ଅମର୍ଦ୍ଦାରୋଡ୍ ପ୍ରିମିୟର ଲିଗ୍ : କାନ୍ଥି ତପସ୍ୱିନୀ ଓ ଭାଇ ଭାଇ ଟିମ୍ ଚମ୍ପିୟାନ
ରୂପ୍ସା : ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ଅମର୍ଦ୍ଦାରୋଡ୍ ବ୍ୟାଡମିଣ୍ଟନ୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ଅମର୍ଦ୍ଦାରୋଡ୍ ପ୍ରିମିୟର ଲିଗ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଛି । ଫାଇନାଲ ମ୍ୟାଚ୍ରେ ଝିଞ୍ଜପୁରା ଓସିଏ ଏକାଦଶକୁ ୨ ଉଇକେଟ୍ରେ ହରାଇ କାନ୍ଥି ତପସ୍ୱିନୀ ଓ ଭାଇଭାଇ ଟିମ୍ ଚଳିତବର୍ଷ ଚମ୍ପିୟାନ ହୋଇଛି ।
ଓସିଏ ଏକାଦଶ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୮୭ ରନ୍ ସଂଗ୍ରହ କରିଥିଲେ । ଜବାବରେ ତପସ୍ୱିନୀ ଓ ଭାଇଭାଇ ଟିମ୍ ୯.୩ ଓଭର ଖେଳି ୮ ଉଇକେଟ୍ ବିନିମୟରେ ୯୧ ରନ୍ କରି ବିଜୟୀ ହୋଇଥିଲେ । ପପୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଓ ରାଜେଶ ମ୍ୟାନ୍ ଅଫ୍ ଦି ସିରିଜ୍ ବିବେଚିତ ହୋଇଥିଲେ । ବ୍ୟାଡମିଣ୍ଟନ୍ ଆସୋସିଏସନ୍ର ସଭାପତି ରାମଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅତିଥି ସମାଜସେବୀ ଭୁବନ ଚନ୍ଦ୍ର ରଣା ଓ ସମ୍ମାନିତ ଅତିଥି ସମାଜସେବୀ ସୁଦାମ ଚରଣ ସାମଲ ଯୋଗଦେଇ ଚମ୍ପିୟାନ ଦଳକୁ ନଗଦ ୨୫ହଜାର ଟଙ୍କା ସହ ଟ୍ରଫି ଏବଂ ରନର୍ସଅପ୍ ଦଳକୁ ୨୦ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ । ତୃତୀୟ ସ୍ଥାନରେ ଥିବା ମାମା ଏକାଦଶ ଟିମ୍କୁ ଟ୍ରଫି ସହ ୧୫ହଜାର ଟଙ୍କା ପୁରସ୍କୃତ କରାଯାଇଥିଲା । ସମ୍ପାଦକ ନିରଞ୍ଜନ ବେହେରା, ଚିତ୍ତରଞ୍ଜନ ଦାସ, ସରୋଜ ବେହେରା, ରଥ ହେମ୍ବ୍ରମ୍, କୃଷ୍ଣ ଶେଖର ରଣା ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ ।
