ଆଜିଠୁ ସେନା କମାଣ୍ଡର ସମ୍ମିଳନୀ
ନୂଆଦିଲ୍ଲୀ : ଆଜିଠାରୁ ନୂଆଦିଲ୍ଲୀରେ ଆରମ୍ଭ ହେବ ସେନାର ବରିଷ୍ଠ କମାଣ୍ଡରମାନଙ୍କର ସମ୍ମିଳନୀ। ଏହି ସମ୍ମିଳନୀରେ ଭାରତୀୟ ସେନା ସମ୍ପର୍କରେ ବ୍ୟାପକ ସ୍ତରରେ ବିଚାର ବିମର୍ଷ କରାଯିବା ସହ ବିଭିନ୍ନ ନୀତିକୁ ଚୂଡ଼ାନ୍ତ କରାଯିବ।
୫ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ଭାରତୀୟ ସେନାର ବରିଷ୍ଠ ଅଧିକାରୀ ଦେଶର ସୀମାନ୍ତ ଅଞ୍ଚଳ ସ୍ଥିତି, ସେହି ଅଞ୍ଚଳ ପ୍ରତି ଥିବା ବିପଦର ଆକଳନ କରିବା ସହ ଏହାର ମୁକାବିଲା ପାଇଁ ପ୍ରସ୍ତୁତି ତଥା କ୍ଷମତା ସମ୍ପର୍କରେ ଆଲୋଚନା କରିବେ। ସେହିପରି ସୀମାନ୍ତବର୍ତ୍ତୀ ଅଞ୍ଚଳଗୁଡ଼ିକରେ ମୌଳିକଢାଞ୍ଚାର ବିକାଶ, ସ୍ୱଦେଶୀ ମାଧ୍ୟମରେ ସେନାର ଆଧୁନିକୀକରଣ ତଥା ବୈଷୟିକ ଜ୍ଞାନର ବ୍ୟବହାର ଏବଂ ୟୁକ୍ରେନ୍-ରୁଷ ଯୁଦ୍ଧର ପ୍ରଭାବ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବ। ସୂଚନା ଯେ, ସେନା କମାଣ୍ଡରମାନଙ୍କର ଏହି ସମ୍ମିଳନୀ ବର୍ଷରେ ଦୁଇଥର ଅପ୍ରେଲ ଏବଂ ଅକ୍ଟୋବର ମାସରେ ହୋଇଥାଏ।
