ଆଉ ଏକ ଟିକାକୁ ଅନୁମତି ! ୧୨-୧୭ ବର୍ଷର ପିଲାଙ୍କୁ ଦିଆଯିବ ‘କୋଭୋଭାକ୍ସ’
ନୂଆଦିଲ୍ଲୀ: କରୋନା ମହାମାରୀ ବିରୁଦ୍ଧ ଲଢେଇରେ ଏକ ବଡ଼ ସଫଳତା ମିଳିଛି। ସିରମ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆର ଦ୍ୱାରା ବିକଶିତ ଟିକା କୋଭୋଭାକ୍ସକୁ ଟିକାକରଣରେ ବ୍ୟବହାର ପାଇଁ ମଞ୍ଜୁରୀ ମିଳିଛି। ଦେଶରେ ୧୨-୧୭ ବର୍ଷ ବୟସର ପିଲାମାନଙ୍କ ପାଇଁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ଵାରା ବିକଶିତ କରୋନା ଟିକା କୋଭୋଭାକ୍ସ ଦିଆଯିବ । ଟିକାକରଣ ଉପରେ ସରକାରଙ୍କ ବୈଷୟିକ ପରାମର୍ଶଦାତା କମିଟି (ଏନଟିଏଜିଆଇ) ଏହି ବୟସ ବର୍ଗ ପାଇଁ କୋଭୋଭାକ୍ସକୁ ଅନୁମୋଦନ କରିଛି । ଏହି ଟିକା ଅନୁମୋଦନ ପରେ ପିଲାମାନଙ୍କର ଟିକାକରଣ ପାଇଁ ପଥ ସହଜ ହେବ | ଦେଶରେ ଟିକାକରଣ ଅଭିଯାନ ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ଏନଟିଏଜିଆଇ ସରକାରଙ୍କୁ ପରାମର୍ଶ ଦେଇଥାଏ |
ଏନଟିଏଜିଆଇ ର ସୁପାରିସ ପରେ ଏହି ପ୍ରସ୍ତାବ ସରକାରଙ୍କ ନିକଟକୁ ଯିବ । ତା’ପରେ ଦେଶର ଔଷଧ ନିୟାମକ ଡିସିଜିଆଇ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେବେ | ମାର୍ଚ୍ଚ ୧୬ ରୁ ଭାରତରେ ୧୨-୧୪ ବର୍ଷ ବୟସର ପିଲାମାନଙ୍କର ଟିକାକରଣ ଆରମ୍ଭ ହୋଇଥିଲା । ସମ୍ପ୍ରତି ପିଲାମାନଙ୍କୁ ବାୟୋଲୋଜିକାଲ ଇ’ର କୋର୍ବେଭାକ୍ସ ଟିକା ଦିଆଯାଉଛି ।
