ସୋପୋରରେ ସେନା-ଆତଙ୍କବାଦୀ ମୁହାଁମୁହିଁ, ୨ ଆତଙ୍କବାଦୀ ନିହତ
ଶ୍ରୀନଗର : ଉତ୍ତର କାଶ୍ମୀରର ସୋପୋର ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ମୁହାଁମୁହିଁ । ଏହି ଏନକାଉଣ୍ଟରରେ ଲଶ୍କର-ଏ-ତୋଇବା ସଂଗଠନର ୨ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ଉକ୍ତ ଅଂଚଳରେ ଏବେବି ସର୍ଚ୍ଚ ଅପରେସନ ଜାରି ରହିଥିବା ନେଇ କଶ୍ମୀର ପୋଲିସର ଆଇଜି ଜାତୀୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।
ସୂଚନା ଯେ, ବାରାମୂଲା ଜିଲ୍ଲାର ସୋପାର ନିକଟ ବାରପୋରା ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ସେନାକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା । ଲଶ୍କର-ଏ ତୋଏବାର ଜଣେ କମାଣ୍ଡର ସମେତ ଆଉ କିଛି ଆତଙ୍କବାଦୀ ଲୁଚି ରହିଥିଲେ । ଏହାପରେ ଏସଓଜି, ସେନା, ସ୍ଥାନୀୟ ପୋଲିସ, ୨୨ ରାଷ୍ଟ୍ରୀୟ ରାଇଫଲ୍ସ ଓ ସିଆରପିଏଫର ଯବାନ କମ୍ବିଂ ଅପରେସନ ଆରମ୍ଭ କରିଥିଲେ । ନିଜକୁ ବିପଦରେ ଦେଖି ଆତଙ୍କବାଦୀମାନେ ପ୍ରଥମେ ଗୁଳିଚାଳନା କରିଥିଲେ । ନିହତ ହୋଇଥିବା ଆତଙ୍କବାଦୀମାନେ ସାଧାରଣ ନାଗରିକ ଏବଂ ସୁରକ୍ଷା ବାହିନୀର କର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ । ଯବାନମାନେ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ । ଏଥିରେ ୨ ଆତଙ୍କବାଦୀ ନିହତ ହୋଇଥିବା ବେଳେ ସେମାନେଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବନ୍ଧୁକ ଜବତ କରାଯାଇଛି । ଏବେ ବି ଆଉ ଜଣେ ଟପ୍ କମାଣ୍ଡର ଲୁଚି ରହିଛି । ତେବେ ରିପୋର୍ଟ ଲେଖାଯିବା ବେଳକୁ ସୁରକ୍ଷା ବାହିନୀର ସର୍ଚ୍ଚ ଅପରେଶନ ଜାରି ରହିଛି ।
