ହକି ବିଶ୍ୱକପ ନେଇ ସର୍ବଦଳୀୟ ବୈଠକ, ସରକାରଙ୍କୁ ଧନ୍ୟବାଦ ଜଣାଇଲେ ସବୁ ଦଳ
ଭୁବନେଶ୍ୱର : ହକି ବିଶ୍ୱକପ ଆୟୋଜନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡାକିଥିବା ସର୍ବଦଳୀୟ ବୈଠକରେ ପ୍ରତିଯୋଗିତାକୁ କିଭଳି ସଫଳତାର ସହ ପରିଚାଳନା କରାଯିବ ସେ ନେଇ ଆଲୋଚନା କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ ସବୁ ଦଳର ନେତାଙ୍କ ସହ ଆଲୋଚନା କରିଛନ୍ତି । ଦ୍ୱିତୀୟଥର ପାଇଁ ବିଶ୍ୱକପ୍ ଆୟୋଜନ ଓଡ଼ିଶାର ଗୌରବ ବଢ଼ାଇଛି । ଫଳରେ ସରକାରଙ୍କୁ ଧନ୍ୟବାଦ ଦେଲେ ସବୁ ଦଳ ।
ଲୋକସେବା ଭବନ କନଭେନସନ ହଲ୍ରେ ବସିଥିଲା ସର୍ବଦଳୀୟ ବୈଠକ । ବୈଠକରେ ବିଭିନ୍ନ ଦଳର ପ୍ରତିନିଧିମାନେ ବିଶ୍ୱକପ୍ ଆୟୋଜନ ସମ୍ବନ୍ଧରେ କିଛି କିଛି ପରାମର୍ଶ ଦେଇଥିଲେ । ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାରେ କ୍ରୀଡା ମହୋତ୍ସବର ସଫଳତା ପାଇଁ ସବୁ ରାଜନୈତିକ ଦଳର ସହଯୋଗ କାମନା କରିଥିଲେ । ଜାନୁଆରୀ ୧୧ ତାରିଖରେ ଉଦଘାଟନୀ ଉତ୍ସବ ହେବ । କଟକ, ରାଉରକେଲା ଓ ଭୁବନେଶ୍ୱରରେ କାର୍ଯ୍ୟକ୍ରମ ହେବ । ଉଭୟ ଭୁବନେଶ୍ବର ଓ ରାଉରକେଲାରେ ଖେଳାଯିବ ହକି ବିଶ୍ବକପର ମ୍ୟାଚ୍ । ଜାନୁଆରୀ ୧୩ ତାରିଖରୁ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି । ରାଉରକେଲା ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ।
ବିଶ୍ୱକପ୍ ହକି ୨୦୨୩ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ଆମନ୍ତ୍ରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ବିଶ୍ୱକପ୍ ହକି ପ୍ରସ୍ତୁତିରେ କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ଭାରତ ସରକାରଙ୍କୁ ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ । ବିଶ୍ୱକପ ହକିର ଆୟୋଜନ ରେ କେବଳ ଓଡ଼ିଶା ନୂହେଁ ସାରା ଦେଶର ସମ୍ମାନ ଜଡିତ । ସେଥିପାଇଁ ସମସ୍ତେ ମିଳିମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ । ଆଲୋଚନାରେ ଭାଗ ନେଇ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଲଗାତର ଭାବେ ଦ୍ୱିତୀୟ ଥର ବିଶ୍ୱକପ୍ର ଆୟୋଜନ ସାରା ବିଶ୍ୱରେ ଓଡିଶାର ପ୍ରତିଷ୍ଠା ବୃଦ୍ଧି କରିଛି ବୋଲି ମତ ଦେଇ କ୍ରୀଡାର ଏହି ଉନ୍ନତି ଦିଗରେ ସରକାରଙ୍କ ଉଦ୍ୟମ ପାଇଁ ସାଧୁବାଦ ଜଣାଇଥିଲେ ।
ହକି ବିଶ୍ୱକପକୁ ରହିଲା ଆଉ ଏକ ମାସରୁ କମ୍ ସମୟ । ବିଶ୍ୱକପକୁ କିଭଳି ସୁରୁଖୁରୁରେ ସମ୍ପାଦନ କରାଯିବ ସେ ନେଇ ସମସ୍ତ ସ୍ତରରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ଯାୟରେ ପହଞ୍ଚିଛି । ବିଶ୍ୱକପ ହକି ଆୟୋଜନର ସଫଳତା ପାଇଁ ୯ଟି ସ୍ୱତନ୍ତ୍ର ଟିମ ଗଠିତ କରାଯାଇଛି । ବିଭିନ୍ନ କାର୍ଯ୍ଯର ନିୟମିତ ତଦାରଖ କରିବ ଏହି ଟିମ । ତଦରାଖ ପରେ ସାପ୍ତାହିକ ରିପୋର୍ଟ ବିଡିଏ ଉପାଧ୍ୟକ୍ଷଙ୍କୁ ପ୍ରଦାନ କରିବ ଉକ୍ତ ଟିମ୍ । ରାସ୍ତାଘାଟ, ଅଲୋକୀକରଣ, ପରିମଳ, ସ୍ୱଛତା, ସୌନ୍ଦର୍ଯ୍ୟକରଣ ଓ ଲୋକଙ୍କ ସୁରକ୍ଷାକୁ ନେଇ ହେବ ନିୟମିତ ସମୀକ୍ଷା କରାଯିବ । ଟ୍ରାଫିକ ସମସ୍ୟା, ଜବର ଦଖଲ ଓ ପର୍ଯ୍ୟଟକଙ୍କ ସୁରକ୍ଷା ପ୍ରତି ଦିଆଯାଇଛି ପ୍ରାଥମିକତା ବୋଲି ବିଡିଏ ଉପାଧ୍ୟକ୍ଷ ବଲୱାନ୍ତ ସିଂହଙ୍କ ନିର୍ଦେଶନାମା ଜାରି କରିଛନ୍ତି ।
