ସଡ଼କ ଦୁର୍ଘଟଣାରେ ଚାଲିଗଲେ ଆଣ୍ଡ୍ରୁ ସାଇମଣ୍ଡସ
ମେଲବୋର୍ଣ୍ଣ : ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ଆଣ୍ଡ୍ରୁ ସାଇମଣ୍ଡସଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ମାତ୍ର ୪୬ ବର୍ଷ ବୟସରେ ଆଖି ବୁଜି ଛନ୍ତି ସାଇମଣ୍ଡସ । ଏକ କାର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ସାଇମଣ୍ଡସ । ସାଇମଣ୍ଡସ ୨୬ଟି ଟେଷ୍ଟ, ୧୯୮ଟି ଦିନିକିଆ ଓ ୧୪ଟି ଟି୨୦ ଆନ୍ତର୍ଜାତିକୀ ଖେଳିଥିଲେ । ୨୦୦୮ରେ ଅଷ୍ଟ୍ରେଲିଆ-ଭାରତ ଟେଷ୍ଟ ସିରିଜରେ ସାଇମଣ୍ଡସ -ହରଭଜନ ସିଂହ ବିବାଦ ବେଶ ଚର୍ଚ୍ଚିତ ହୋଇଥିଲା । ପରେ ସେ ଓ ହରଭଜନ ଗୋଟିଏ ଆଇପିଏଲ ଟିମ୍ ପାଇଁ ଖେଳିଥିଲେ ।
ଅଷ୍ଟ୍ରେଲିଆର ଅନ୍ୟତମ ପ୍ରସିଦ୍ଧ କ୍ରିକେଟର ଆଣ୍ଡ୍ର୍ୟୁ ସାଇମଣ୍ଡସ ଅକାଳ ବିୟୋଗ ଘଟିଛି । ଶନିବାର ରାତିରେ କୁଇନ୍ସଲ୍ୟାଣ୍ଡରେ ଏକ କାର ଦୁର୍ଘଟଣାରେ ସେ ପ୍ରାଣ ହରାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୬ ବର୍ଷ ହୋଇଥିଲା । ରଏଟରେ ପ୍ରକାଶିତ ଖବର ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ କାରରେ ସାଇମଣ୍ଡସ ଏକା ଥିଲେ । ସେ ନିଜେ କାର୍ ଚଲାଉଥିଲେ । କାର୍ଟି ରାସ୍ତାରୁ ଖସି ଓଲଟି ପଡ଼ିଥିଲା । ତାଙ୍କ ଅକାଳ ବିୟୋଗରେ ଆଇସିସି ପକ୍ଷରୁ ଟ୍ୱିଟ୍ କରାଯାଇ ଶୋକ ପ୍ରକଟ କରାଯାଇଛି ଓ ତାଙ୍କ ପରିବାରକୁ ସମବେଦନା ଜଣାଯାଇଛି । ସାଇମଣ୍ଡଙ୍କ ପରଲୋକରେ ବହୁ କ୍ରିକେଟ୍ର ଦୁଃଖ ପ୍ରକାଶ କରିଛନ୍ତି । ସାଇମଣ୍ଡସ ଅଷ୍ଟ୍ରେଲିଆ ପକ୍ଷରୁ ୨୬ଟି ଟେଷ୍ଟ ଖେଳିଥିଲେ । ଟେଷ୍ଟ୍ ମ୍ୟାଚ୍ରେ ସେ ୧୪୬୨ ରନ୍ କରିଥିଲେ, ଯେଉଁଥିରେ ୨ଟି ଶତକ ଓ ୧୦ଟି ଅର୍ଦ୍ଧଶତକ ରହିଛି । ସେହିପରି ସେ ୧୯୮ଟି ଦିନିକିଆ ମ୍ୟାଚ୍ ଖେଳି ୫,୦୮୮ ରନ୍ ସଂଗ୍ରହ କରିଥିଲେ । ଏଥି ୬ଟି ଶତକ ଓ ୩୦ଟି ଅର୍ଦ୍ଧଶତକ ରହିଛି । ଦଳ ପକ୍ଷରୁ ସେ ୧୪ଟି ଟି-ଟ୍ୱେଂଟି ଖେଳି ୩୩୭ ରନ୍ କରିଥିଲେ । ସାଇମଣ୍ଡସ ଆଇପିଏଲ୍ ମଧ୍ୟ ଖେଳିଥିଲେ । ଆଇପିଏଲ୍ରେ ସେ ୩୯ଟି ମ୍ୟାଚ୍ ଖେଳି ୯୭୪ ରନ୍ କରିଥିଲେ, ଯେଉଁଥିରେ ଗୋଟିଏ ଶତକ ଓ ୫ଟି ଅର୍ଦ୍ଧଶତକ ରହିଛି । ୨୦୦୪ରେ ଶ୍ରୀଲଙ୍କା ବିରୋଧରେ ଟେଷ୍ଟ ଡେବ୍ୟୁ କରିଥିଲେ ସାଇମଣ୍ଡସ । ୨୦୦୮ରେ ଦକ୍ଷିଣ ଆଫ୍ରିକା ବିରୋଧରେ ସେ ଖେଳିଥିଲେ ତାଙ୍କ କ୍ୟାରିୟରର ଶେଷ ଟେଷ୍ଟ୍ ମ୍ୟାଚ୍ । ସେହିପରି ୧୯୯୮ରେ ସେ ପାକିସ୍ତାନ ବିପକ୍ଷରେ ଦିନିକିଆରେ ଡେବ୍ୟୁ କରିଥିଲେ । ଆଉ ୨୦୦୯ରେ ପାକିସ୍ତାନ ବିପକ୍ଷରେ ତାଙ୍କ ଦିନିକିଆ କ୍ୟାରିୟରର ଶେଷ ମ୍ୟାଚ୍ ମଧ୍ୟ ଖେଳିଥିଲେ ।
ସୂଚନା ଯେ, ଏହା ପୂର୍ବରୁ ଗତ ମାର୍ଚ୍ଚ ମାସରେ ଅଷ୍ଟ୍ରେଲିଆରୁ ଆସିଥିଲା ଆଉ ଦୁଇଟି ଦୁଃଖଦ ଖବର । ମାତ୍ର ୫୨ ବର୍ଷରେ କିମ୍ବଦନ୍ତୀ କ୍ରିକେଟର ଶେନ୍ ୱାର୍ଣ୍ଣଙ୍କ ପରଲୋକ ହୋଇଥିଲା । ହୃଦଘାତରେ ସେ ପ୍ରାଣ ହରାଇଥିଲେ । ଶେନ୍ ୱାର୍ଣ୍ଣଙ୍କ ପୂର୍ବରୁ ସେହି ଦିନ ଅଷ୍ଟ୍ରେଲିଆର ଅନ୍ୟତମ ଜଣାଶୁଣା କ୍ରିକେଟର ରୋଡ୍ ମାର୍ଶଙ୍କର ପରଲୋକ ହୋଇଥିଲା ।
