈରୱାଙ୍କ ନାମ ମଧ୍ୟ ମନ୍ତ୍ରୀ ତାଲିକାରେ ଅନ୍ତର୍ଭୂକ୍ତ ହୋଇଛି। ସଚିନ ପାଇଲଟଙ୍କ ଗୋଷ୍ଠୀ ୩ କିମ୍ବା ୪ ଜଣ ମନ୍ତ୍ରୀ ହୋଇପାରନ୍ତି। ରମେଶ ମୀନା କିମ୍ବା ମୁରାରୀ ମୀନାଙ୍କୁ ସୁଯୋଗ ମିଳିପାରେ। ହେମରାମ ଚୌଧୁରୀ କିମ୍ବା ବ୍ରିଜେନ୍ଦ୍ର ଓଲାଙ୍କୁ ମଧ୍ୟ ମନ୍ତ୍ରୀ କରାଯାଇପାରେ। ମନ୍ତ୍ରୀ ତାଲିକାରେ ପ୍ରଦୀପ ସିଂ ଶେଖୱାତଙ୍କ ନାମ ମଧ୍ୟ ଅନ୍ତର୍ଭୂକ୍ତ ହୋଇଛି। ବିଶ୍ୱେନ୍ଦ୍ର ସିଂହଙ୍କ ନାମ ସଚିନ ପାଇଲଟଙ୍କ ତାଲିକାରେ ନାହିଁ। ବିଶ୍ୱେନ୍ଦ୍ର ସିଂଙ୍କ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ନିଷ୍ପତ୍ତି ନେବେ।
