ଖାଲଖମା ରାସ୍ତା ଯୋଗୁଁ ଅଧାବାଟରେ ଫଶିଗଲା ଆମ୍ବୁଲାନ୍ସ, ଛଟ ପଟ ହୋଇ ଚାଲିଗଲା ରୋଗୀଙ୍କ ଜୀବନ
ବାଲେଶ୍ୱର : ଖାଲଖମା ରାସ୍ତା ଯୋଗୁଁ ଅଧାବାଟରେ ପଶିଗଲା ଆମ୍ବୁଲାନ୍ସ । ଘଣ୍ଟାଏ କାଳ ଛଟ ପଟ ହୋଇ ଚାଲିଗଲା ରୋଗୀଙ୍କ ଜୀବନ । ଶେଷରେ ଟ୍ରାକ୍ଟର ସାହାଯ୍ୟରେ ଆମ୍ବୁଲାନ୍ସକୁ ଖାଲରୁ ଉଦ୍ଧାର କଲେ ଲୋକେ ।
ବାଲେଶ୍ୱର ଜିଲା ରେମୁଣା ବ୍ଲକ ଦୁମୁଦା ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ଥାନୀୟ ରମାକାନ୍ତ ବେହେରା ଅପରାହ୍ନ ୧ଟା ୩୦ ମିନିଟ୍ ସମୟରେ ଖାଉଥିବା ବେଳେ ହଠାତ୍ ଅଚେତ୍ ହୋଇ ଖାଇବା ଥାଳି ଉପରକୁ ଲେଉଟି ପଡ଼ିଲେ । ସ୍ଥାନୀୟ ଲୋକମାନେ ଏନେଇ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ହେଲେ ଆମ୍ବୁଲାନ୍ସଟି ଗାଁ କୁ ସଂଯୋଗ କରୁଥିବା ଖାଲ ଖମା ରାସ୍ତା ଦେଇ ଯାଉ ଯାଉ ହଠାତ୍ କାଦୁଅରେ ପଶିଗଲା । ଅନ୍ୟପଟେ ରୋଗୀ ଜଣକ ସେପଟେ ଛଟ ପଟ ହେଉ ଥିବାବେଳେ ଗାଁ ଲୋକେ ବାଧ୍ୟ ହୋଇ ଅନ୍ୟ ଏକ ଗାଁରୁ ଏକ କାର ଭଡ଼ା କରି ଜିଲା ମୁଖ୍ୟ ଚିକିତ୍ସାଳୟ ପଠାଇଥିଲେ । ସେଠାରେ ରୋଗୀ ଜଣକୁ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ଏଭଳି ବିପର୍ଯ୍ୟସ୍ତ ରାସ୍ତା ପାଇଁ ୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ଦୀର୍ଘଦିନ ହେବ କାମ ଆରମ୍ଭ ନ ହୋଇଥିବା ହେତୁ ସ୍ଥାନୀୟ ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି ।
