ଝାରସୁଗୁଡା : ୫୫ ଲକ୍ଷ ଟଙ୍କାର ଚୋରୀ ଆଲୁମିନିୟମ ଉଦ୍ଧାର, ଅଭିଯୁକ୍ତ ଗିରଫ
ଝାରସୁଗୁଡା : ଝାରସୁଗୁଡାସ୍ଥିତ ବେଦାନ୍ତ କାରଖାନାରୁ ଚୋରୀ ହୋଇଥିବା ପ୍ରାୟ ୨୧ ମେଟ୍ରିକ ଟନ୍ ଆଲୁିମିନିୟମ ବିଲେଟକୁ ଆଜି ଝାରସୁଗୁଡା ପୁଲିସ ଉଦ୍ଧାର କରିବାସହ ଏଥିରେ ସମ୍ପୃକ୍ତଥିବା ଡ୍ରାଇଭରକୁ ଗରିଫ କରିଛି । ଗିରଫ ଅଭିଯୁକ୍ତ ଜଣକ ପଶ୍ଚିମବଙ୍ଗର ସଚିନ୍ଦ୍ର ରାୟ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ଗତ ମାସ ୧୭ ତାରିଖରେ ସୁପ୍ରିମ ଟ୍ରାନ୍ସପୋର୍ଟ କମ୍ପାନୀରେ ଆଲୁମନିୟମ ପରିବହନ ପାଇଁ ନିୟୋଜିତ ଥିବା ଏକ ଭାରୀଯାନ ବେଦାନ୍ତ କାରଖାନରୁ ୨୧ ମେଟ୍ରିକ୍ ଟନ୍ର ଆଲୁମିନୟମ(୫୫ଲକ୍ଷ ଟଙ୍କା ମୂଲ୍ୟ ) ର ବିଲେଟ ନେଇ ଖଡଗପୁରସ୍ଥିତ ସେଞ୍ଚୁରିଅନ ଏକ୍ସଟ୍ରୁଜନକୁ ବାହାରିଥିଲା । ହେଲେ ୨୭ ତାରିଖ ଯାଏଁ ଉକ୍ତ ଗାଡିଟି(ଡବି୍ଲୁ.୧୧.ସି ୩୫୩୭) ଖଡଗପୁର ପହଂଚି ନଥିବା ବେଳେ ଡ୍ରାଇଭର ଜଣକ ତାର ମୋବାଇଲକୁ ବନ୍ଦ ରଖିଥିଲା । ଫଳରେ ସୁପ୍ରିମ ଟ୍ରାନ୍ସପୋର୍ଟଟର ଶାଖା ପରିଚାଳକ ରେଜେଶ କୁମାର ଶୁକ୍ଲା ଏନେଇ ବଡମାଲ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏନେଇ ପୁଲିସ ଏକ ମାମଲା କେଶ ନମ୍ବର ୧୪୫/ ୨୯/୭ ରେ ରୁଜୁ କରି ଥିଲା ।
ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାଶ ସମସ୍ତ ବିଷୟ ଡି.ଆଇ.ଜି ଏନ.ଆର.ସମ୍ବଲପୁର ଡଃ ଦିପକ କୁମାର ଙ୍କୁ ଅବଗତ କରାଇ ଥିଲେ । ତାଙ୍କ ଆଦେଶ ରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାଶ ଏକ ସ୍ୱତନ୍ତ୍ର ଦଳ ଗଠନ କରି ଥିଲେ । ଡି.ଏସ୍.ପି ନିର୍ମଳ କୁମାର ମହାପାତ୍ର ଙ୍କ ତତ୍ୱାବଧାନରେ ବଡମାଲ ଥାନା ଅଧିକାରୀ ଅମିତାଭ ପଣ୍ଡା, ପ୍ରଦୁମ୍ନ କୁମାର ସ୍ୱାଇଁ ,କନେଷ୍ଟବଲ କୁଜ୍ଞ ବିହାରୀ ସାହୁ,ଏକ ସ୍ୱତନ୍ତ୍ର ପୁଲିସ ଦଳ ମୋବାଇଲ ଫୋନକୁ ଆଧାର କରି ପଶ୍ଚିମବଙ୍ଗ ଯାଇ ଛାନଭିନ ଆରମ୍ଭ କରିଥିଲା । ସେଠାରେ ହାୱଡା ଜିଲ୍ଲା ଶଙ୍ଖରେଲ ଥାନା ଅନ୍ତର୍ଗତ ଦୁଲ୍ହାଗଡ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ ଅଂଚଳରୁ ଚୋରୀ ଆଲୁମିନିୟମ ବିଲେଟ ଏବଂ ଟ୍ରକକୁ ପୁଲିସ ଉଦ୍ଧାର କରିବାସହ ଡ୍ରାଇଭରକୁ ଗିରଫ କରିଥିଲା । ଅଭିଯୁକ୍ତମାନେ ପୁଲିସ ହାତାରେ ଧରା ନପଡିବା ପାଇଁ ଭାରୀଯାନର ନମ୍ବର ପ୍ଲେଟ ପରିବର୍ତନ କରିବାସହ ଗାଡିରେ ମଧ୍ୟ ଷ୍ଟିକର ଲଗାଇ ରଙ୍ଗ ପରିବର୍ତନ କରିଥିଲେ । ହେଲେ ଝାରସୁଗୁଡା ପୁଲିସର ତୁରନ୍ତ କାର୍ଯ।।ନୁଷ୍ଠାନ ଏବଂ ପଶ୍ଚମିବଙ୍ଗ ପୁଲିସର ସହାୟତାରେ ସମସ୍ତ ଚୋରୀ ସାମଗ୍ରୀ ଉଦ୍ଧାର ହେବାସହ ଜଣେ ଅଭିଯୁକ୍ତ ଗିରଫ ହୋଇଛି । ତେବେ ଏଥିରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ ଚାଲିଥିବା ଶ୍ରୀ ଦାସ ପ୍ରକାଶ କରିଛନ୍ତି । ଚୋରୀ ହୋଇଥିବା ଆଲୁମିନିୟମ ବିଲେଟର ମୂଲ୍ୟ ପ୍ରାୟ ୫୫ ଲକ୍ଷ ଟଙ୍କା ପଡିଛି ବୋଲି ଜଣାପଡିଛି ।
