ଏପ୍ରିଲ ୧୩ ସୁଦ୍ଧା କୁଳଭୂଷଣ ଯାଦବଙ୍କ ଲାଗି ଓକିଲ ବ୍ୟବସ୍ଥା କର : ପାକିସ୍ତାନ ହାଇକୋର୍ଟ
ଇସଲାମାବାଦ : ଭାରତୀୟ ବନ୍ଦୀ କୁଳଭୂଷଣ ଯାଦବଙ୍କ ଲାଗି ଏପ୍ରିଲ ୧୩ ତାରିଖ ସୁଦ୍ଧା କୌଣସି ଓକିଲଙ୍କ ବ୍ୟବସ୍ଥା କରିବା ଲାଗି ହାଇକୋର୍ଟ ଇମ୍ରାନ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ନୌସେନାର ୫୧ ବର୍ଷ ବୟସ୍କ ଅବସରପ୍ରାପ୍ତ ଅଧିକାରୀ କୂଲ ଭୂଷଣଙ୍କୁ ଏପ୍ରିଲ ୨୦୧୭ ମସିହାରେ ଆତଙ୍କବାଦ ଓ ଗୋଇନ୍ଦାଗିରି ଅଭିଯୋଗରେ ଗିରଫ କରାଯାଇଥିଲା। ପାକିସ୍ତାନ ସାମରିକ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଛନ୍ତି।
ତେବେ ଯାଦବଙ୍କ ଓକିଲ ନଥିବାରୁ କୋର୍ଟରେ ତାଙ୍କ ଦଣ୍ଡ ସମୀକ୍ଷା ଓ ଏ ବାବଦେ ତର୍କ ହୋଇ ପାରୁନାହିଁ। ଏଣୁ ମାମଲାର ଶୁଣାଣି ଲାଗି ତୁରନ୍ତ ତାଙ୍କୁ ଓକିଲ ଯୋଗାଇ ଦେବାକୁ କୋର୍ଟ କହିଛନ୍ତି। ଇସ୍ଲାମାବାଦ ଉଚ୍ଚ ନ୍ୟାୟାଳୟ ଅଗଷ୍ଟ ୨୦୨୦ରେ ମୁଖ୍ୟ ବିଚାରପତି ଜଷ୍ଟିସ୍ ଅତହର ମିନଲ୍ଲାହ, ଜଷ୍ଟିସ୍ ଅମୀର ଫାରୁକ ଓ ଜଷ୍ଟିସ୍ ମିଆଁଗୁଲ ହସନ ଆଉରଙ୍ଗଜେବଙ୍କ ୩ ସଦସୀୟ ବଡ଼ ପୀଠ ଗଠନ କରିଥିଲେ। ହେଲେ ଅଭିଯୁକ୍ତଙ୍କ ଓକିଲ ନଥିବାରୁ ମୋକଦ୍ଦମାର ଶୁଣାଣି ଆରମ୍ଭ ହୋଇପାରୁନାହିଁ।
ତେବେ ଯାଦବଙ୍କ ଲାଗି ପାକିସ୍ତାନ ନିଜ ପଟରୁ କୌଣସି ଓକିଲ ନିଯୁକ୍ତ କରୁନଥିବା ବେଳେ ଭାରତରୁ ନୂଆଦିଲ୍ଲୀ ଓକିଲ ପଠାଇବାକୁ ଚାହୁଁଥିବା ଓ ଏଥିଲାଗି ମଞ୍ଜୁରୀ ନିମନ୍ତେ ଅପେକ୍ଷା କରି ରହିଥିବା ବାରମ୍ବାର କହିଆସୁଛି । ତେବେ ଗୁରୁବାର ଏ ବାବଦେ ଆଟର୍ଣ୍ଣି ଜେନେରାଲ ଜାଭେଦ ଖାନଙ୍କ ତର୍କ ଶୁଣିବା ପରେ କୋର୍ଟ ଏପ୍ରିଲ ୧୩ ତାରିଖ ସୁଦ୍ଧା କୂଲଭୂଷଣ ଯାଦବଙ୍କୁ ଓକିଲ ଯୋଗାଇ ଦେବାକୁ ଚୂଡ଼ାନ୍ତ ନିର୍ଦ୍ଦେଶ ଦେଇଛନ୍ତି।
