ପୁଣି କମ୍ପିବ ରଙ୍ଗମଞ୍ଚ, ଦୁଲୁକିବ ପେଣ୍ଡାଲ : ରାଜ୍ୟରେ ଯାତ୍ରା, ମେଲୋଡି ଓ ଅପେରାକୁ ଗ୍ରୀନ ସିଗନାଲ
ଭୁବନେଶ୍ୱର : ରାଜ୍ୟରେ ଯାତ୍ରା, ମେଲୋଡି ଓ ଅପେରାକୁ ମିଳିଛି ଗ୍ରୀନ ସିଗନାଲ । ଆଗଭଳି ପୁଣି କମ୍ପିବ ରଙ୍ଗମଞ୍ଚ । ଦୁଲୁକିବ ପେଣ୍ଡାଲ । ମୁହଁରେ ରଙ୍ଗ ମାଖି ଦର୍ଶକଙ୍କ ମନ କିଣିବେ କଳାକାର । ରଙ୍ଗମଞ୍ଚ ଖୋଲିବା ନେଇ ଆଜି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଯାହାକୁ ନେଇ ଦୀର୍ଘ ଦିନ ଧରି କୋରୋନା ପାଇଁ କଷଣ ଭୋଗୁଥିବା ଯାତ୍ରା କଳାକାର ଖୁସିରେ ବିଭୋର ହୋଇଯାଇଛନ୍ତି । ଏ ନେଇ ଏସଆରସିଙ୍କ ପକ୍ଷରୁ ନୂଆ ଗାଇଡ୍ ଲାଇନ୍ ଜାରି ହୋଇଛି । କୋଭିଡ୍ କଟକଣା ମଧ୍ୟରେ ଏହିସବୁ କାର୍ଯ୍ୟକ୍ରମ ଚାଲିବ। ଆଜିଠାରୁ ଏହି ଗାଇଡଲାଇନ୍ ଲାଗୁ ହୋଇଛି। ଅନଲାଇନରେ କିମ୍ବା ଅଧିକ କାଉଣ୍ଟରରେ ଟିକେଟ ବୁକିଂ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯାତ୍ରା, ଅପେରା ଓ ଡ୍ରାମା ପାଇଁ ଜିଲ୍ଲାପାଳ, ଏସ୍ ପି କିମ୍ବା ମ୍ୟୁନିସପାଲ କମିଶନରଙ୍କ ଅନୁମତି ନେବା ଜରୁରୀ । ଖୋଲା ପଡ଼ିଆରେ ୨ ହଜାର ଲୋକ ସାମାଜିକ ଦୂରତ୍ବା ରକ୍ଷା କରିପାରିବେ।
ସୂଚନା ଯେ, ରାଜ୍ୟର କରୋନା ସଂକ୍ରମଣ ବୃଦ୍ଧି ଲାଗି ଅନେକ କାର୍ଯ୍ୟକ୍ରମ ଉପରେ ରୋକ୍ କଟକଣା ଲଗାଯାଇଥିଲା । କିନ୍ତୁ ଏବେ ସଂକ୍ରମଣ କମିବା ପରେ ସମସ୍ତ କାର୍ଯ୍ୟକ୍ରମକୁ ଧୀରେ ଧୀରେ ଅନୁମତି ଦେବା ଆରମ୍ଭ କଲେଣି ରାଜ୍ୟ ସରକାର । କିଛି ଦିନ ତଳେ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ସମସ୍ତ ସିନେମା ହଲ୍ ଖୋଲିବାକୁ ଅନୁମତି ଦେଇଥିଲା ରାଜ୍ୟ ସରକାର । ଆଉ ଏବେ ରାଜ୍ୟରେ ଯାତ୍ରା, ଅପେରା, ଡ୍ରାମା ଏବଂ ମେଲୋଡ଼ି କାର୍ଯ୍ୟକ୍ରମ ଲାଗି ଗ୍ରୀନ୍ ସିଗ୍ନାଲ୍ ଦେଇଛନ୍ତି ସରକାର । ଯାତ୍ରା, ଅପେରା, ଡ୍ରାମା, ମେଲୋଡି ଆଦି ପାଇଁ ନୂଆ ଗାଇଡ଼ଲାଇନ୍ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଏହିଭଳି କାର୍ଯ୍ୟକ୍ରମ ଲାଗି ଖୋଲା ପଡିଆରେ ୨ ହଜାର ଲୋକ ସାମାଜିକ ଦୂରତା ରଖି ବସିପାରିବେ। ଅନଲାଇନ୍ରେ କିମ୍ବା ଅଧିକ କାଉଣ୍ଟର ଖୋଲି ଟିକେଟ୍ ବୁକିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏତଦ୍ ବ୍ୟତୀତ ଇଣ୍ଡୋର ହଲ୍ରେ ବସିବା କ୍ଷମତା ୫୦ ପ୍ରତିଶତ ରଖାଯାଇଛି। କ୍ଷମତା ଠାରୁ ଅଧିକ ଲୋକଙ୍କୁ ବସିବା ପାଇଁ ଅନୁମତି ମିଳିବ ନାହିଁ। ସ୍ଥାନୀୟ ପରିସ୍ଥିତିକୁ ଦେଖି କର୍ତ୍ତୃପକ୍ଷଙ୍କୁ ମଧ୍ୟ ସଂଖ୍ୟା ନିର୍ଦ୍ଧାରଣ କରିବା ପାଇଁ କ୍ଷମତା ଦିଆଯାଇଛି। ସେହିପରି ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ୍ ଖୋଲିବାକୁ ଅନୁମତି ଦିଆଯାଇଛି।
