ଆଜି ଘରକୁ ଆସିବେ ଆର୍ଯ୍ୟନ, ଆର୍ଥର ଜେଲରେ ପହଞ୍ଚିଲେ ଶାହାରୁଖ୍
ନୂଆଦିଲ୍ଲୀ : ଆଜି ଜେଲରୁ ମୁକୁଳିବେ ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ । ଏହା ପୂର୍ବରୁ ଆଜି ସକାଳ ୫ଟା ୩୦ରେ ଆର୍ଥର ରୋଡ ଜେଲର ବେଲ ବକ୍ସ ଖୋଲି ଦିଆଯାଇଛି। ପୂର୍ବରୁ ଆରୟନ ଖାନଙ୍କୁ ଶୁକ୍ରବାର ବାହାର କରାଯିବା ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ବେଲ ଆଦେଶ ଅଧିକାରୀଙ୍କ ନିକଟକୁ ପହଂଚି ନଥିଲା। ଏଥି ପାଇଁ ଆର୍ଯ୍ୟନଙ୍କୁ ଶୁକ୍ରବାର ରାତି ମଧ୍ୟ ଜେଲରେ ବିତାଇବାକୁ ପଡ଼ିଛି। ଆଜି ଆର୍ଯ୍ୟନଙ୍କ ଆଶା ପୂରା ହୋଇପାରେ, ଏହା ଅନୁମାନ କରାଯାଉଛି।
ଶୁକ୍ରବାର ଜାମିନ ଆଦେଶ ଜାରି କରିଥିଲେ ବମ୍ବେ ହାଇକୋର୍ଟ । ତେବେ ଏହି ଆଦେଶର କପି ଜେଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚିବାରେ ବିଳମ୍ବ ହୋଇଥିବାରୁ ଶୁକ୍ରବାର ରାତିରେ ମଧ୍ୟ ଆର୍ଯ୍ୟନଙ୍କୁ ଆର୍ଥର ରୋଡ୍ ଜେଲରେ ବିତାଇବାକୁ ପଡ଼ିଛି। ସେ ଦୀର୍ଘ ୨୭ ଦିନ ହେଲା ଜେଲରେ ଅଛନ୍ତି । ତେବେ ବର୍ତ୍ତମାନ ଆଶା କରାଯାଉଛି ଯେ ଆର୍ଯ୍ୟନ୍ ଖାନ୍ ବର୍ତ୍ତମାନଠାରୁ କିଛି ସମୟ ମଧ୍ୟରେ ଜେଲରୁ ବାହାରିବେ। କୋର୍ଟଙ୍କ ଆଦେଶ ପାଇବା ପାଇଁ ଆର୍ଥର ଜେଲର ବେଲ ବକ୍ସ ଆଜି ସକାଳ ୫.୩୦ ରେ ଖୋଲା ଯାଇଥିଲା। ବର୍ତ୍ତମାନ ଆଶା କରାଯାଉଛି ଯେ ଜେଲର କିଛି ଔପଚାରିତା ପୂରଣ କରିବା ପରେ ଆର୍ଯ୍ୟନ୍ ଖାନଙ୍କୁ ପ୍ରାୟ ୧୦ ଟା ସୁଦ୍ଧା ମୁକ୍ତ କରାଯାଇପାରିବ। ତେବେ ପୁଅ ଆର୍ଯ୍ୟନ ଖାନଙ୍କ ମୁକ୍ତି ପୂର୍ବରୁ ତାଙ୍କ ଆଣିବାକୁ ଶାହରୁଖ ଖାନ ବାନ୍ଦ୍ରାସ୍ଥିତ ତାଙ୍କ ମନ୍ନତ ବଙ୍ଗଳାରୁ ବାହାରି ମୁମ୍ବାଇର ଆର୍ଥର ରୋଡ ଜେଲକୁ ବାହାରିଛନ୍ତି । ତେବେ ରିପୋର୍ଟ ଅନୁଯାୟୀ, ଶାହାରୁଖ ଖାନଙ୍କ ତିନିଟି ଏସୟୁଭି ମନ୍ନତରୁ ବାହାରି ଜେଲକୁ ଯାଇଛନ୍ତି। ଆର୍ଯ୍ୟନ ଘରୁ ଫେରିବା ନେଇ ମନ୍ନତକୁ ସମ୍ପୂର୍ଣ୍ଣ ଭାବେ ସଜା ଯାଇଛି । ଅନ୍ୟପଟେ ଶୁକ୍ରବାର ଅଭିନେତ୍ରୀ ଜୁହି ଚାୱଲା ଏନଡିପିଏସ କୋର୍ଟରେ ପହଞ୍ଚି ଆର୍ଯ୍ୟନ ଖାନଙ୍କ ଜାମିନ ବାବଦରେ ୧ ଲକ୍ଷ ଟଙ୍କାର ବେଲ୍ ବଣ୍ଡ୍ ଜମା କରିଥିଲେ । ସମସ୍ତ ଔପଚାରିକତା ପୂରଣ କରିଥିଲେ। ମୁମ୍ବାଇ ହାଇକୋର୍ଟ ଆର୍ଯ୍ୟନଙ୍କ ସମେତ ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ଅର୍ବାଜ ମର୍ଚାଣ୍ଟ୍ ଏବଂ ମଡେଲ ମୁନମୁନ ଧାମେଚାଙ୍କର ମଧ୍ୟ ଜାମିନ ଆଦେଶ ଜାରି କରିଛନ୍ତି। ସମସ୍ତ ୩ ଜଣଙ୍କୁ ଗୁରୁବାର ଜାମିନ ମିଳିଥିଲା । ବମ୍ବେ ହାଇକୋର୍ଟ ୫ପୃଷ୍ଠାର ବେଲ୍ ଅର୍ଡରେ କଡା ସର୍ତ୍ତ ରଖିଛନ୍ତି । ଆର୍ଯ୍ୟନ୍ ଅନ୍ୟ କୌଣସି ଅଭିଯୁକ୍ତଙ୍କ ସହ ଯୋଗାଯୋଗ କରିପାରିବେ ନାହିଁ। ସାକ୍ଷୀଙ୍କୁ ପ୍ରଭାବିତ କରିବା କିମ୍ବା ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିବାକୁ କୌଣସି ପ୍ରୟାସ କରିବେ ନାହିଁ।ସ୍ବତନ୍ତ୍ର କୋର୍ଟରେ ପାସପୋର୍ଟ ଦାଖଲ କରିବାକୁ ପଡ଼ିବ । ଏନଡିପଏସ୍ ସ୍ବତନ୍ତ୍ର ବିଚାରପତିଙ୍କ ବିନା ଅନୁମତିରେ ଦେଶ ଛାଡ଼ି ପାରିବେନି । ଯଦି ଗ୍ରେଟର ମୁମ୍ବାଇ ବାହାରକୁ ଯିବେ ତେବେ ତଦନ୍ତକାରୀ ଅଧିକାରୀଙ୍କୁ ଅବଗତ କରିବାକୁ ପଡ଼ିବ। ଯେତେବେଳେ ଏବଂ ଯେକୌଣସି ସମୟରେ ଡକାଯିବ ତଦନ୍ତ ପାଇଁ ଏନସିବି ଅଧିକାରୀଙ୍କ ପାଖରେ ହାଜର ହେବେ। ସର୍ତ୍ତ ଉଲ୍ଲଂଘନ କଲେ ଜାମିନ ବାତିଲ କରା ଯିବ ବୋଲି କୋର୍ଟ କହିଛନ୍ତି ।
