ଆର୍ମି ଏବିଏଶନର ଚିତା ହେଲିକାପ୍ଟର ଦୁର୍ଘଟଣାଗ୍ରସ୍ତ , ଦୁଇ ପାଇଲଟଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରର ଉଧମପୁର ଜିଲ୍ଲାର ଶିବଗଡ଼ ଧାର ଅଂଚଳରେ ମଙ୍ଗଳବାର ସକାଳେ ଆର୍ମି ଏବିଏଶନର ଚିତା ହେଲିକାପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଦୁଇ ପାଇଲଟ୍ଙ୍କର ମୃତ୍ୟୁ ହୋଇଛି । ଖରାପ ପାଗ କାରଣରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ରେସ୍କ୍ୟୁ ଅପରେସନରେ ବଂଚାଯାଇ ହସ୍ପିଟାଲ ପଠାଯାଇଥିବା ଦୁଇ ପାଇଲଟ୍ଙ୍କର ଅବସ୍ଥା ସଂକଟାପନ୍ନ ଥିଲା ।
ଉଧମପୁର ରିୟାସୀ ରେଞ୍ଜର ଡିଆଇଜି ସୁଲେମାନ ଚୌଧୁରୀଙ୍କ ଅନୁସାରେ ସୂଚନା ମିଳିବା ପରେ ପୋଲିସ୍କୁ ରେସ୍କ୍ୟୁ ପାଇଁ ଦୁର୍ଘଟଣା ସ୍ଥଳରେ ପହଂଚିବାକୁ ପଡ଼ିଥିଲା । ପୋଲିସ୍ ଅଧିକାରୀଙ୍କ କହିବା ଅନୁସାରେ ଘନ କୁହୁଡ଼ି କାରଣରୁ କ୍ରାସ ହୋଇଥିଲା । ହେଲେ ଏବେ ସ୍ପଷ୍ଟ ଭାବରେ କୌଣସି କଥା କୁହାଯାଇ ପାରିବ ନାହିଁ । ପୋଲିସ୍ ସହିତ ସ୍ଥାନୀୟ ଗ୍ରାମବାସୀମାନେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ଏବଂ ଗଭୀର ଖାଇରେ ଦୁର୍ଘଟଣାଗ୍ରସ୍ତ ହୋଇ ଚିତା ହେଲିକାପ୍ଟରର ଗମ୍ଭୀର ରୂପରେ ଆହତ ହୋଇ ଦୁଇ ପାଇଲଟ ରେସ୍କ୍ୟୁ ଅପରେସନରେ ବାହାର କରି ହସ୍ପିଟାଲ୍ ପଠାଯାଇଥିଲା । ସେନା ସୂତ୍ର ଅନୁସାରେ ମଧ୍ୟାହ୍ନ ଗୋଟାଏ ପାଖାପାଖି ଉଧମପୁର ଜିଲ୍ଲାରେ ନାଗ ଦେବତା ମନ୍ଦିର ଉପରେ ପଟନିଟାପ ଅଂଚଳର ଶିବଗଡ଼ ଜଙ୍ଗଲରେ ସେନାର ହେଲିକାପ୍ଟର ଚିତା ଦୁର୍ଘଟଣାଗ୍ରସ୍ତ ହୋଇଛି । ଜଣେ ପାଇଲଟଙ୍କର ପରିଚୟ ମିଳିଛି । ସେ ହେଲେ ଅନୁଜ ରାଜପୁତ । ଏହାମଧ୍ୟରେ ଘଟଣାସ୍ଥଳରେ ପହଂଚିଥିବା ସେନା ଟିମ୍ ହେଲିକାପ୍ଟରର ଭଗ୍ନାବଶେଷ ଏକାଠି କରିବାରେ ଲାଗିଛନ୍ତି । ଭାରତୀୟ ସେନା ବୟାନରେ କହିଛି ଯେ ମୃତକଙ୍କ ମଧ୍ୟରେ ଜଣେ କ୍ୟାପ୍ଟନ ଅନ୍ୟଜଣେ ମେଜର ଥିଲେ । ତାଙ୍କ ପରିବାରକୁ ସୂଚନା ଦିଆଯାଇଛି ।
