ପତି ବିରାଟଙ୍କ ସହିତ ବାବା ମହାକାଳଙ୍କ ଦର୍ଶନ କଲେ ଅନୁଷ୍କା ଶର୍ମା
ଉଜୈନ : ପତି ବିରାଟ କୋହଲିଙ୍କ ସହିତ ଶୁକ୍ରବାର ବାବା ମହାକାଳଙ୍କ ଦର୍ଶନ କରିଛନ୍ତି ବଲିଉଡ଼୍ ଅଭିନେତ୍ରୀ ଅନୁଷ୍କା ଶର୍ମା । ବାବା ମହାକାଳଙ୍କ ନଗରୀ ଉଜୈନ ସ୍ଥିତ ମହାକାଳେଶ୍ୱର ମନ୍ଦିରରେ ପହଂଚି ପୂଜାର୍ଚ୍ଚନା କରିବା ସହ ଦୁହେଁ ବାବାଙ୍କ ଆର୍ଶିବାଦ ନେଇଛନ୍ତି । ଯାହାର ଫଟୋ ଏବଂ ଭିଡ଼ିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି । ବିରାଟ ଓ ଅନୁଷ୍କା କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମହାକାଳ ମନ୍ଦିରରେ ପହଂଚିଥିଲେ । ସେଠାରେ ଭସ୍ମ ଆରତିରେ ସାମିଲ୍ ହୋଇ ବାବା ମହାକାଳଙ୍କ ପୂଜାର୍ଚ୍ଚନା କରିଥିଲେ । ଏହି ପୂଜା ସମୟରେ ଅନୁଷ୍କା ଶାଢ଼ୀ ପିନ୍ଧି, ମଥାରେ ଭସ୍ମ ଲଗାଇ ଶିବଲିଙ୍ଗରେ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି । ପୂଜା ବେଳେ ଅନୁଷ୍କା ହାଲକା ଗୋଲାପି ରଙ୍ଗର ଶାଢ଼ୀ ପିନ୍ଧିଥିବା ବେଳେ ବିରାଟ ଧଳା ରଙ୍ଗର ଧୋତି ପିନ୍ଧିଥିବା ଏହି ଭିଡ଼ିଓରେ ଦେଖିବାକୁ ମିଳିଛି । ବିରାଟ – ଅନୁଷ୍କାଙ୍କ ଏହି ଭିଡ଼ିଓକୁ ପ୍ରଶଂସକ ମାନେ ଖୁବ୍ ପସନ୍ଦ କରିଛନ୍ତି ।
