ମହିଳା ରେସଲରଙ୍କୁ ଯୌନ ନିର୍ଯାତନା ଅଭିଯୋଗ : ବ୍ରିଜ ଭୂଷଣଙ୍କ ବିରୋଧରେ ଆଜି ଚାର୍ଜସିଟ୍ ଦାଖଲ କରିବ ଦିଲ୍ଲୀ ପୋଲିସ
New Delhi: BJP MP and Wrestling Federation of India (WFI) chief Brij Bhushan Sharan Singh at his residence, in New Delhi, Wednesday, June 14, 2023. (PTI Photo)(PTI06_14_2023_000169B)
ନୂଆଦିଲ୍ଲୀ: ମହିଳା ରେସଲରଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଭାରତୀୟ କୁସ୍ତି ସଂଘ (ଡବ୍ଲୁଏଫ୍ଆଇ) ର ବିଦାୟୀ ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ରୁଜୁ ମାମଲାରେ ଦିଲ୍ଲୀ ପୋଲିସ ଆଜି ଚାର୍ଜସିଟ୍ ଦାଖଲ କରିବା ସମ୍ଭାବନା ରହିଛି।
କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଅଲିମ୍ପିକ୍ ପଦକ ବିଜେତା କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଏବଂ ସାକ୍ଷୀ ମଲିକଙ୍କୁ ଜୁନ୍ ୭ରେ ଭେଟି ଏହି ମାମଲାରେ ଜୁନ୍ ୧୫ ସୁଦ୍ଧା ଚାର୍ଜସିଟ୍ ଦାଖଲ କରାଯିବ ବୋଲି ଆଶ୍ବାସନା ଦେଇଥିଲେ । କ୍ରୀଡ଼ାମନ୍ତ୍ରୀଙ୍କ ଆଶ୍ବାସନା ପରେ କୁସ୍ତିଯୋଦ୍ଧାମାନେ ଆନ୍ଦୋଳନକୁ ସ୍ଥଗିତ ରଖିଥିଲେ | ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ଯେହେତୁ ମନ୍ତ୍ରୀ କୁସ୍ତିଯୋଦ୍ଧା ମାନଙ୍କୁ ଜୁନ୍ ୧୫ (ଗୁରୁବାର) ସୁଦ୍ଧା ଏହି ମାମଲାରେ ଚାର୍ଜସିଟ୍ ଦାଖଲ ହେବ ବୋଲି ଆଶ୍ୱାସନା ଦେଇଛନ୍ତି, ତେଣୁ ଆମେ ଏହାକୁ ଅନୁପାଳନ କରିବୁ।
ଅଧିକାରୀ କହିଛନ୍ତି ଯେ ତଦନ୍ତ ବେଳେ ଦିଲ୍ଲୀ ପୋଲିସ ଅନ୍ୟ ପାଞ୍ଚଟି ଦେଶର କୁସ୍ତି ସଂଘକୁ ଚିଠି ଲେଖି ବ୍ରିଜ ଭୂଷଣ ଶରଣ ସିଂହଙ୍କ ଦ୍ୱାରା ଯୌନ ନିର୍ଯାତନା ଅଭିଯୋଗ ସମ୍ପର୍କରେ ସୂଚନା ମାଗିଛି, କିନ୍ତୁ ସେମାନଙ୍କ ଉତ୍ତରକୁ ଅପେକ୍ଷା କରାଯାଇଛି। ଅଧିକାରୀ କହିଛନ୍ତି ଯେ ଉତ୍ତର ପାଇବା ପରେ ଏକ ଅତିରିକ୍ତ ଚାର୍ଜସିଟ୍ ଦାଖଲ କରାଯିବ। ସେ କହିଛନ୍ତି ଯେ ଟୁର୍ଣ୍ଣାମେଣ୍ଟର ଫଟୋ ଏବଂ ଭିଡିଓ, ସିସିଟିଭି ଫୁଟେଜ ଇତ୍ୟାଦି ମ୍ୟାଚ ସମୟରେ ରେସଲରମାନେ ରହିଥିବା ସ୍ଥାନଗୁଡିକର ଫଟୋ ଏବଂ ଭିଡିଓ ଦେବାକୁ ନୋଟିସ ଜାରି କରାଯାଇଛି।
ସ୍ୱତନ୍ତ୍ର ତଦନ୍ତକାରୀ ଦଳ ୧୮୦ ରୁ ଅଧିକ ଲୋକଙ୍କୁ ଜେରା କରିଛନ୍ତି। ପୋଲିସ ଟିମ୍ ମଧ୍ୟ ଉତ୍ତରପ୍ରଦେଶର ଗୋଣ୍ଡାସ୍ଥିତ ବିଜେପି ସାଂସଦ ବ୍ରିଜ ଭୂଷଣଙ୍କ ବାସଭବନକୁ ଯାଇ ଏହି ବିଜେପି ସାଂସଦଙ୍କ ସମ୍ପର୍କୀୟ, ସହକର୍ମୀ, ଘରୋଇ କର୍ମଚାରୀ ଏବଂ ସେମାନଙ୍କ ସହଯୋଗୀଙ୍କ ବୟାନ ରେକର୍ଡ କରିଥିଲେ।
ଅନ୍ୟପକ୍ଷରେ ଯୋଗ୍ୟତା ସତ୍ତ୍ୱେ ବ୍ରିଜ ଭୂଷଣ ଶରଣ ସିଂହଙ୍କ ପରିବାର ସଦସ୍ୟଙ୍କୁ ଆଗାମୀ କୁସ୍ତି ସଂଘ ନିର୍ବାଚନରେ ଲଢ଼ିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଜଣାପଡ଼ିଛି । ଉଲ୍ଲେଖଯୋଗ୍ୟ, ଜୁଲାଇ ୬ରେ ଡବ୍ଲୁଏଫ୍ଆଇ ସଭାପତି, ବରିଷ୍ଠ ଉପସଭାପତି, ଚାରିଜଣ ଉପସଭାପତି, ସାଧାରଣ ସମ୍ପାଦକ, କୋଷାଧ୍ୟକ୍ଷ, ଦୁଇଜଣ ଯୁଗ୍ମ ସଚିବ ଏବଂ ପାଞ୍ଚଜଣ କାର୍ଯ୍ୟନିର୍ବାହୀ ସଦସ୍ୟଙ୍କ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।
