ଅମିତ ପାଲେକର ଗୋଆରେ ଆପ୍ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ
ନୂଆଦିଲ୍ଲୀ : ଗୋଆ ବିଧାନସଭା ନିର୍ବାଚନ ଲାଗି ଅମିତ ପାଲେକରଙ୍କୁ ଆମ୍ ଆଦମୀ ପାର୍ଟି(ଆପ୍) ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ରୂପେ ଘୋଷଣା କରିଛି । ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୂଚନା ପ୍ରଦାନ କରିଛନ୍ତି ।
ଆପ୍ ଗୋଆରେ ଅମିତ ପାଲେକରଙ୍କୁ ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିଛି। ଅମିତ ପାଲେକର ଜଣେ ବରିଷ୍ଠ ଓକିଲ ତଥା ସାମାଜିକ କର୍ମୀ ଭାବେ ପରିଚିତ। କରୋନାର ଦ୍ୱିତୀୟ ଲହର ସମୟରେ ଯେତେବେଳେ ଗୋଆରେ ଅମ୍ଳଜାନ ଅଭାବ ଯୋଗୁଁ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା, ସେତେବେଳେ ଅମିତ ପାଲେକର ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ ଏବଂ କୋର୍ଟର ହସ୍ତକ୍ଷେପ ଲୋଡିଥିଲେ। ଅମିତ ପାଲେକରଙ୍କ ମା ୧୦ ବର୍ଷ ଧରି ମାର୍ସ ଗାଁର ସରପଞ୍ଚ ରହିଆସିଛନ୍ତି । ଅମିତ ପାରେଲକର ଭଣ୍ଡାରୀ ସମ୍ପ୍ରଦାୟରୁ ଆସିଛନ୍ତି । ଏକ ମାସ ପୂର୍ବରୁ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଥିଲେ ଯେ ଆପ୍ ଭଣ୍ଡାରୀ ସମ୍ପ୍ରଦାୟରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଦେବ । ସୂଚନା ଯେ, ଅମିତ ପାଲେକର ପେଶାରେ ଓକିଲ ହୋଇଥିବାବେଳେ ଗତ ବର୍ଷ ଆମ ଆଦମି ପାର୍ଟିରେ ଯୋଗ ଦେଇଥିଲେ । ଅଲଡ ଗୋଆ ହେରିଟେଜ ସାଇଟରେ ଅବୈଧ ନିର୍ମାଣ ବିରୋଧରେ ଆମରଣ ଅନଶନ କରି ପାଲେକର ଚର୍ଚ୍ଚାକୁ ଆସିଥିଲେ ।
