ଆଣ୍ଡାମାନ ଛୁଇଁଲା ମୌସୁମୀ, ତାତିରୁ ମିଳିବ ମୁକ୍ତି
ରଜ ସୁଦ୍ଧା ଓଡ଼ିଶା ଛୁଇଁବା ସମ୍ଭାବନା
ନୂଆଦିଲ୍ଲୀ: ଆଣ୍ଡାମାନ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ପ୍ରବେଶ କରିଛି । ଯେହେତୁ ମୌସୁମୀ ଆଣ୍ଡାମାନ ଛୁଇଁସାରିଛି ତେଣୁ ଖୁବଶୀଘ୍ର ଦେଶବାସୀ ତାତିରୁ ମୁକ୍ତି ପାଇବେ । ତେବେ ଓଡ଼ିଶାରେ ରଜ ସୁଦ୍ଧା ମୌସୁମୀ ଆସିବ। ଆଗାମୀ ୩ ରୁ ୪ ଦିନ ଭିତରେ ବଙ୍ଗପୋସାଗରରେ ଗତିକୁ ନେଇ ମୌସୁମୀର ପ୍ରଭାବ ନିର୍ଭର କରେ । ଏନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ଅନ୍ୟପଟେ ତାତିରୁ ମୁକ୍ତି ଦେବାକୁ ମୌସୁମୀ ପୂର୍ବରୁ ଆସୁଛି ଆଉ ଏକ ଲଘୁଚାପ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୧୯ ତାରିଖ ସୁଦ୍ଧା ଏହି ଲଘୁଚାପ ସୃଷ୍ଟି ହେବାର ଆକଳନ କରାଯାଇଛି । ଏହା ଦିନେ କିମ୍ବା ୨ଦିନ ମଧ୍ୟରେ ଆଣ୍ଡାମାନ ସାଗର ଅଂଚଳକୁ ପ୍ରବେଶ କରିବ । ତାପରେ ରୁପରେଖ ଏବଂ ପରବର୍ତି ପ୍ରଭାବ ସମ୍ପର୍କରେ ଜଣାପଡ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । କିନ୍ତୁ ଏହା ଅଧିକ ଘନୀଭୁତ ହୋଇନପାରେ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ.ଆର ବିଶ୍ୱାସ ସୂଚନା ଦେଇଛନ୍ତି । ଏସବୁ ଭିତରେ ଆସନ୍ତାକାଲି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ବର୍ଷା ସମ୍ଭାବନା ।
