ଖରାପ ପାଗ ଯୋଗୁଁ ଅମରନାଥ ଯାତ୍ରା ସାମୟିକ ସ୍ଥଗିତ
ନୂଆଦିଲ୍ଲୀ : ଖରାପ ପାଗ ଯୋଗୁଁ ଅମରନାଥ ଯାତ୍ରାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ଅଧିକାରୀମାନେ କହିଛନ୍ତି ଯେ ବର୍ତମାନ ପର୍ଯ୍ୟନ୍ତ ଉଭୟ ପହଲଗାମ ଏବଂ ବାଲଟାଲ ତରଫରୁ ପବିତ୍ର ଗୁମ୍ଫା ଅଭିମୁଖେ ଆଗକୁ ବଢ଼ୁଥିବା ଯାତ୍ରୀଙ୍କ ଯାତ୍ରାକୁ ବନ୍ଦ କରି ଦିଆଯାଇଛି । ବର୍ଷା ଏବଂ ପ୍ରତିକୂଳ ପାଗ ଯୋଗୁଁ ଏହି ନିଷ୍ପତି ନିଆଯାଇଛି । ପାଗ ଭଲ ହେବା ମାତ୍ରେ ଯାତ୍ରା ଆରମ୍ଭ ହେବ । ଏପର୍ଯ୍ୟନ୍ତ ପ୍ରାୟ ୬୫ ହଜାର ଭକ୍ତ ପବିତ୍ର ଗୁମ୍ଫା ପରିଦର୍ଶନ କରି ସାରିଥିବା କହିଛନ୍ତି ଅଧିକାରୀ ।
ମଙ୍ଗଳବାର ପୂର୍ବାହ୍ନରେ ୬୩୦୦ ରୁ ଅଧିକ ଅମରନାଥ ତୀର୍ଥଯାତ୍ରୀଙ୍କ ଷଷ୍ଠ ବ୍ୟାଚ କଡା ସୁରକ୍ଷା ମଧ୍ୟରେ ନିଜ ଯାତ୍ରା ଆରମ୍ଭ କରିଥିଲେ । ସିଆରପିଏଫର କଡ଼ା ସୁରକ୍ଷା ମଧ୍ୟରେ ଭଗବତୀ ଯାତ୍ରୀ ନିବାସରୁ ୨୩୯ଟି ଗାଡ଼ିରେ ସେମାନେ ଅମରନାଥ ଗୁମ୍ଫା ଅଭିମୁଖେ ବାହାରିଥିଲେ । ମାତ୍ର ସେମାନଙ୍କ ଯାତ୍ରାକୁ ଅଧାରେ ଅଟକାଇ ଦିଆଯାଇଛି । ଜମ୍ମୁ କାଶ୍ମୀରର ଲେଫ୍ଟନାଂଟ ଗଭର୍ଣ୍ଣର ମନୋଜ ସିହ୍ନା ସୋମବାର ଅମରନାଥ ଯାତ୍ରା ପାଇଁ ସ୍ଥାପିତ ବାଲଟାଲ ବେସ୍ କ୍ୟାମ୍ପ ପରିଦର୍ଶନ କରି ସେଠାରେ ଥିବା ବ୍ୟବସ୍ଥାକୁ ଅନୁଧ୍ୟାନ କରିଥିଲେ । ଏଥିସହ ବାଲଟାଲ ବେସ୍ କ୍ୟାମ୍ପରେ ମିଳୁଥିବା ସୁବିଧା, ସେବା ଗୁଣବତା ଆଦି ବିଷୟରେ ଯାଂଚ କରିଥିଲେ । ପାକିସ୍ତାନରୁ ବୋମା ଚୋରା ଚାଲାଣ ହୋଇଥିବା ଖବର ପ୍ରଚାରିତ ହେବା ପରେ ଏହା ଏକ ଭୟଙ୍କର ବିପଦ ବୋଲି କହିଛନ୍ତି ଜମ୍ମୁ କଶ୍ମୀରର ମହାନିର୍ଦ୍ଦେଶକ ଦିଲବାଗ ସିଂ । କିନ୍ତୁ ଅମରନାଥ ଯାତ୍ରା ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଥିବାରୁ ଭୟଭୀତ ହେବାର କିଛି ନାହିଁ ବୋଲି ସେ କହିଛନ୍ତି । ସୀମା ପାର୍ଶ୍ୱରେ ପ୍ରାୟ ୧୫୦ ଆତଙ୍କବାଦୀ ଉପସ୍ଥିତ ଅଛନ୍ତି, କିନ୍ତୁ ସୁରକ୍ଷା ବାହିନୀ ସମ୍ପୂର୍ଣ୍ଣ ସତର୍କ ଅଛନ୍ତି । କଶ୍ମୀର ଉପତ୍ୟାକାରେ ପ୍ରବେଶ କରିବାକୁ ଆତଙ୍କବାଦୀଙ୍କ ଯୋଜନାକୁ ବିଫଳ କରି ଦିଆଯାଇଥିବା ସେ କହିଛନ୍ତି । ପ୍ରାୟ ୨ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ଜୁନ୍ ୩୦ ତାରିଖରୁ ଅମରନାଥ ଯାତ୍ରା ଆରମ୍ଭ ହୋଇଛି । ପ୍ରତି ବର୍ଷ ୪୩ ଦିନ ପର୍ଯ୍ୟନ୍ତ ତୀର୍ଥ ଯାତ୍ରୀମାନେ ଅମରନାଥ ଗୁମ୍ଫା ଅଭିମୁଖେ ଯାତ୍ରା କରନ୍ତି । ଚଳିତ ବର୍ଷ ଏହି ଯାତ୍ରା ଆସନ୍ତା ଅଗଷ୍ଟ ୧୧ରେ ରାଧା ବୃନ୍ଦାବନ ଅବସରରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି । ହେଲେ ଏବେ ଯାତ୍ରାକୁ ସାମୟିକ ଭାବେ ବନ୍ଦ କରାଯାଇଥିବାରୁ ଯାତ୍ରୀମାନେ ନିରାଶ ହୋଇପଡ଼ିଛନ୍ତି ।
