ବିଶ୍ବକପର ପୂରା କାର୍ଯ୍ୟସୂଚୀରେ ରାଜନୈତିକ ହସ୍ତକ୍ଷେପ ଲାଗ ଅଭିଯୋଗ ଆଣିଲା ବିରୋଧୀ
LONDON, ENGLAND - JULY 14: General view of the Cricket World Cup Trophy during the Final of the ICC Cricket World Cup 2019 between New Zealand and England at Lord's Cricket Ground on July 14, 2019 in London, England. (Photo by Gareth Copley-ICC/ICC via Getty Images)
ନୂଆଦିଲ୍ଲୀ: ଦିନିକିଆ କ୍ରିକେଟ୍ ବିଶ୍ୱକପ୍ ୨୦୨୩ର କାର୍ଯ୍ୟସୂଚୀ ଘୋଷଣା ହୋଇଛି । ତେବେ ଫାଇନାଲ ସହ ଟୁର୍ଣ୍ଣାମେଣ୍ଟର ଅଧିକାଂଶ ପ୍ରମୁଖ ମ୍ୟାଚ୍ ଅହମ୍ମଦାବାଦରେ ଆୟୋଜନ କରିବାକୁ ନିଷ୍ପତ୍ତି ନେଇ କିଛି ବିରୋଧୀଦଳ ପ୍ରଶ୍ନ ଉଠାଇଛନ୍ତି । ବିଶ୍ବକପର ପୂରା କାର୍ଯ୍ୟସୂଚୀରେ ରାଜନୈତିକ ହସ୍ତକ୍ଷେପ ହୋଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି ।
ଆଇସିସି ମଙ୍ଗଳବାର ବିଶ୍ୱକପ୍ କାର୍ଯ୍ୟସୂଚୀ ଘୋଷଣା କରିଥିଲା । ବିଶ୍ୱକପ ମ୍ୟାଚ୍ ଗୁଡ଼ିକ ହାଇଦ୍ରାବାଦ, ଅହମ୍ମଦାବାଦ, ଧର୍ମଶାଳା, ଦିଲ୍ଲୀ, ଚେନ୍ନାଇ, ଲକ୍ଷ୍ନୌ, ପୁଣେ, ବେଙ୍ଗାଲୁରୁ, ମୁମ୍ବାଇ ଏବଂ କୋଲକାତାରେ ଅନୁଷ୍ଠିତ ହେବ। ଗୁଆହାଟି ଏବଂ ଥିରୁବନନ୍ତପୁରମ୍ ବ୍ୟତୀତ ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୩ ପର୍ଯ୍ୟନ୍ତ ହାଇଦ୍ରାବାଦରେ ୱାର୍ମ ଅପ୍ ମ୍ୟାଚ୍ ଖେଳାଯିବ । ଥିରୁବନନ୍ତପୁରମର କଂଗ୍ରେସ ନେତା ତଥା ଲୋକସଭା ସଦସ୍ୟ ଶଶି ଥରୁର ତାଙ୍କ ସହରରେ କୌଣସି ବିଶ୍ୱକପ ମ୍ୟାଚ୍ ହେଉନଥିବାରୁ ଆପତ୍ତି ଉଠାଇଛନ୍ତି ।
ସେ ଟ୍ୱିଟ୍ କରି କହିଛନ୍ତି, “ଥିରୁବନନ୍ତପୁରମ୍ ବିଶ୍ୱକପ୍ କାର୍ଯ୍ୟସୂଚୀରେ ନାହିଁ । ଏହା ନିରାଶାଜନକ, ଯଦିଓ ବହୁ ଲୋକ ଏହାକୁ ଶ୍ରେଷ୍ଠ କ୍ରିକେଟ୍ ଷ୍ଟାଡିୟମ ବୋଲି ପ୍ରଶଂସା କରନ୍ତି। ଅହମ୍ମଦାବାଦ ଦେଶର କ୍ରିକେଟ୍ ରାଜଧାନୀ ପାଲଟିଛି, କିନ୍ତୁ କେରଳକୁ କୌଣସି ମ୍ୟାଚ୍ ମିଳିନାହିଁ ।”
ପଞ୍ଜାବ କ୍ରୀଡ଼ା ମନ୍ତ୍ରୀ ଗୁରୁମିତ ସିଂ ମୀତ ହାୟର ମଧ୍ୟ ବିଶ୍ୱକପ ଭେନ୍ୟୁ ତାଲିକାରେ ମୋହାଲିଙ୍କୁ ସାମିଲ ନକରିବାକୁ ନିନ୍ଦା କରିଛନ୍ତି। ବିଶ୍ବକପ୍ ଭେନ୍ୟୁ ଗୁଡ଼ିକର ଚୟନ ରାଜନୈତିକ କାରଣ ଦ୍ଵାରା ପ୍ରଭାବିତ ହୋଇଛି ବୋଲି ସେ ଦାବି କରିଛନ୍ତି। ରାଜ୍ୟ ସରକାର ଏପରି ‘ଭେଦଭାବ’ ପ୍ରସଙ୍ଗକୁ ଉପଯୁକ୍ତ ମଞ୍ଚରେ ଉଠାଇବ ବୋଲି ସେ କହିଛନ୍ତି । ମୋହାଲି କ୍ରିକେଟ୍ ଷ୍ଟାଡିୟମ୍ ୧୯୯୬ ଏବଂ ୨୦୧୧ ବିଶ୍ୱକପର କିଛି ପ୍ରମୁଖ ମ୍ୟାଚ୍ର ସାକ୍ଷୀ ଥିଲା । କିନ୍ତୁ ଏଥର ଏହି ସହରକୁ ଗୋଟିଏ ବି ମ୍ୟାଚ୍ ଆୟୋଜନ କରିବାର ସୁଯୋଗ ଦିଆଯାଇ ନାହିଁ। ପଞ୍ଜାବର ଏହି ମନ୍ତ୍ରୀ “ରାଜନୈତିକ ହସ୍ତକ୍ଷେପ” ଅଭିଯୋଗ କରି କହିଛନ୍ତି ଯେ ବିସିସିଆଇର କିଏ ନେତୃତ୍ବ ନେଉଛି ତାହା ସମସ୍ତେ ଜାଣନ୍ତି।
