ଟି-୨୦ରେ ରୋହିତ ଶର୍ମାଙ୍କ ନାମରେ ଯୋଡ଼ି ହେଲା ଲଜ୍ଜାଜନକ ରେକର୍ଡ, ଏପରି କରିଥିବା ପ୍ରଥମ ଭାରତୀୟ ଖେଳାଳି
ନୂଆଦିଲ୍ଲୀ : ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ଫର୍ମ ଦଳ ପାଇଁ ସାମାନ୍ୟ ଚିନ୍ତାର କାରଣ ପାଲଟିଛି । କାରଣ ରୋହିତ ଶର୍ମା ଦଳ ପାଇଁ ଓପନର୍ ଭାବରେ ମୈଦାନକୁ ଓହ୍ଲାନ୍ତି । ଯଦି ଆମେ ଅଧିନାୟକ ରୋହିତ ଶର୍ମାଙ୍କ ଶେଷ ୧୦ଟି ମ୍ୟାଚର ରେକର୍ଡକୁ ଦେଖିବା ତେବେ ସେ କେବଳ ଗୋଟିଏ ଇନିଂସରେ ହିଁ ଅର୍ଦ୍ଧଶତକ ହାସଲ କରିବାରେ ସକ୍ଷମ ହୋଇଛନ୍ତି । କିନ୍ତୁ ଏହା ବ୍ୟତୀତ ତାଙ୍କ ପୂର୍ବ ଇନିଂସରେ ସେହି ଦମ୍ ଦେଖିବାକୁ ମିଳି ନଥିଲା, ଯାହା ପାଇଁ ରୋହିତ ଶର୍ମା ଜଣାଶୁଣା । ନାଗପୁର ମ୍ୟାଚ୍ରେ ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷରେ ୪୬ ରନର ଏକ ଦମଦାର ଇନିଂସ ଖେଳିଥିଲେ । କିନ୍ତୁ ରୋହିତ ଶର୍ମା ଦଳ ପାଇଁ କ୍ରମାଗତ ଭାବେ ବଡ଼ ସ୍କୋର କରିବାରେ ବିଫଳ ହୋଇଛନ୍ତି ।
ରୋହିତ ଶର୍ମାଙ୍କର ଶେଷ ତିନି ଇନିଂସରୁ ୨ ଇନିଂସରେ ବିନା ଖାତା ଖୋଲି ଆଉଟ ହୋଇଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ରୋହିତ ଶର୍ମା ଶୂନରେ ଆଉଟ ହୋଇଥିଲେ । ସେ ଦ୍ୱିତୀୟ ମ୍ୟାଚରେ ୪୩ ରନ୍ ସଂଗ୍ରହ କରିବାରେ ସଫଳ ହୋଇଥିଲେ । ସେପଟେ ତୃତୀୟ ମ୍ୟାଚରେ ଅଧିନାୟକ ରୋହିତ ଶର୍ମା ଶୂନରେ ଆଉଟ୍ ହୋଇଛନ୍ତି ।
ଏହା ସହ ରୋହିତ ଶର୍ମା ନିଜ ନାମରେ ଏକ ଲଜ୍ଜାଜନକ ରେକର୍ଡ କରିନେଇଛନ୍ତି । ରୋହିତ ଶର୍ମା ପ୍ରଥମ ଏପରି ଭାରତୀୟ ଖେଳାଳି ହୋଇଛନ୍ତି ଯିଏକି ଟି-୨୦ ଇଣ୍ଟରନ୍ୟାସନାଲରେ ଶୂନ ସ୍କୋରରେ ୧୦ ଥର ଆଉଟ୍ ହୋଇଛନ୍ତି । ରୋହିତ ଟି-୨୦ ଇଣ୍ଟରନ୍ୟାସନାଲରେ ସର୍ବାଧିକ ରନ୍ ସ୍କୋରର କରିଥିବା ବ୍ୟାଟ୍ସମ୍ୟାନ । ଭାରତ ପାଇଁ ୧୪୨ଟି ମ୍ୟାଚରେ ରୋହିତ ୩,୭୩୭ ରନ୍ ସଂଗ୍ରହ କରିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ମ୍ୟାଚରେ ରୋହିତ ଶର୍ମା ଖାତା ନ ଖୋଲି ଦୁଇଟି ବଲର ସାମ୍ନା କରି ପାଭିଲିୟନକୁ ଫେରିଥିଲେ । ଏହା ସହ ସେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ସର୍ବାଧିକ ଥର ଶୂନରେ ଆଉଟ୍ ହୋଇଥିବା ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇପାରିଛନ୍ତି । ଏହି ତାଲିକାରେ କେଏଲ ରାହୁଲ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ସେ ୫ ଥର ବିନା ରନ କରି ଆଉଟ୍ ହୋଇଛନ୍ତି । ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି । ସେ ୪ ଥର ବିନା ଖାତା ଖୋଲି ପ୍ୟାଭିଲିୟନକୁ ଫେରିଛନ୍ତି ।
