ଭାରତକୁ ଆଉ ଏକ ସଫଳତା : ଆଜି ୧୦୦ କୋଟି ଟପିବ ଟିକାକରଣ
ନୂଆଦିଲ୍ଲୀ : ମହାମାରୀ କୋଭିଡ଼ ଆତଙ୍କକୁ ଦମନ କରିବାରେ ଟିକାକରଣ ମୂଖ୍ୟ ଆୟୁଧ । ଏହାକୁ ଲକ୍ଷ୍ୟରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ ୧୬ ଜାନୁଆରୀରୁ ଦେଶରେ କୋଭିଡ଼ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା । ବର୍ତ୍ତମାନ ଏହି ଅଭିଯାନ ସଫଳତାର ସହିତ ଦିନକୁ ଦିନ ନୂଆ କୀର୍ତ୍ତିମାନ ସ୍ଥାପନ କରିବା ସହ ଏବେ ୧୦୦ କୋଟି ଛୁଇଁବାକୁ ଯାଉଛି । ଫଳରେ ଦେଶବ୍ୟାପୀ ଲୋକଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ।
ଦେଶରେ ଗୁରୁବାର ସକାଳ ସୁଦ୍ଧା ଏହା ଲକ୍ଷ୍ୟ ପୂରଣ ହେବ ବୋଲି ଆଶା କରାଯାଉଛି। ଟିକାକରଣ ଅଭିଯାନ ଆରମ୍ଭ ହେବାର ମାତ୍ର ୯ ମାସ ପରେ ଭାରତ ପ୍ରଥମ ଥର ପାଇଁ ୧୦୦ କୋଟି ଟିକାର ମାଇଲଖୁଣ୍ଟ ହାସଲ କରିବ। ୧୦୦ କୋଟିର ସଫଳତା ପରିପ୍ରେକ୍ଷୀରେ ସରକାର ଉତ୍ସବ ମନାଇବା କାର୍ଯ୍ୟକ୍ରମ କରିଛନ୍ତି। ଦେଶର ଟ୍ରେନ, ବିମାନ, ଜାହାଜରେ ମାଇକ୍ ଯୋଗେ ଏ ସଂପର୍କରେ ଘୋଷଣା ହେବ। ଏଥିସହିତ ଦିଲ୍ଲୀର ଲାଲକିଲ୍ଲାରେ ତ୍ରିରଙ୍ଗା ଉଡ଼ାଯିବ। ଏହି ପରିପ୍ରେକ୍ଷୀରେ ବିଜେପିର ନେତାମାନେ ନିଜ ନିଜ ଅଞ୍ଚଳର ଟିକାକରଣ କେନ୍ଦ୍ର ପରିଦର୍ଶନ କରିବେ। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଉତ୍ତରପ୍ରଦେଶର ଗାଜିଆବାଦସ୍ଥିତ ଟିକାକରଣ କେନ୍ଦ୍ରକୁ ଯିବେ। ଦଳର ସାଧାରଣ ସଂପାଦକ ଅରୁଣ ସିଂ ଏବଂ ଡି. ଗୌତମ ଯଥାକ୍ରମେ ତାମିଲନାଡ଼ୁର କୋଏମ୍ବାଟୁର ଏବଂ ଉତ୍ତର ପ୍ରଦେଶର ଲକ୍ଷ୍ନୌ ଗସ୍ତ କରିବେ। ସୂଚନା ଯେ, ଚୀନ ଏକମାତ୍ର ଦେଶ ଯିଏ କି ଗତ ଜୁନରେ ୧୦୦ କୋଟି ଟିକାକରଣର ମାଇଲଖୁଣ୍ଟ ହାସଲ କରିଛି। ଏବେ ଏହି ରେକର୍ଡ ଭାରତ ମଧ୍ୟ ଉପଲବ୍ଧି କରିବାକୁ ଯାଉଛି ।
