ପୁଣି ଅଲୋଡା ଶିଶୁ କନ୍ୟା; କାଜୁ ଜଙ୍ଗଲରୁ ଉଦ୍ଧାର
କେନ୍ଦୁଝର: ଆଜିର ଦିନରେ ମଧ୍ୟ ଲୋକଙ୍କ ମନରେ ପୁଅ-ଝିଅ ଭେଦଭାବ ଭରି ରହିଛି । ଏବେ ବି ଲୋକାମନେ ଝିଅଙ୍କୁ ଅଯୋଗ୍ୟ ଏବଂ ଅଲୋଡା ମନେ କରୁଛନ୍ତି । ବିଭିନ୍ନ ସ୍ଥାନରେ ଶିଶୁକନ୍ୟାଙ୍କୁ ପିଙ୍ଗି ଦିଆଯାଉଥିବାର ଦେଖିବାକୁ ମିଳୁଥିବା ବେଳେ ଅନେକ ସ୍ଥାନରେ ନବଜାତ ଶିଶୁର ମୃତଦେହ ଦେଖିବାକୁ ମିଳୁଛି । ଏହିଭଳି ଏକ ହୃଦୟ ବିଦାରକ ଓ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲା ସାହାରାପଡା ବ୍ଲକ ଗୁଣ୍ଡୁଳା ଗ୍ରାମରୁ ।
କାଜୁ ଜଙ୍ଗଲରେ ଶିଶୁ କନ୍ୟାକୁ ଫିଙ୍ଗି ଦେଇଛନ୍ତି ମା’ବାପା । ସୌଭାଗ୍ୟବଶତଃ ପିଲାଟିର ବିଶେଷ କୌଣସି କ୍ଷତି ହୋଇ ନାହିଁ । ଜଙ୍ଗଲର ଜୀବଜନ୍ତୁଙ୍କ କବଳରୁ ରକ୍ଷା ପାଇବା ପରେ ସ୍ଥାନୀୟ ଲୋକଙ୍କ ନଜରରେ ପଡିଥିଲା ଏହି ଶିଶୁ କନ୍ୟା । ଜଙ୍ଗଲରେ ଶିଶୁ କନ୍ୟାଟିକୁ ଏମିତି ଅବସ୍ଥାରେ ଦେଖି କିଛି ସ୍ଥାନୀୟ ଲୋକେ ପାଟଣା ଥାନାକୁ ଖବର ଦେଇଥିଲେ । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁ କନ୍ୟାକୁ ଉଦ୍ଧାର କରିବା ସହ ପାଟଣା ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଛି ।
