ବଳୁଖଣ୍ଡରୁ ପୁଣି ଏକ ମୃତ ହରିଣ ଉଦ୍ଧାର
କୋଣାର୍କ : ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଅନ୍ତର୍ଗତ ସୂତନ ଗ୍ରାମ ନିକଟ ବାଲୁଖଣ୍ଡ ଜଙ୍ଗଲରେ ବୁଧବାର ସକାଳେ ଏକ ମୃତ ହରିଣ ଉଦ୍ଧାର କରାଯାଇଛି । ସୂତନ ଗ୍ରାମର ସୌମ୍ୟ ସୌରଭ ସ୍ୱାଇଁ ଓ ତାଙ୍କ ସାଥି ଗ୍ରାମ ନିକଟରେ ଥିବା ରୁଦ୍ରଣୀ ଠାକୁରାଣୀ ନିକଟ ଜଙ୍ଗଲକୁ ଯାଇଥିବା ବେଳେ ସେଠାରେ ବିଶାଳ ଶିଙ୍ଗ ଥିବା ହରିଣ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ସେ ସାମାଜିକକର୍ମି ତଥା ପ୍ରକୃତିବନ୍ଧୁ ଜ୍ଞାନ ରଞ୍ଜନ ବିଶ୍ୱାଳଙ୍କୁ ଜଣାଇବା ସହ ଘଟଣା ସ୍ଥଳରେ ଜଗି ରହିଥିଲେ । ସାମାଜିକକର୍ମୀ ଶ୍ରୀ ବିଶ୍ୱାଳ ଏନେଇ କୋଣାର୍କ ବନଖଣ୍ଡ ଅଧିକାରୀ ବେଣୁଧର ବେହେରାଙ୍କୁ ସୂଚନା ଦେଇଥିଲେ । ତୁରନ୍ତ ଘଟଣା ସ୍ଥଳରେ ରାମଚଣ୍ଡି ବନପାଳ ତପନ ନାୟକ ଓ ସାଥି କର୍ମଚାରୀ ମାନେ ପହଁଚି ମୃତ ହରିଣଟିକୁ ଉଦ୍ଧାର କରିବା ସହ ଡାଲା ଗାଡ଼ି ସାହାର୍ଯ୍ୟରେ ଆଣି କୋଣାର୍କ ପଶୁ ଡ଼ାକ୍ତରଖାନାରେ ବ୍ୟବଚ୍ଛେଦ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ମୃତ ହରିଣ ଟିକୁ କୋଣାର୍କ ରେଞ୍ଜ ଅଫିସ କାର୍ଯ୍ୟଳୟ ପରିସରରେ ପୋତି ଦିଆଯାଇଥିବା ଜଣା ପଡ଼ିଛି । ଦେହରେ କୌଣସି କ୍ଷତ ଚିହ୍ନ କିମ୍ବା ବେକରେ ଫାସ ଦାଗ ନଥିବାରୁ ହରିଣଟି ବିଦ୍ୟୁତ ଆଘାତ କିମ୍ବା ବିଷାକ୍ତ ଖାଦ୍ୟ ଖାଇ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ବିଗତ ଦିନରେ ବାଲୁଖଣ୍ଡ ଅଭୟାରଣ୍ୟର ଅନେକ ସ୍ଥାନରେ ହରିଣ ଶିକାର ଓ ମୃତ୍ୟୁ ଘଟୁଥିବାରୁ ପରିବେଶବିତ୍ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ବନ ବିଭାଗ ପକ୍ଷରୁ କଠୋର ନିୟମ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଶିକାରୀ ମାନେ ଏପରି ବେନିୟମ ଶିକାର କରୁଥିବା ଦେଖିବାକୁ ମିଳୁଛି । ଜଙ୍ଗଲରେ ଖାଦ୍ୟ ଓ ଜଳର ଅଭାବ ହେତୁ ହରିଣ ଗାଁ ମୁହାଁ ହୋଈ ଚାଷ ଜମିକୁ ନଷ୍ଟ କରୁଥିବାରୁ ଅମାନୁଷିକ ବ୍ୟକ୍ତି ମାନେ ଫାସ, କରେଣ୍ଟ ଲଗାଇ ହରିଣ ଶିକାର କରୁଥିବା ଯୋଗୁଁ ବିରଳ ପ୍ରଜାତିର ହରିଣଙ୍କ ପାଇଁ ପ୍ରସିଦ୍ଧ ଏହି ବାଲୁଖଣ୍ଡ ଅଭୟାରଣ୍ୟ ଦିନେ ହରିଣ ବଂଶ ଲୋପ ପାଇବାକୁ ବସିଲାଣି କହିଲେ ଅତ୍ୟୁକ୍ତି ହେବନାହିଁ । ଏଥିପ୍ରତି ବନବିଭାଗ ସଜାଗ ହେବା ସହିତ କଡ଼ା ସୁରକ୍ଷା ଓ ଜଗିବା ପାଇଁ ସ୍ୱତନ୍ତ୍ର ଅଭିଯାନ ଆବଶ୍ୟକତା ରହିଛି ।
