ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୃଷ୍ଟି ହେବ ଆଉ ଏକ ଘୂର୍ଣ୍ଣିବଳୟ! ୧୯ରୁ ୨୨ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ବର : ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ । ଆଗକୁ ଆସୁଛି ବଡ଼ ବର୍ଷା । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ୧୯ରୁ ୨୨ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା ରହିଛି। କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟ ହୋଇପାରେ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ମିଳିଛି।
ଗତକାଲି ରାଜ୍ୟର ଅଧିକାଂଶ ଅଞ୍ଚଳରେ ମେଘୁଆ ପାଗ ରହିଥିବା ବେଳେ କିଛି ଅଞ୍ଚଳରେ ବର୍ଷା ଜାରି ରହିଛି। ରବିବାରର ଲଘୁଚାପ କ୍ଷେତ୍ର ସୋମବାର ଦିନ ଦୁର୍ବଳ ହୋଇଥିଲେ ହେଁ ଏହାସହ ଜଡ଼ିତ ଘୂର୍ଣ୍ଣିବଳୟ ପଶ୍ଚିମ ଝାଡ଼ଖଣ୍ଡ ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳର ୭.୬ କିମି ଯାଏ ବ୍ୟାପିଛି। ଏହାର ପ୍ରଭାବରେ ଓଡ଼ିଶାର କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ସୋମବାର ଦିନ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଯାଇଛି।
ଆଜି ପୁରୀ ସମେତ ଦକ୍ଷିଣ ଓଡ଼ିଶାର ୬ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି । ଆସନ୍ତାକାଲିଠୁ ପୁଣି ବଢ଼ିବ ପରିମାଣ । ୨୦ରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ପ୍ରବଳ ଓ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ୨୧ରେ ସବୁଠୁ ଅଧିକ ବର୍ଷା ହୋଇପାରେ । କିଛି ସ୍ଥାନରେ ୭ରୁ ୨୦ ସେଣ୍ଟିମିଟର ଯାଏ ବର୍ଷିପାରେ । କିଛି ଦିନର ଲଗାଣ ବର୍ଷା ପରେ ରାଜ୍ୟରେ ଭରଣା ହୋଇଛି ନିଅଣ୍ଟିଆ ସ୍ଥିତି । ବର୍ତ୍ତମାନ ସୁଦ୍ଧା ମୌସୁମୀ ଋତୁରେ ସ୍ୱାଭାବିକ ତୁଳନାରେ ୨୦ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି ।
