ବନ୍ଧୁକ-ବୋମା ସହ ଧନୁ ତୀର ଜବତ, ୫ ଗିରଫ
ଦେବଗଡ଼ : ବାରକୋଟ ଥାନା ଅନ୍ତର୍ଗତ ମର୍ହା ଗ୍ରାମ ନିକଟସ୍ଥ ତାଲବିଲା ଜଙ୍ଗଲ ରାସ୍ତା ନିକଟରୁ ୫ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ବନ୍ଧୁକ, ବୋମା, ବୋମା ପ୍ରସ୍ତୁତ ସାମଗ୍ରୀ, ଧନୁତୀର, ହରିଣ ସିଂଘ, ହାତୀ କଳ ଦାନ୍ତ ଏବଂ ମୟୂର ପୁଚ୍ଛ ଜବତ କରିଛି ପୁଲିସ । ଗିରଫ ଅଭିଯୁକ୍ତମାନେ ହେଲେ ମର୍ହା ଗ୍ରାମର ସୁରେଶ ଶବର(୫୬), ରିଆମାଳ ଥାନା ଅନ୍ତର୍ଗତ ମଧ୍ୟପୁର ଗ୍ରାମର ହେମନ୍ତ କିସାନ(୪୦) ଓ ବେଣୁଧର କିସାନ(୩୨), ତେନ୍ତଳାବାହାଲ ଗ୍ରାମର ରେବତୀ ମୋହନ ମୁଣ୍ଡା(୩୪) ଓ ଭାଲିଆଡିହି ଗ୍ରାମର ଲୋକନାଥ(୫୦)।
ଶନିବାର ଜିଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ରାଜ କିଶୋର ପାଇକରାୟ ଏ ବାବଦରେ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ କୌଣସି ଅସାମାଜିକ ସଂଗଠନ କିମ୍ବା ବେଆଇନ ଜନ୍ତୁ ଶିକାର ବା କୌଣସି ମାଓ ସଂଗଠନ ସହ ସଂପୃକ୍ତି କି ନାହିଁ ସେ ଦିଗକୁ ନେଇ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ଏସ୍ପି କହିଛନ୍ତି। ଅଭିଯୁକ୍ତ ସୁରେଶ ଶବର ନାମରେ ପୂର୍ବରୁ ବାରକୋଟ ଥାନା ୩ଟି ଓ ବାରକୋଟ ଫରେଷ୍ଟ ରେଞ୍ଜରେ ୨ଟି ମାମଲା ରହିଥିବା ଶ୍ରୀ ପାଇକରାୟ ସୂଚନା ଦେଇଛନ୍ତି।
