ଅମାବାସ୍ୟା ନାରାୟଣଙ୍କ ସାଗରବିଜେ ନୀତି
ପୁରୀ : ଅମାବାସ୍ୟାରେ ଆଜି ନାରାୟଣଙ୍କ ସାଗରବିଜେ ନୀତି ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିରରେ ସକାଳ ଧୂପ ବଢ଼ିଲା ପରେ ମହାଜନ ସେବାୟତ ଦକ୍ଷିଣୀ ଘରୁ ଶ୍ରୀ ନାରାୟଣ ମୂର୍ତିଙ୍କୁ ଆଣି ରତ୍ନସିଂହାସନ ବିଜେ କରିଥିଲେ । ପାଳିଆ ପୂଜାପଣ୍ଡା ଗରାବଡୁଙ୍କଠୁ ହତୁଆଣୀ ନେଇ ଉକ୍ତ ନାରାୟଣ ମୂର୍ତିଙ୍କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଜ୍ଞା ମାଳ ପ୍ରଦାନ କରିଥିଲେ । ଏହାପରେ ମହାଜନ ସେବାୟତ ନାରାୟଣଙ୍କୁ ମୁକ୍ତିମଣ୍ଡପ ନିକଟରେ ଥିବା ପାଲିଙ୍କିରେ ବିଜେ କରିଥିଲେ । ପାଲିଙ୍କିକୁ ସ୍କନ୍ଧରେ ବୋହି ଘଂଟ, ଛତ୍ର, କାହାଳୀରେ ସିଂହଦ୍ୱାର ଦେଇ ବାଲିସାହି ରାସ୍ତାରେ ସମୁଦ୍ର କୂଳ ସ୍ୱର୍ଗଦ୍ୱାର ଠାରେ ବିଜେ କରିଥିଲେ । ସମୂଦ୍ର କୂଳ ବାଲିରେ ବିଜେ ହେବା ପରେ ଗରାବଡୁ ସେବାୟତ ସମୁଦ୍ର ପାଣି ଆଣି ପଣ୍ଡାଙ୍କ ହାତକୁ ବଢ଼ାଇ ଥିଲେ । ପୂଜାପଣ୍ଡା ଜଳ ସଂସ୍କାର କରି ଠାକୁରଙ୍କୁ ଲାଗି କରାଇଥିଲେ । ସାବତ ନିଯୋଗ ପକ୍ଷରୁ ପଣା ଭୋଗ ହୋଇଥିଲା । ଆଳତି, ବନ୍ଦାପନା ହୋଇଥିଲା । ଏହାପରେ ଠାକୁର ବିମାନରେ ଜମେଶ୍ୱର ମହାଦେବଙ୍କ ମନ୍ଦିର ଭିତର ଗମ୍ଭୀରାକୁ ବିଜେ କରିଥିଲେ । ସେଠାରେ ଦହି ଓ ପଚାଂମୃତରେ ମହାସ୍ନାନ ହୋଇଥିଲା । ଖଇ ଓ କୋରା ଆଦି ଶୀତଳ ଭୋଗ ହୋଇ ବନ୍ଦାପନା କରାଯାଇଥିଲା । ନୀତି ସରିବା ପରେ ଶ୍ରୀ ନାରାୟଣଙ୍କୁ ହରଚଣ୍ଡୀ ସାହି ଓ ମଣିକର୍ଣ୍ଣିକା ସାହି ଦେଇ ସିଂହଦ୍ୱାର ବାଟେ ଶ୍ରୀମନ୍ଦିରକୁ ବାହୁଡା ବିଜେ କରାଯାଇଥିଲା ।
