ଆଉ ଏକ ଝଟକା, ପାକିସ୍ତାନ ଗସ୍ତରୁ ଓହରିଲା ଇଂଲଣ୍ଡ
ନୂଆଦିଲ୍ଲୀ : ପାକିସ୍ତାନକୁ ଆଉ ଏକ ଝଟକା। ନ୍ୟୁଜିଲାଣ୍ଡ ପରେ ଏବେ ଇଂଲଣ୍ଡ ଦେଲା ଝଟକା । ଇଂଲଣ୍ଡ ଆଣ୍ଡ ଓ୍ଵେଲ୍ସ କ୍ରିକେଟ୍ ବୋର୍ଡ(ଇସିବି) ପାକିସ୍ତାନ ଗସ୍ତ ବାତିଲ୍ କରିଛି। ଇଂଲଣ୍ଡର ପୁରୁଷ ଏବଂ ମହିଳା ଦଳ ଆସନ୍ତା ଅକ୍ଟୋବରରେ ପାକିସ୍ତାନ ଗସ୍ତ କରିବାର ଥିଲା। ହେଲେ ଇସିବି ସୁରକ୍ଷା କାରଣରୁ ଏବେ ନିଜ ଦଳକୁ ପାକିସ୍ତାନ ନପଠାଇବାକୁ ନିଷ୍ପତ୍ତି ନେଇଛି। ଇସିବି ସୋମବାର ଟ୍ଵିଟ୍ କରି ଏହାର ସୂଚନା ଦେଇଛି। ଇଂଲଣ୍ଡର ପୁରୁଷ ଦଳ ପାକିସ୍ତାନ ଗସ୍ତରେ ଦୁଇଟି ଟି-୨୦ ମ୍ୟାଚ୍ ଏବଂ ମହିଳା ଦଳ ମଧ୍ୟ ଦୁଇଟି ଟି-୨୦ ଏବଂ ତିନୋଟି ଦିନିକିଆ ମ୍ୟାଚ୍ ଖେଳିବାର ଥିଲା। ହେଲେ ଇଂଲଣ୍ଡ ନିଜର ଗସ୍ତ ବାତିଲ କରିବା ପାକିସ୍ତାନକୁ ଝଟକା ଲାଗିଛି। ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ସୁରକ୍ଷା କାରଣରୁ ପ୍ରଥମ ଦିନିକିଆର କିଛି ସମୟ ପୂର୍ବରୁ ହିଁ ମ୍ୟାଚ୍ ଖେଳିବାକୁ ମନା କରିବା ସହ ଗସ୍ତ ବାତିଲ୍ କରିଥିଲା। ଇଂଲଣ୍ଡର ପୁରୁଷ କ୍ରିକେଟ୍ ଦଳକୁ ରାଓ୍ଵଲପିଣ୍ଡିରେ ଅକ୍ଟୋବର ୧୩ ଓ ୧୪ ତାରିଖରେ ଟି-୨୦ ମ୍ୟାଚ୍ ଖେଳିବାର ଥିଲା। ବୋର୍ଡ କହିଛି ଯେ, ଆମେ ପାକିସ୍ତାନ ଗସ୍ତ କରିବାକୁ ତତ୍ପର ଥିଲୁ। ହେଲେ ଖେଳାଳିଙ୍କ ସୁରକ୍ଷା ଓ ମାନସିକ ସୁସ୍ଥତା ଆମର ପ୍ରଥମ ପ୍ରାଥମିକତା। ତେଣୁ ସଂପ୍ରତି ପରିସ୍ଥିତିକୁ ଦୃଷ୍ଟିରେ ରଖି ପାକିସ୍ତାନ ଗସ୍ତ ବାତିଲ୍ କରିବାର ନିଷ୍ପତ୍ତି ନେଇଛୁ।
"We can confirm that the Board has reluctantly decided to withdraw both teams from the October trip."
— England Cricket (@englandcricket) September 20, 2021
?? #PAKvENG ???????
