କୀଭରେ ଆଉ ଜଣେ ଭାରତୀୟ ଛାତ୍ରଙ୍କୁ ଲାଗିଲା ଗୁଳି
ନୂଆଦିଲ୍ଲୀ : ଆଜି ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧର ନବମ ଦିନ ଓ ଏହି ଲଢ଼େଇ ଦିନକୁ ଦିନ ଭୀଷଣ ହେବାରେ ଲାଗିଛି । ଏହା ମଧ୍ୟରେ କିଛି ଭାରତୀୟ ଛାତ୍ର ୟୁକ୍ରେନର ରାଜଧାନୀ କୀଭ ଓ ବୃହତ୍ତମ ସହର ଖାର୍କିଭରେ ଫସି ରହିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଋଷର ସେନା ଖାର୍କିଭ, ଚେର୍ନିଭିଭ, ବୋରୋଦାଏଙ୍କା, ମାରିଅପୋଲରେ ଭାରି ବୋମା ବର୍ଷା କରିଛି । ଏହି ଆକ୍ରମଣରେ ମାତ୍ର ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୨ ଜଣଙ୍କର ମୃତ୍ୟୁ ଘଟିଛି । ଏହି ସମୟରେ ଭାରତ ସରକାର କହିଛି ଯେ, କୀଭରେ ଜଣେ ଭାରତୀୟ ଛାତ୍ରଙ୍କୁ ଗୁଳି ଲାଗିଛି ଓ ପରେ ତାଙ୍କୁ ପୁଣି କୀଭକୁ ପଠାଯାଇଛି ।
ପୋଲାଣ୍ଡର ପଡୋଶୀ ଦେଶ ୟୁକ୍ରେନରେ ଉପସ୍ଥିତ ଥିବା ବେସାମରିକ ବିମାନ ଚଳାଚଳ କେନ୍ଦ୍ର ମନ୍ତ୍ରୀ ଜେନେରାଲ (ଅବସରପ୍ରାପ୍ତ) ଭି.କେ ସିଂ କହିଛନ୍ତି ଯେ ଆଜି ଖବର ଆସିଛି ଯେ କୀଭରୁ ଆସୁଥିବା ଜଣେ ଛାତ୍ରଙ୍କୁ ଗୁଳି ଲାଗିଛି ଓ ଅଧା ବାଟରୁ ତାଙ୍କୁ କୀଭକୁ ଫେରାଇ ନିଆଯାଇଛି । ଆମେ ଅଳ୍ପ ପରିମାଣର କ୍ଷତି ସହ ଯଥାସମ୍ଭବ ପିଲାଙ୍କୁ ସ୍ଥାନାନ୍ତର କରିବାକୁ ଚେଷ୍ଟା କରୁଛୁ ।
ଭି.କେ ସିଂ କହିଛନ୍ତି ଯେ, ଏବେବି ୧୬୦୦-୧୭୦୦ ପିଲାଙ୍କୁ ଭାରତ ପଠାଯିବାର ଅଛି । ଗତ ତିନି ଦିନ ମଧ୍ୟରେ ପ୍ରାୟ ୧୪୦୦ ପିଲା ସାତୋଟି ବିମାନରେ ଯାଇଛନ୍ତି । କିଛି ପିଲା ନିଜସ୍ୱ ଉପାୟରେ ୱାର୍ସରେ ପହଞ୍ଚି ନିଜ ସମ୍ପର୍କୀୟଙ୍କ ସହ ରହିବାକୁ ନିଷ୍ପତ୍ତି ନେଇଛନ୍ତି । ସେ ପୋଲାଣ୍ଡରେ ସୁରକ୍ଷିତ ଅଛନ୍ତି । ସେ କହିଛନ୍ତି ଆସନ୍ତାକାଲି ଆମେ ସମୁଦାୟ ୫ଟି ବିମାନ ଉଡ଼ାଣ କରିବୁ, ଯେଉଁଥିରେ ଆମେ ୮୦୦-୯୦୦ ପିଲାଙ୍କୁ ଭାରତ ପଠାଇବୁ । ଛାତ୍ରଙ୍କ ରହିବା ପାଇଁ ଆମେ ଏଠାରେ ଏକ ଅସ୍ଥାୟୀ ବ୍ୟବସ୍ଥା କରିଛୁ ।
