ରାଜ୍ୟରେ ନୂଆ ଅବକାରୀ ପଲିସୀ ଘୋଷଣା : ବଢ଼ିବ ଲାଇସେନ୍ସ ଫି, ମହଙ୍ଗା ହେବ ମଦ ଦର
ଭୁବନେଶ୍ୱର : ରାଜ୍ୟରେ ଘୋଷଣା ହେଲା ନୂଆ ଅବକାରୀ ପଲିସୀ । ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ନୂଆ ଅବକାରୀ ପଲିସୀ ଘୋଷଣା କରିଛି ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ। ନୂଆ ଅବକାରୀ ନୀତି ଅନୁସାରେ ଗ୍ରାମାଞ୍ଚଳରେ ଖୋଲିବନି ନୂଆ ମଦ ଦୋକାନ। ସେହିପରି ହୋଟେଲ୍କୁ ମିଳିବ ବାରର ଅନୁମତି । ବଢ଼ିବ ଲାଇସେନ୍ସ ଫି । ମହଙ୍ଗା ହେବ ମଦ ଦର ।
ଆସନ୍ତା ଏପ୍ରିଲ ପହିଲାରୁ ରାଜ୍ୟରେ ଭାରତରେ ପ୍ରସ୍ତୁତ ବିଦେଶୀ ମଦ(ଆଇଏମଏଫଏଲ) ଦର ବୃଦ୍ଧି ପାଇବ । ରାଜ୍ୟ ସରକାର ଆଇଏମଏଫଏଲ୍ ଉପରେ ଅବକାରୀ ଶୁଳ୍କ(ଏକ୍ସାଇଜ୍ ଡ୍ୟୁଟି)ରେ ସାମାନ୍ୟ ବୃଦ୍ଧି କରିଛନ୍ତି। ଏହାସହିତ ଆସନ୍ତା ଆର୍ଥିକ ବର୍ଷରେ ରାଜ୍ୟରେ ନୂଆ ଅଫ୍ ସପ୍ ମଦ ଦୋକାନ ଖୋଲିବା ପାଇଁ ଅନୁମତି ମିଳିବ ନାହିଁ । ସମସ୍ତ ପ୍ରକାରର ଅଫ-ସପ୍ ମଦ ଦୋକାନ ସଂଖ୍ୟା ବୃଦ୍ଧି ଉପରେ କଟକଣା ଜାରି ହୋଇଛି । ତେବେ ଏସବୁ ଦୋକାନର ନବୀକରଣ ପାଇଁ ସରକାର ଅନୁମତି ଦେଇଛନ୍ତି । ସେହିପରି ୨୦୨୩-୨୪ ଆର୍ଥିକ ବର୍ଷରେ ଗ୍ରାମାଂଚଳରେ କୌଣସି ପ୍ରକାରର ଅନ୍ ସପ୍ ଲାଇସେନ୍ସ ପ୍ରଦାନ ନିମନ୍ତେ ନୂଆ ଆବେଦନ ଗ୍ରହଣ କରାଯିବ ନାହିଁ । କେବଳ ସହରାଂଚଳରେ ତାରକା ହୋଟେଲ ଓ ଅନ୍ୟ ହୋଟେଲଗୁଡ଼ିକର ରୁମ୍ ସଂଖ୍ୟାକୁ ଦୃଷ୍ଟିରେ ରଖି ଅବକାରୀ କମିଶନର ଅନ୍ ସପ୍ ଲାଇସେନ୍ସ ପ୍ରଦାନ କରିପାରିବେ । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ଜାରି କରିଥିବା ଅବକାରୀ ନୀତିରେ ଏହା ଉଲ୍ଲେଖ ରହିଛି ।
ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଜାରି ହୋଇଥିବା ନୂଆ ଅବକାରୀ ନୀତି ଆସନ୍ତା ଏପ୍ରିଲ ୧ରୁ ୨୦୨୪ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ନୂଆ ଅବକାରୀ ନୀତିରେ ରାଜ୍ୟ ସରକାର ଲାଇସେନ୍ସ ଫି’, ଏମଜିକ୍ୟୁ (ସର୍ବନିମ୍ନ ନିଶ୍ଚିତ ପରିମାଣ), ମଦ ପ୍ରସ୍ତୁତ ପାଇଁ ଆବେଦନ ଫି’, ଯୋଗାଣକାରୀ ଓ ରିଟେଲର ଫି’ରେ ସାମାନ୍ୟ ବୃଦ୍ଧି କରିଛନ୍ତି । ଅନ୍ ସପ୍ ମଦଦୋକାନକୁ ଅଫ୍ ସପ୍ ଭଳି କାଉଣ୍ଟର ବିକ୍ରି ଉପରେ କଟକଣା ଜାରି ହୋଇଛି । ସମସ୍ତ ଅଫ ସପ୍, ଅନ ସପ୍ ଲାଇସେନ୍ସଧାରୀଙ୍କୁ ସବୁ ପରିମାଣର ବିଦେଶୀ ମଦ ନେବାକୁ ପଡ଼ିବ । ତେବେ କେବଳ ଏଫଏଲ୍ ଅନ୍ ଲାଇସେନ୍ସଧାରୀଙ୍କୁ ଓଡ଼ିଶା ମଦ ନିଗମରୁ କେଜ୍ ବିୟର ଉଠାଇବାକୁ ଅନୁମତି ରହିଛି ।
ବିୟର ପାର୍ଲରଗୁଡ଼ିକ ବିୟର ବିକ୍ରି ସହ ୱାଇନ୍ ମଧ୍ୟ ବିକ୍ରି କରିପାରିବେ । ଏହାସହିତ ଦେଶରେ ପ୍ରସ୍ତୁତ ବିଦେଶୀ ମଦ( ଆଇଏମଏଫଏଲ) ଉପରେ ଅବକାରୀ ଟିକସ ସାମାନ୍ୟ ବୃଦ୍ଧି କରିଛନ୍ତି । ତେବେ ବିଦେଶରେ ପ୍ରସ୍ତୁତ ବିଦେଶୀ ମଦ(ଏଫଏମଏଫଏଲ୍ ) , ୱାଇନ୍ ଓ ବିୟର ଦର ଅପରିବର୍ତ୍ତିତ ରହିବ । ରାଜ୍ୟ ସରକାର ଇଜି ଅଫ ଡୁଇଙ୍ଗ ବିଜିନେସକୁ ପ୍ରୋତ୍ସାହିତ କରିବା ନିମନ୍ତେ ପରମିଟ୍, ଲାଇସେନ୍ସ, ପେମେଣ୍ଟ ଆଦି ଫାଇଭ-ଟିକୁ କାର୍ଯ୍ୟକାରୀ କରିଛନ୍ତି । ଗୁଇନ୍ଦା ତଥ୍ୟ ଆଧାରରେ ଜ୍ଞାନକୌଶଳର ଉପଯୋଗ କରାଯାଇ ମଦ ଚୋରାଚାଲାଣ ଓ ବିକ୍ରିକୁ ଉପରେ ନିୟନ୍ତ୍ରଣକୁ କଡ଼ାକଡ଼ି କରାଯିବ ।
