କଟକ ଉନ୍ନୟନକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ସପ୍ତାହେ ମଧ୍ୟରେ ଆରମ୍ଭ ହେବ ଚଣ୍ଡୀମନ୍ଦିର ବିକାଶ କାର୍ଯ୍ୟ
କଟକ : ଏସସିବି ମେଡିକାଲ କଲେଜ ଓ ହାସପାତାଳର ଉନ୍ନତିକରଣ ଏବଂ ଚଣ୍ଡୀ ମନ୍ଦିର ଓ ଏହାର ପରିସରର ବିକାଶ କାର୍ଯ୍ୟ ସମ୍ପର୍କରେ ଆଜି ଏସସିବିର ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଟକ ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ଅଧ୍ୟକ୍ଷ ଅନିଲ କୁମାର ସାମଲ ପୈାରୋହିତ୍ୟ କରିଥିଲେ । ବୈଠକରେ ନିର୍ମାଣ ଦାୟିତ୍ୱରେ ଥିବା ଏଲଆଣ୍ଡଟି ଓ ନାଗାର୍ଜୁନ ସଂସ୍ଥାକୁ ଧାର୍ଯ୍ୟ ସମୟସୀମା ମଧ୍ୟରେ କାମ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଆବଶ୍ୟକ ପଡୁଥିବା ଜମି ତୁରନ୍ତ ଅଧିଗ୍ରହଣ କରିବା ପାଇଁ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯିବା ସହ ରେଡକ୍ରସ ଓ ଷ୍ଟାଫ କ୍ୱାଟର୍ସସ୍, ମଙ୍ଗଳାବାଗ ଥାନାର ସ୍ଥାନାନ୍ତର ଯଥାଶୀଘ୍ର କରିବାକୁ ବୈଠକରେ ନିଷ୍ପତି ହୋଇଥିଲା । ଏହାଛଡା ଚର୍ମ ନିଗମ କାର୍ଯ୍ୟାଳୟର ଦୁଇ ଏକର ପରିମିତ ଜମିରେ ଏକ ଗ୍ରୀଡ୍ ସ୍ଥାପନ ପାଇଁ ଓପିଟିସିଏଲକୁ ଦାୟିତ୍ୱ ଦିଆଯାଇଛି । ଚଣ୍ଡୀମନ୍ଦିରର ବିକାଶ ପ୍ରକଳ୍ପର କାର୍ଯ୍ୟ ଏକ ସପ୍ତାହ ମଧ୍ୟରେ ଆରମ୍ଭ କରିବାକୁ ନିଷ୍ପତି ନିଆଯାଇଥିଲା ବେଳେ ଶୈଳବାଳା କଲେଜ ପରିସର ମଧ୍ୟଦେଇ ନୂତନ ରାସ୍ତାର ନିର୍ମାଣ କାର୍ଯ୍ୟ ଉପରୋକ୍ତ ସମୟ ମଧ୍ୟରେ ଆରମ୍ଭ କରାଯିବ । ସେହିପରି ନିକଟରେ ଥିବା ବିଦ୍ୟୁତ ଟ୍ରାନ୍ସଫରମର, ପାଣି ପାଇପଗୁଡିକୁ ସ୍ଥାନାନ୍ତର କରାଯିବ । ମନ୍ଦିର ସଂଲଗ୍ନ ପୁରୁଣା ଢାଂଚାକୁ ମଧ୍ୟ ଭଙ୍ଗାଯିବ । ଏସବୁ କାମ ଏକ ମାସ ମଧ୍ୟରେ ଶେଷ କରିବା ପାଇଁ ନିଷ୍ପତି ନିଆଯିବା ସହ କଟକ ଚଣ୍ଡୀମନ୍ଦିରର ବିକାଶ ପ୍ରକଳ୍ପକୁ ୮ମାସ ଭିତରେ କାର୍ଯ୍ୟକ୍ଷମ କରାଯିବ । ସେହିପରି ଏସସିବି ଫେଜ-୧ ଅଧିନରେ ଚାଲିଥିବା ନିର୍ମାଣ କାର୍ଯ୍ୟକୁ ୨୦୨୪ ଜାନୁଆରୀ ପହିଲା ସୁଦ୍ଧା ଶେଷ କରାଯିବ । ସୂଚନାଯୋଗ୍ୟ ଯେ, ଏବେ ଫେଜ-୧ରେ ଦୁଇଟି କ୍ଲିନିକାଲ ସହ ୧୩ଟି ରେସିଡେନ୍ସଆଲ ବ୍ଲକ ର ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ଏହି ସମୀକ୍ଷା ବୈଠକରେ ଆରଡିସି ସୁରେଶ ଚନ୍ଦ୍ର ଦଳାଇ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ଡିସିପି ପିନାକ ମିଶ୍ର, ଏସସିବି ଅଧିକ୍ଷକ ଡା. ଲୁସି ଦାସଙ୍କ ସମେତ ବିଭିନ୍ନ ବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନେ ଯୋଗଦେଇଥିଲେ ।
