ବଟେଶ୍ୱର ନୋଡାଲ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ
କାକଟପୁର : କାକଟପୁର ବ୍ଲକ ଅନ୍ତର୍ଗତ ବାଲିଦୋକାନ ସ୍ଥିତ ବଟେଶ୍ୱର ନୋଡାଲ ସରକାରୀ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି । ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ବିଦ୍ୟାଳୟ ପରିସରରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ଓ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ପ୍ରଧାନଶିକ୍ଷକ କୈଳାସ ଚନ୍ଦ୍ର ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଉତ୍ସବରେ ଅତିଥି ଭାବେ ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷକ ମାନେ ଯୋଗ ଦେଇଥିଲେ । ଅବସରପ୍ରାପ୍ତ ଶିକ୍ଷକ ଦେବେନ୍ଦ୍ର ନାଥ ଦାଶ, ଲକ୍ଷ୍ମଣ କୁମାର ପଣ୍ଡା, ମନମୋହନ ସ୍ୱାଇଁ, ଜଟାଧାରୀ ପ୍ରଧାନ ଓ ଭୁବନାନନ୍ଦ ବିଶ୍ୱାଳ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ମହାପୁରୁଷ ନେତାଜୀ ସୁଭାଷ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଦେଶପ୍ରେମ ତ୍ୟାଗ ଓ ସମାଜସେବା ଉପରେ ଆଲୋକପାତ କରି ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବୋଧନ କରିଥିଲେ । ମହାପୁରୁଷ ମାନଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ନିଜ ଜୀବନକୁ ସମାଜ ପାଇଁ ତ୍ୟାଗ କରିବା ପାଇଁ ଦିଗଦର୍ଶନ ଦେଇଥିଲେ । କ୍ରୀଡା ଓ କଳା ଆଦି ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମରେ ଭାଗ ନେବା ଦ୍ୱାରା ନିଜର ଅନ୍ତର୍ନିହିତ ଗୁଣ ଓ ଶକ୍ତିର ଆଧାର ପ୍ରଦର୍ଶିତ ହୁଏ ବୋଲି ଅତିଥି ମାନେ କହିଥିଲେ । ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ତିନୋଟି ଗ୍ରୁପ ଅନୁଯାୟୀ ମୋଟ ମୋଟ ୪୬ଟି ପ୍ରତିଯୋଗିତା ହୋଇଥିଲା । ଅତିଥି ମାନେ ସର୍ବମୋଟ ୧୩୯ଜଣ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । କ୍ରୀଡ଼ା ବିଭାଗର ୩ଟି ଗ୍ରୁପର ୬ ଜଣ କୃତି ଛାତ୍ରଛାତ୍ରୀ ମାନଙ୍କୁ ଚମ୍ପିୟାନ ଟ୍ରଫି ପ୍ରଦାନ କରାଯାଇଥିଲା । ଶେଷ ପର୍ଯ୍ୟାୟରେ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ ନୃତ୍ୟ ଓ ଗୀତ ପରିବେଷଣ କରାଯାଇଥିଲା । ଉତ୍ସବକୁ ସହକାରୀ ଶିକ୍ଷୟତ୍ରୀ ଲକ୍ଷ୍ମୀପ୍ରିୟା ମୁଦୁଲି ସଂଯୋଜନା କରିଥିଲେ । ଶିକ୍ଷୟତ୍ରୀ ରାଜଶ୍ରୀ ଦାଶ, ଶିକ୍ଷକ ତପନ ପାଢ଼ୀ, ରାଜକିଶୋର ସେନାପତି, ବିଶ୍ୱଜିତ ରାଉତରାୟ, କ୍ରୀଡ଼ା ଶିକ୍ଷକ ରାଜୀବ ରଂଜନ ଦାଶ ପ୍ରମୁଖ ପରିଚାଳନା କରିଥିଲା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ ।