ଏ ନେଇ ଇସିବି ଏକ ବିବୃତ୍ତି ଜାରି କରିଛି। ଇସିବି କହିଛି, ଅକ୍ଟୋବରରେ ପାକିସ୍ତାନରେ ହେବାକୁଥିବା ଇଂଲଣ୍ଡର ମହିଳା ଓ ପୁରୁଷ ମ୍ୟାଚ୍ ବାତିଲ କରିବାକୁ ଆମେ ନିଷ୍ପତ୍ତି ନେଇଛୁ। ଆମ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କର ମାନସିକ ଓ ଶାରୀରିକ ସୁସ୍ଥତା ଆମ ପାଇଁ ସର୍ବୋଚ୍ଚ ପ୍ରାଥମିକତା। ବର୍ତ୍ତମାନ ଆମେ ଯେଉଁ ପରିବେଶରେ ରହୁଛୁ, ତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ବେଶ୍ ମହତ୍ତ୍ୱପୂର୍ଣ୍ଣ। ଆମର ପୁରୁଷ ଟି-୨୦ ଟିମ୍ ପାଇଁ ଅତିରିକ୍ତ ଜଟିଲତା ରହିଛି। ଆଉ ଏଭଳି ପରିସ୍ଥିତିରେ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ପ୍ରସ୍ତୁତି ପାଇଁ ପାକିସ୍ତାନ ଗସ୍ତ କରିବା ଠିକ୍ ହେବ ନାହିଁ। ଆମେ ବୁଝିପାରୁଛୁ ଯେ ଏହି ନିଷ୍ପତ୍ତି ପିସିବି ପାଇଁ ନିଶ୍ଚିତ ନିରାଶାଜନକ ହେବ। କାରଣ ସେମାନେ ନିଜ ଦେଶରେ ଅନ୍ତର୍ଜାତୀୟ କ୍ରିକେଟ୍ ପ୍ରତ୍ୟାବର୍ତ୍ତନ ପାଇଁ ବହୁ ଉଦ୍ୟମ କରିଛନ୍ତି। ଗସ୍ତ ବାତିଲ ପାକିସ୍ତାନରେ କ୍ରିକେଟ୍ ଉପରେ ବହୁତ ପ୍ରଭାବ ପକାଇବ। ସେଥିପାଇଁ ଆମେ ଦୁଃଖିତ। ସୂଚନା ଯେ, ଇଂଲଣ୍ଡ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ମଧ୍ୟ ପାକିସ୍ତାନ ଗସ୍ତ ବାତିଲ କରିଥିଲା। ଯାହା ପରେ ଆଶଙ୍କା କରାଯାଉଥିଲା ଯେ ଇଂଲଣ୍ଡ ମଧ୍ୟ ଗସ୍ତ ବାତିଲ କରିଦେବ। ଆଉ ତାହାହିଁ ହେଲା। ନ୍ୟୁଜିଲ୍ୟାଣ୍ଡ ଟିମ୍ ସେପ୍ଟେମ୍ବର ୧୧ ତାରିଖରେ ପାକିସ୍ତାନରେ ପହଞ୍ଚିଥିଲା। ନ୍ୟୁଜିଲ୍ୟାଣ୍ଡ ଟିମ୍ ୧୮ ବର୍ଷ ପରେ ପାକିସ୍ତାନ ଗସ୍ତ କରିଥିଲା, ଯେଉଁଠାରେ ସେମାନେ ତିନୋଟି ଦିନିକିଆ ଓ ୫ଟି ଟି-୨୦ ମ୍ୟାଚ୍ ଖେଳିଥାନ୍ତା। ହେଲେ ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ ପ୍ରଥମ ଦିନିକିଆର ଠିକ୍ ପୂର୍ବରୁ ପାକିସ୍ତାନ ଗସ୍ତ ବାତିଲ କରିଦେଇଥିଲା। ସୁରକ୍ଷା କାରଣ ଦର୍ଶାଇ ସେମାନେ ଏହି ଗସ୍ତ ବାତିଲ କରିଥିବା କହିଥିଲେ।
