ଗଞ୍ଜାମରେ କୋଭିଡ୍ ରୋଗୀଙ୍କ ପାଇଁ କେବଳ ଏମ୍କେସିଜିରେ ଚାଲିଛି ସେବା
ବ୍ରହ୍ମପୁର : ଗଞ୍ଜାମ ଜିଲାରେ କରୋନା ସ୍ଥିତି ଏବେ ନିୟନ୍ତ୍ରଣାଧୀନ । ସେହିପରି ବର୍ତ୍ତମାନ ଗୁରୁତର ରୋଗୀ ମଧ୍ୟ ନାହାନ୍ତି । ଫଳରେ ଜିଲାରେ ଚାଲୁ ରହିଥିବା କୋଭିଡ୍ ସେଣ୍ଟରଗୁଡିକୁ ସାନିଟାଇଜ୍ କରି ବନ୍ଦ କରାଯାଇଛି । ଏବେ ଜିଲାରେ କୋଭିଡ୍ ରୋଗୀଙ୍କ ପାଇଁ କେବଳ ଏମ୍କେସିଜି ଡିସିଏଚ୍-୧ରେ ଚିକିତ୍ସା ବ୍ୟବସ୍ଥା ଜାରି ରହିଛି । ଏମ୍କେସିଜିରେ ଦୁଇଟି ଡେଡିକେଟେଡ୍ କୋଭିଡ୍ ହେଲଥ ସେଣ୍ଟର (ଡିସିଏଚ୍ସି)ରୁ ଗୋଟିଏ (ଡିସିଏଚ୍ସି-୨) ବନ୍ଦ ହୋଇଛି । ଏଠାରେ ଚିକିତ୍ସିତ ହେଉଥିବା ୧୩ ଜଣ ରୋଗୀଙ୍କୁ ଡିଡିସିଏଚ୍ସି-୧କୁ ସ୍ଥାନାନ୍ତର କରାଯାଇଛି । ୬ ଜଣ ଆଇସିୟୁରେ, ଯେଉଁମାନଙ୍କ ମଧ୍ୟରୁ ୩ ଜଣ ଭେଣ୍ଟିଲେଟରରେ ଏବଂ ଅନ୍ୟ ୭ଜଣ ସାଧାରଣ ରୋଗୀ ରହିଛନ୍ତି ।
ଡିସିଏଚ୍-୧କୁ ବନ୍ଦ କରି ସେଠାରେ ମରାମତି କାମ କରାଯାଉଥିଲା । ଡିସିଏଚ୍ସି-୧ ବର୍ତ୍ତମାନ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେବା ପରେ ପୁଣି କାର୍ଯ୍ୟକ୍ଷମ କରି ଡିସିଏଚ୍ସି-୨କୁ ବନ୍ଦ କରାଯାଇଛି ବୋଲି ଏମ୍କେସିଜି ଅଧୀକ୍ଷକ ପ୍ରଫେସର ଡା.ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି । ଡିସିଏଚ୍-୧ରେ ୧୬୦ଟି ଶଯ୍ୟା ରହିଥିବା ବେଳେ ୨୪ଟିରେ ଭେଣ୍ଟିଲେଟର ସୁବିଧା ରହିଛି ଏବଂ ଅନ୍ୟ ସବୁ ଶଯ୍ୟା ସାଧାରଣ ରୋଗୀଙ୍କ ପାଇଁ ରହିଥିଲା । ସେଥିରୁ ୫୦ଟି ଶଯ୍ୟା କେବଳ ପିଲାଙ୍କ ପାଇଁ କରାଯାଇଛି ବୋଲି ସେ କହିଛନ୍ତି । ଆଗକୁ କରୋନା ୩ୟ ଲହର ଆସୁଥିବାରୁ ସବୁ କୋଭିଡ୍ ହସ୍ପିଟାଲ୍ରେ ପିଲାଙ୍କ ଚିକିତ୍ସା ବ୍ୟବସ୍ଥା କରାଯାଉଛି । ଶିଶୁ ରୋଗ ବିଭାଗର ବିଶେଷଜ୍ଞ ମାନଙ୍କ ପରାମର୍ଶ ପ୍ରକାରେ ୫୦ଟି ଶଯ୍ୟା ଏଠାରେ କରାଯାଇଛି । ଏହି ୱାର୍ଡରେ ପେଣ୍ଟିଂ କରିବା ସହ ପିଲା