୬୦୬ ଆସିଷ୍ଟାଣ୍ଟ ପ୍ରଫେସର ପଦ ଲାଗି ବିଜ୍ଞପ୍ତି ପ୍ରକାଶ : ବିନା ଲିଖିତ ପରୀକ୍ଷାରେ ଚୟନ କରାଯିବ
ଭୁବନେଶ୍ୱର : ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ରାଜ୍ୟର ବିଭିନ୍ନ ସରକାରୀ ଡିଗ୍ରୀ କଲେଜ ଗୁଡିକରେ ଓଇଏସ୍ ବର୍ଗର ୬୦୬ ଆସିଷ୍ଟାଣ୍ଟ ପ୍ରଫେସର(ଗ୍ରୁପ୍-ଏ) ପଦ ପୂରଣ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି । ବିନା ଲିଖିତ ପରୀକ୍ଷାରେ ଚୟନ କରାଯିବ । କେବଳ କ୍ୟାରିୟର ମାର୍କିଂ ଓ ସାକ୍ଷାତକାର ମାର୍କିଂ ଅଧାରରେ ଚୟନ କରାଯିବ । ଆବେଦନ ପ୍ରକ୍ରିୟା ଆସନ୍ତା ଅକ୍ଟୋବର ୨୬ ତାରିଖରୁ ଆରମ୍ଭ ହେବ । ଆଶାୟୀ ପ୍ରାର୍ଥୀ ଅକ୍ଟୋବର ୨୬ ତାରିଖରୁ ନଭେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ପଞ୍ଜୀକରଣ ଓ ପରୀକ୍ଷା ଫି ଦାଖଲ କରିପାରିବେ । ଏହି ପଦ ପାଇଁ ଆଶାୟୀ ପ୍ରାର୍ଥୀ ପିଜି(ସ୍ନାତକୋତ୍ତର) ସହିତ ନେଟ୍ରେ ଉତୀର୍ଣ୍ଣ ହୋଇଥିବା ଆବଶ୍ୟକ । ପିଏଚ୍?ଡି ହାସଲ କରିଥିବା ଛାତ୍ରଛାତ୍ରୀ ମଧ୍ୟ ଉପରୋକ୍ତ ପଦ ପାଇଁ ଆବେଦନ କରି ପାରିବେ ବୋଲି ଓପିଏସସି ପକ୍ଷରୁ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ତେବେ ଏହି ପଦ ପାଇଁ ଛାତ୍ରାଛାତ୍ରୀଙ୍କୁ ଲିଖତ ପରୀକ୍ଷା ଦେବାକୁ ପଡ଼ିବ ନାହିଁ ।
ଏଭଳି ନିଯୁକ୍ତି ବିଜ୍ଞପ୍ତିକୁ ନେଇ ଆଶାୟୀ ହତାଶ ହୋଇ ପଡ଼ିଛନ୍ତି । ବର୍ତ୍ତମାନ ସ୍ଥିତିରେ ପ୍ରାୟତଃ ସମସ୍ତ ନିଯୁକ୍ତି ପରୀକ୍ଷାରେ ପ୍ରଥମେ ଲିଖିତ ପରୀକ୍ଷା କରାଯାଉଥିବା ବେଳେ ଓଇଏସ୍ ବର୍ଗର କି ଆସିଷ୍ଟାଣ୍ଟ ପ୍ରଫେସର (ଗ୍ରୁପ୍-ଏ) ଭଳି ଗୁରୁତ୍ୱପୂର୍ଣ୍ଣ ପାଇଁ ଲିଖିତ ପରୀକ୍ଷାକୁ ବାଦ୍ ଦିଆଯିବା ଛାତ୍ରଛାତ୍ରୀଙ୍କୁ ଚକିତ କରିଛି । କେବଳ ସାକ୍ଷାତକାରକୁ ଭିତିକରି ଏହି ନିଯୁକ୍ତି ହେବାକୁ ଥିବାବେଳେ ସମ୍ପୃକ୍ତ ପରୀକ୍ଷା ପରିଚାଳନାର ସ୍ୱଚ୍ଛତା ନେଇ ଆଶାୟୀ ପ୍ରାର୍ଥୀମାନେ ପ୍ରଶ୍ନ ଉଠାଇଛନ୍ତି । ତେଣୁ ଉଭୟ ଲିଖିତ ଓ ସାକ୍ଷାତକାର ଭିତିରେ ପଦ ପାଇଁ ପ୍ରାର୍ଥୀ କରାଯିବା ନେଇ ଆଶାୟୀ ପ୍ରାର୍ଥୀମାନେ ଦାବି କରିଛନ୍ତି । ସୂଚନା ଯେ, ସମ୍ପୃକ୍ତ ନିଯୁକ୍ତିର ମୂଲ୍ୟାୟନ ଶହେ ମାର୍କକୁ ନେଇ ହେବାକୁ ଥିବାବେଳେ କ୍ୟାରିୟର ମାର୍କ ପାଇଁ ୮୪ ନମ୍ବର, ଗବେଷଣା ଓ ପ୍ରକାଶନ ପାଇଁ ୬ ଓ ଶିକ୍ଷାଦାନ ଅଭିଜ୍ଞତା ପାଇଁ ୧୦ ମାର୍କ ରହିଛି । ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ପ୍ରାର୍ଥୀଙ୍କୁ ଚୟନ କରାଯିବ ।
