ପୋଖରୀ ତୁଠରୁ ବାଥରୁମ୍
ଗାଁ ପରିମଳ ଧୋବା ତୁଠର । ସତରେ ଗାଁ ନାହିଁ, ତ ନାଁ ନାହିଁ । ଗ୍ରାମର ପ୍ରତିଟି ପରିବେଶ ଅତି ଆପଣାର ଆପଣାର ଲାଗେ । ଗାଁର ଭାବଧାରା ଅତି ନିଚ୍ଛକ ଓ ଆବେଗ ପୂର୍ଣ୍ଣ । ଏହି ପ୍ରକାର ଗ୍ରାମ ପରିବେଶ ମଧ୍ୟରୁ ଗ୍ରାମ ପୋଖରୀ ଓ ଏହାର ତୁଠ ଅତି ଆପଣାର । ଏହି ଗ୍ରାମ ପୋଖରୀ ସମସ୍ତ ଭାବନାର ଧାରାକୁ ବିମୋଣ୍ଡିତ କରୁଥାଏ । ଗାଁ ମଝିରେ ଥିବା ପୋଖରୀ ଓ ପୋଖରୀ ତୁଠ ସମସ୍ତ ଭାବନାର ଧାରାକୁ ଏକତ୍ୱ କରିବା ସଙ୍ଗେ ସଙ୍ଗେ ଆବାଳ ବୃଦ୍ଧ ବନିତାଙ୍କର ସମାବେଶକୁ ଆହୁରି ରୁଦ୍ଧିମନ୍ତ କରିଥାଏ । ଗାଁ ମଝିରେ ଥିବା ଏହି ପୋଖରୀର ତୁଠ ସମସ୍ତଙ୍କର ଅତି ଆପଣା ଥିଲାବେଳେ ଏହା ଗ୍ରାମର ପରିଚୟ ପ୍ରଦାନ କରୁଥାଏ । ସେହି ପୋଖରୀ ହୁଡ଼ାରେ ଥିବା ଆମ୍ବ, ତାଳ, କଇଥ, ବରକୋଳି, ବେତକୋଳି, ଖଜୁରକୋଳି ଓ କାନକୋଳି ଠାରୁ ଆରମ୍ଭ କରି ଅନେକ ଫଳ ଆମର ଗ୍ରାମର ପିଲାମାନଙ୍କର ନୀତିଦିନିଆ ଖାଦ୍ୟ ଥିଲା । ଗ୍ରୀଷ୍ମର ଧୁ ଧୁ ଖରା ଅବକାଶ ମଧ୍ୟରେ ପିତାମାତାଙ୍କର ତାଗିଦ୍ ସତ୍ତ୍ୱେ ଘରୁ ଲୁଚି କରି ପୋଖରୀ ହୁଡ଼ାରେ ଥିବା କୋଳିଗଛ ଚଢ଼ି କୋଳି ଖାଇବା ଅତି ନିଆରା ଥିଲା । ଏହି ପୋଖରୀର ଚତୁଃପାଶ୍ୱର୍ରେ ଜନବସତି ଥିବାବେଳେ ପୂର୍ବପାଶ୍ୱର୍ରେ ମହାଦେବଙ୍କ ମନ୍ଦିର ଶୋଭା ପାଉଥିଲା । ଗ୍ରାମର ସେତେବେଳେ ବିଦ୍ୟୁତ୍ ଆଲୋକର ଅଭାବ ଥିବାରୁ ଚତୁଃପାଶ୍ୱର୍ରେ ଥିବା ଘରଗୁଡ଼ିକର ପିଣ୍ଡାରେ ଡିବିରି ଜଳୁଥିବା ବେଳେ ଏହି ଡିବିରିର କ୍ଷୀଣ ଆଲୋକ ଚହଲା ପାଣିରେ ପ୍ରତିବିମ୍ବ ସୃଷ୍ଟି କରି ଯେମିତି ରାତିର ଆକାଶରେ ତାରାମାନଙ୍କର ମିଞ୍ଜି ମିଞ୍ଜି ଆଲୋକର ଭ୍ରମ ସୃଷ୍ଟି କରୁଥିଲା । ଏହି ପୋଖରୀରେ ଥିବା ପଦ୍ମ ଓ କଇଁଫୁଲ ତୋଳିବା ଅତି ନିଆରା ଥିଲା । ପୋଖରୀରେ ଥିବା ଦଳୀୟ କଣ୍ଟାଫଳ ଆମ୍ଭମାନଙ୍କର ନିତିଦିନିଆ ଖାଦ୍ୟ ଥିଲା । ପୋଖରୀ ପାଣିଟି ଏତେ ନିର୍ମଳ ଯେ ସେଥିରେ ମୁହଁ ଦେଖାଯାଉଥିଲା । ପୋଖରୀ ହୁଡ଼ାରେ ଥିବା ସାରମାଉସୀର ଛୋଟ ବଡ଼ା ଦୋକାନଟି ସେତେବେଳେ ଆମ ପାଇଁ ଦିଲ୍ଲୀ ବା ଦୌଲତାବାଦ୍ ସହର ଠାରୁ ବଡ଼ ଥିଲା । ଏହି ପୋଖରୀର ଚାରି ପାଖରେ ଥିବା ଚାରୋଟି ଘାଟ ଆହୁରି ଶୋଭାବର୍ଦ୍ଧନ କରୁଥିଲା । ସେହି ଘାଟ ମଧ୍ୟରୁ ପୂର୍ବଘାଟଟି ବହୁତ ଭିଡ଼ ବସୁଥିଲା । କାରଣ ସେହି ଘାଟଟିରେ ସମସ୍ତଙ୍କର ଅବାଧ ପ୍ରବେଶ ଥିବାବେଳେ ବୟସ୍କ ଲୋକମାନଙ୍କର ଗାଧୋଇ ସାରି ମନ୍ଦିର ଦର୍ଶନ ଓ ପୂଜା ପାଠ ଏହି ପରିବେଶକୁ ଆହୁରି ଧାର୍ମିକ ସୃଷ୍ଟି କରୁଥିଲା ।
ଏହାର ଅନ୍ୟ ଏକ ଘାଟ କଇଁଘାଟ ରୂପେ ପରିଚିତ ଥିଲା । ଏହି କଇଁଘାଟରେ କେବଳ କୁଆଁରୀ ବା ଅବିବାହିତ ଝିଅମାନେ ଗୋଧୋଉ ଥିବାରୁ ଏହି ଘାଟଟି କଇଁଘାଟ ନାମରେ ନାମିତ ହୋଇଥିଲା । ଗ୍ରାମର ଅବିବାହିତ ଝିଅମାନେ ଏହି ଘାଟରେ ଗାଧୋଇବା ବେଳେ ହଳଦୀ ମାଖି ଗାଧୋଉଥିବାରୁ ଏହି ଘାଟକୁ ମଧ୍ୟ ହଳଦୀଘାଟ କୁହାଯାଉଥିଲା । ଗ୍ରାମର ଅପ୍ରାପ୍ତ ଯୁବକଙ୍କର ଏହି କଇଁଘାଟ ଉପରେ ନଜର ଥିବାରୁ ଏହାକୁ କେହି କେହି ପ୍ରେମରଘାଟ ବୋଲି ମଧ୍ୟ କହୁଥିଲେ । ଏହି ଘାଟରେ ପଡ଼ିଥିବା ପଥରଟି କେଉଁ ଅନାଦିକାଳରୁ ବାପା, ଜେଜେବାପାଙ୍କର ସନ୍ତକ ବହନ କରୁଥିଲା । ଏହି ପଥର ଉପରେ ସଧବା ଓ ଅବିହାଡ଼ି ନାରୀ ତା’ର ପାଉଁଜିକୁ ମାଜିବାର ଦୃଶ୍ୟ ଅତି ମନୋରମ ଥିଲା । ସକାଳର ସୂର୍ଯ୍ୟକିରଣ ଏହି ପାଉଁଜି ଉପରେ ପଡ଼ି ଚକ୍ଚକ୍ କଲାବେଳେ ନାରୀର ମନଟି ସୂର୍ଯ୍ୟାଲୋକ ଭଳି ତାହାର ଆତ୍ମାକୁ ଉତ୍ଫୁଲିତ କରୁଥିଲା । ପୂର୍ବେ ଗାଁର ଭୂଆଶୁଣି ଗାଧୋଇ ସାରି ଉଦାଲୁଗାରେ ଘରକୁ ଫେରୁଥିବା ବେଳେ ତାହାର କୁନି କୁନି ଅଳତାଲଗା ପାଦ ଗାଁ ଦାଣ୍ଡରେ ଲକ୍ଷ୍ମୀ ପ୍ରତିମାଙ୍କ ପାଦର ଭ୍ରମ ସୃଷ୍ଟି କରୁଥିଲା । ଏହି ପୋଖରୀ ତୁଠରୁ ଗାଧୋଇସାରି ନବବଧୂଟି ପିତଳଗରାକୁ କାଖରେ ବସାଇ ପାଣିନେବା ମଧ୍ୟ ଅତି ଆକର୍ଷଣୀୟ ଥିଲା ।