ମାନେ ଯେପରି ଖୁସି ହେବ ଏବଂ ମନୋରଞ୍ଜନ ହୋଇପାରିବ ସେଭଳି ସଜା ଯାଇଛି ବୋଲି କହିଛନ୍ତି । ଏଠାରେ ଏସ୍ଏନ୍ସିୟୁ, ପିଆଇସିୟୁ ଏବଂ ଅନ୍ୟାନ୍ୟ ଯନ୍ତ୍ରାଂଶ ସ୍ଥାପନ କରିବାକୁ ରାଜ୍ୟ ସରକାରଙ୍କୁ ଚିଠି କରାଯାଇଛି । ସମସ୍ତ ଯନ୍ତ୍ରାଂଶ ଆସିବା ପରେ ଲଗାଯିବ । ହସ୍ପିଟାଲ୍ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି ବୋଲି ସେ କହିଛନ୍ତି ।
ଜିଲାରେ କୋଭିଡ୍ ରୋଗୀ ମାର୍ଚ୍ଚ ମାସରୁ ବଢ଼ି ଚାଲିବାରୁ ଅଧିକ ହସ୍ପିଟାଲ୍ ଖୋଲାଯାଇଥିଲା । ଏପ୍ରିଲ୍ ୨୬ତାରିଖରେ ସୁପର ସ୍ପେଶାଲିଟି କୋଠାରେ ଆରମ୍ଭ ହୋଇଥିଲା ଡେଡିକେଟେଡ୍ କୋଭିଡ୍ ହସ୍ପିଟାଲ୍-୨ । ଏଠାରେ ୩ଶହ ଶଯ୍ୟା ରହିଥିବା ବେଳେ ୧୭୦ଶଯ୍ୟାକୁ ସିଧାସଳଖ ପାଇପ୍ ଯୋଗେ ଅକ୍ସିଜେନ୍ ସଂଯୋଗ ହୋଇଛି ଏବଂ ସର୍ବାଧିକ ୭୦ଟି ଆଇସିୟୁ ରହିଛି । ଡିସିଏଚ୍-୨କୁ ବନ୍ଦ କରାଯାଇଛି କିନ୍ତୁ ଏଠାରେ ମରାମତି କାର୍ଯ୍ୟ ଜାରି ରହିବ ବୋଲି କହିଛନ୍ତି କୋଭିଡ୍ ନୋଡାଲ୍ ଅଫିସର ତଥା ବ୍ରହ୍ମପୁର ଉପଜିଲାପାଳ ଭି. କୀର୍ତ୍ତିଭାସନ୍ । ସେ କହିଛନ୍ତି ହସ୍ପିଟାଲକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇ ନାହିଁ । ଏଠାରେ କିଛି ମରାମତି କାର୍ଯ୍ୟ ଚାଲିବ ଏବଂ କାର୍ଯ୍ୟ ସରିବା ପରେ ଆବଶ୍ୟକ ହେଲେ କୋଭିଡ୍ ରୋଗୀଙ୍କୁ ଏଠାରେ ମଧ୍ୟ ଭର୍ତ୍ତି କରାଯିବ । ଏମ୍କେସିଜି ବ୍ୟତୀତ କନିଷିରେ ଚାଲିଥିବା ଅଶ୍ୱିନୀ କୋଭିଡ୍ ହସ୍ପିଟାଲ୍ ଏବଂ ଶୀତଳାପଲ୍ଲୀରେ ଚାଲିଥିବା ଟାଟା ହାଇଟେକ୍ କୋଭିଡ୍ ହସ୍ପିଟାଲ୍କୁ ମଧ୍ୟ ବନ୍ଦ କରାଯାଇଛି । ଜିଲାରେ ବର୍ତ୍ତମାନ ଗୁରୁତର ରୋଗୀ ନାହାନ୍ତି । ସବୁ ହସପିଟାଲ୍ରେ ଯନ୍ତ୍ରାଂଶ ରହିଛି ଏବଂ ଶଯ୍ୟା ରଖାଯାଇଛି । ସାନିଟାଇଜ୍ କରି ବନ୍ଦ କରାଯାଇଛି ବୋଲି ସେ କହିଛନ୍ତି । ଏବେ ଜିଲାରେ କୋଭିଡ୍ ରୋଗୀଙ୍କ ପାଇଁ କେବଳ ଏମ୍କେସିଜି ଡିସିଏଚ୍-୧ ରହିଛି ।
