ଆଉ ଜଣେ ଋଷୀୟ ନାଗରିକଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ
ପାରାଦୀପ : ଆଉ ଜଣେ ଋଷୀୟ ନାଗରିକଙ୍କ ମୃତ୍ୟୁ । ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଋଷିଆନ୍ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଉଛନ୍ତି ଋଷିଆନ ଇଞ୍ଜିନିୟର ମିଲ୍ ୟାକୁବ ସର୍ଜଇ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଗତ ସୋମବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଥିବା ଜଣାପଡିଛି । ତଦନ୍ତ ପରେ କାରଣ ସ୍ପଷ୍ଟ ହେବ ବୋଲି ପାରାଦୀପ ବନ୍ଦର ଅଧ୍ୟକ୍ଷ କହିଛନ୍ତି ।
ସୂଚନା ଯେ, ରାୟଗଡ଼ାରେ ଦୁଇ ଋଷୀୟ ନାଗରିକଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ଖୋଳତାଡ଼ ଚାଲିଥିବା ବେଳେ ଏବେ ଆଉ ଜଣେ ରୁଷୀୟ ନାଗରିକଙ୍କ ମୃତ୍ୟୁ ହୋଇଛି । ପାରାଦୀପରେ ରୁଷୀୟ ଚିଫ୍ ଇଞ୍ଜିନିୟର ମିଲ୍ ୟାକୁବ ସର୍ଜଇଙ୍କର ବନ୍ଦର ନିଷିଦ୍ଧାଞ୍ଚଳରେ ମୃତ୍ୟୁ ହୋଇଛି । ସେ ଅଲଦାନା ଭେସେଲରେ ପାରାଦୀପ ଆସିଥିଲେ। ସୋମବାର ବିଳମ୍ଵିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେପଟେ ଘଟଣା ସମ୍ପର୍କରେ ତଦନ୍ତ ହେବା ପୂର୍ବରୁ କିଛି କହିହେବ ନାହିଁ ବୋଲି ବନ୍ଦର ଅଧ୍ୟକ୍ଷ ପି. ଏଲ୍ ହାରନାଦ କହିଛନ୍ତି। ତେବେ ଋଷିଆନ ଇଞ୍ଜିନିୟରଙ୍କ ମୃତ୍ୟୁ କିଭଳି ଓ କେଉଁ ପରିସ୍ଥିତିରେ ହୋଇଛି ତାହାର କାରଣ ଅସ୍ପଷ୍ଟ ରହିଛି।