ଏହାର ଅନ୍ୟ ଏକ ତୁଠର ନାମ ଧୋବା ତୁଠ ଥିଲା । ଏହି ତୁଠରେ ରାମ ଧୋବା ତାହାର ନିତିଦିନିଆ ଲୁଗା ସଫା କରିବା ଓ ରଙ୍ଗବେରଙ୍ଗର ଲୁଗାଗୁଡିକୁ ହୁଡ଼ାରେ ଶୁଖାଇବା ସତେ ଯେମିତି ନୀଳଆକାଶରେ ଥିବା ଇନ୍ଦ୍ରଧନୁର ଭ୍ରମ ସୃଷ୍ଟି କରୁଥିଲା ।
ଏହାର ଅନ୍ୟ ଏକ ତୁଠଟି ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଥିବାବେଳେ ସେଠାରେ କେବଳ ଧର୍ମୀୟକାର୍ଯ୍ୟ ସମାପନା ହେଉଥିଲା । ଏହି ତୁଠରେ ଚନ୍ଦନ ଯାତ୍ରା, ରାହାସ ପୂର୍ଣ୍ଣିମାରେ ହବିଶିଆଳିଙ୍କ ସମାବେଶ ଭଳି ବିଭିନ୍ନ ପର୍ବପର୍ବାଣି ପାଳନ ହେଉଥିଲା । ବିଶେଷ କରି ଏଠାରେ କାର୍ତ୍ତିକ ମାସରେ ହବିଶିଆଳିଙ୍କର ଘଣ୍ଟାନାଦ ଓ ଶଙ୍ଖଧ୍ୱନିରେ ପରିବେଶ ଫାଟି ପଡୁଥିଲା । ଗ୍ରୀଷ୍ମଦିନେ ଏହି ତୁଠରେ ଗ୍ରାମର ଯୁବକମାନଙ୍କର ସମାବେଶ ଓ ସ୍ନାନ ଅତି ନିଆରା ଥିଲା । ଏହି ପୋଖରୀ ଘାଟ ସମସ୍ତଙ୍କର ଆପଣାର ଥିବାରୁ ଏହା ସମସ୍ତଙ୍କ ମଧ୍ୟରେ ଭାତୃତ୍ୱର ପରିଚୟ ପ୍ରଦାନ କରୁଥିଲା ବେଳେ ସମସ୍ତଙ୍କ ମଧ୍ୟରେ ସ୍ନେହ, ଶ୍ରଦ୍ଧା, ଭକ୍ତି ଓ ସମ୍ମାନ ବାଣ୍ଟୁଥିଲା । ଏହି ପୋଖରୀ ତୁଠରେ ଏତେ ଲୋକ ସମାବେଶ ହେଉଥିଲା ଯେ, ଏହା ଏକ ଦୂରଦର୍ଶନ କେନ୍ଦ୍ର ଭଳି ପ୍ରତ୍ୟୟମାନ ହେଉଥିଲା । କାରଣ ସମସ୍ତ ଦେଶବିଦେଶର ଖବର ଏହି ତୁଠରୁ ହିଁ ମିଳିଯାଉଥିଲା । ପିଲାଟି ବେଳେ ପୋଖରୀ ତୁଠରେ ପହଁରିବାର ନିଶା ଅତି ନିଆରା ଥିଲା । ଏହା ପିଲାମାନଙ୍କ ମଧ୍ୟରେ ଏକ ପ୍ରତିଦ୍ୱନ୍ଦୀ ଭାବ ସୃଷ୍ଟି କରୁଥିଲା । ଏହି ଘାଟ ଶାରୀରିକ ଓ ମାନସିକ କ୍ଷେତ୍ରରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଅତି ଆପଣାର କରିପାରୁଥିଲା । ସେହିପରି ତୁଠଟି ସମସ୍ତଙ୍କ ମଧ୍ୟରେ ଏକତ୍ୱ ଭାବ ପ୍ରଦାନ କରିବା ସଙ୍ଗେ ସଙ୍ଗେ ସାମାଜିକ ଶୃଙ୍ଖଳା, କର୍ତ୍ତବ୍ୟବୋଧ, ଦାୟିତ୍ୱ, ଗୁରୁ, ଲଘୁ, ସ୍ନେହ ଓ ଶ୍ରଦ୍ଧାର କର୍ତ୍ତବ୍ୟ ସମାପନ କରୁଥିଲା । ଘାଟର ଚତୁଃପାଶ୍ୱର୍ରେ ଦାନ୍ତକାଠିର ଆବର୍ଜନା ଛୁଟିଦିନମାନଙ୍କରେ ସଫା କଲାବେଳେ ବର୍ତ୍ତମାନର ସ୍ୱଚ୍ଛଭାରତ କଥା ମନେ ପଡୁଥିଲା । ବର୍ତ୍ତମାନ ସ୍ୱଚ୍ଛ ଭାରତ ହିଁ ସେତେବେଳେ ଗ୍ରାମ ତୁଠରୁ ଆରମ୍ଭ ହୋଇଥିଲା ।
ମାତ୍ର ଆଜି ପ୍ରତ୍ୟେକ ଗ୍ରାମରେ ଗ୍ରାମବାସୀମାନେ ସେହି ସୁଖଦୁଃଖର ସାଥୀ ପୋଖରୀଘାଟକୁ ଭୁଲି ଗଲେଣି । ସେଠାରେ ଆଉ ଭିଡ଼ ଓ ଭୁଆଶୁଣିମାନଙ୍କର ଗପସପ ଶୁଣିବାକୁ ମିଳୁନି । ପୋଖରୀ ହୁଡ଼ା ଆଜି ଖାଁ ଖାଁ ଲାଗୁଥିବା ବେଳେ ଅନେକ ତୁଠ ଅବ୍ୟବହୃତ ଅବସ୍ଥାରେ ପଡ଼ି ରହିଛି । କଇଁତୁଠରୁ ପ୍ରେମର ଭାବନା ହଜିଯିବା ସଙ୍ଗେ ସଙ୍ଗେ ଧୋବା ତାହାର ପୈତୃକ କାର୍ଯ୍ୟରୁ ଖ୍ୟାନ୍ତ ହୋଇଛି । ଗାଁ ଲୋକେ ଆଜି ସ୍ୱାବଲମ୍ବୀ ହୋଇଛନ୍ତି ସତ, କିନ୍ତୁ ଭାତୃତ୍ୱ ଭାବର ଘାଟକୁ ମନରୁ ପୋଛି ଦେଲେଣି । ସମୟ ଚକ୍ରରେ ଆଜି ସେ ଦିନର ସ୍ଥିତି ଚାପି ହୋଇଗଲାଣି । ପ୍ରତ୍ୟେକ ଘରେ ଘାଟର ଶବ୍ଦ ପରିବେର୍ତ୍ତ ଭାଟର ଶବ୍ଦ ଉଚ୍ଚାରଣ ହେଉଛି । ଆଧୁନିକ ଯୁଗର ଚାକଚକ୍ୟରେ ମନୁଷ୍ୟ ପୋଖରୀ ବଦଳରେ ବାଥରୁମ୍କୁ ଆପଣାଇ ନେଇଛନ୍ତି । ଏହି ବାଥରୁମ୍ର ଚାରିକାନ୍ଥ ଭିତରେ ଆମେ ଆମର ସମସ୍ତ କାର୍ଯ୍ୟକୁ ସମାପନ କରୁଛୁ । ସୁଇଚ୍ ଟିପିଲେ ସାୱାରରୁ କୃତ୍ରିମ ବର୍ଷା ସୃଷ୍ଟି କରି ତାହାରି ଭିତରେ ଆମେ ଆମର ବାସ୍ତବ ଜୀବନର ପୁନଃଛେଦକୁ ଟାଣୁଛୁ । ବାଥରୁମ୍ ଦ୍ୱାରା ଲୋକମାନଙ୍କ ମଧ୍ୟରେ କେବଳ ମାନସିକ ଚାପ ନୁହଁ ବରଂ ଶାରୀରିକ ଅସୁସ୍ଥତା ସୃଷ୍ଟି ହେଉଛି । ଆଜି ଗାଁର ଘାଟ ଅଘାଟରେ ପରିଣତ ହୋଇଛି । ଅତୀତରେ ସମ୍ପର୍କ ସୃଷ୍ଟି କରୁଥିବା ଘାଟଟି ଆଜି ସମସ୍ତଙ୍କ ମନ ସହ ଶରୀରରୁ ବି ଦୂରେଇ ଗଲାଣି । ବିଭିନ୍ନ ରାଜନୈତିକ ମତବାଦ ଆଜି ଗ୍ରାମର ତୁଠକୁ ଆହୁରି ପରକରି ଦେଲାଣି । ବେସାହାରା ଘାଟଟିକୁ ଆଜି ସାହାରା ଦେବାକୁ କେହି ନାହିଁ । ସମସ୍ତ ଅର୍ଥବଳ ଓ ବାହୁବଳ ଦେଇ ବାଥରୁମ୍ ପ୍ରସ୍ତୁତ କରୁଛୁ ସତ, ମାତ୍ର ଏହା କେବେହେଲେ ଘାଟର ସ୍ଥାନ ନେଇପାରିବ ନାହିଁ । ପୋଖରୀଘାଟ ମନରେ ଶାନ୍ତ ଓ ଆବେଗ ଆଣିଲା ବେଳେ ବାଥରୁମ୍ରେ କେବଳ ଚିନ୍ତାଦ୍ୱେଷ ସୃଷ୍ଟି କରି ମନକୁ ଅବସାଦ କରିଦେଉଛି । ମନୁଷ୍ୟ ପ୍ରକୃତିରେ ଜନ୍ମ । ତେଣୁ ପ୍ରକୃତି ସହ ସମ୍ପର୍କ ଅତି ନିବିଡ଼ । ଆଜିର ମନୁଷ୍ୟ ସେହି ଘାଟକୁ ମନରୁ ପାସୋରି ଥିବାବେଳେ କେବଳ ଚିତ୍ରକର ତାହାର ତୁଳିରେ ସେସବୁକୁ କୃତ୍ରିମ ପ୍ରକାରେ ବାନ୍ଧି ରଖିଛି । ଆଜି ପୋଖରୀ ଘାଟ ତାହାର ଅସ୍ତିତ୍ୱ ହରାଉ ଥିବାବେଳେ ବାଥରୁମ୍ ତାହାର ସ୍ଥାନକୁ ବିମଣ୍ଡିତ କରୁଛି । ସେହିପରି ପୋଖରୀ ହୁଡ଼ାରେ ମୁକ୍ତ ବାୟୁ ହୃଦୟକୁ ସୁସ୍ଥତା ରଖୁଥିବା ବେଳେ ଗାଧୋଇବା ବେଳେ ଶାରୀରିକ ବ୍ୟାୟାମ ମଧ୍ୟ ହୋଇଯାଉଥିଲା । ବର୍ତ୍ତମାନ ଆଧୁନିକତାର ଦ୍ୱାହି ଦେଇ ଲୋକେ ପୋଖରୀ ଘାଟର କବଳ ଉପରେ କେବେହେଲେ ବାଥରୁମ୍ ସୃଷ୍ଟି କରିପାରିବେ ନାହିଁ । ବାଥରୁମ୍ ହେବା ସ୍ୱାଗତଯୋଗ୍ୟ ମାତ୍ର ଗାଁରେ ଥିବା ପୋଖରୀ ତୁଠକୁ କେବେହେଲେ ଅଣଦେଖା କରାନଯାଉ । ପୋଖରୀ ତୁଠ ଦ୍ୱାରା ଆମ ଗ୍ରାମର ପରମ୍ପରା, କିମ୍ବଦନ୍ତୀ ଉଦ୍ଜୀବିତ ହୋଇ ରହିବ ଓ ମହାନ ଭାତୃତ୍ୱ ଭାବର ପରିଚାୟକ ସୃଷ୍ଟି କରିବ ।
ବନ୍ଧୁଗଣ ! ଯଦି ଆପଣ ମାନଙ୍କୁ ଆମର ଏହି ଟିପ୍ସଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ !
ନରୋତ୍ତମ ଷଡଙ୍ଗୀ
ସହକାରୀ ଶିକ୍ଷକ, ଚିନ୍ତାମଣି
ହାଇସ୍କୁଲ, ଦହପଡ଼ା, ବାଲେଶ୍ୱର- ମୋ :୯୪୩୮୭୫୭୬୮୧

Super ????? Uncle.. Chotto pila dinara katha ku manepakae dele… ???