ପୁନର୍ବାର ସମାଜବାଦୀ ପାର୍ଟି ଅଧ୍ୟକ୍ଷ ହେଲେ ଅଖିଲେଶ ଯାଦବ
ଉତ୍ତରପ୍ରଦେଶ : ସେପ୍ଟମ୍ବର ୨୯ ତାରିଖ ଗୁରୁବାର ଲଗାତାର ତୃତୀୟ ଥର ପାଇଁ ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ଅଖିଳେଶ ଯାଦବ। ଦଳୀୟ ନିର୍ବାଚନ ଅଧିକାରୀ ତଥା ଦଳର ବରିଷ୍ଠ ନେତା ରାମ ଗୋପାଳ ଯାଦବ ଦଳର ରାଷ୍ଟ୍ରୀୟ ଅଧିବେସନରେ ଅଖିଳେଶ ଯାଦବ ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ନେଇ ଘୋଷଣା କରିଛନ୍ତି। ଦଳର ରାଷ୍ଟ୍ରୀୟ ଅଧିବେଶନରେ ଅଖିଳେଶ ଯାଦବ କ୍ରମାଗତ ତୃତୀୟ ଥର ପାଇଁ ଦଳର ସଭାପତି ଭାବରେ ନିର୍ବାଚିତ ହେବାର ପ୍ରବଳ ସମ୍ଭାବନା ରହିଥିଲା।
ସମାଜବାଦୀ ପାର୍ଟିରେ ତତ୍କାଳୀନ କ୍ୟାବିନେଟ ମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ଶିବପାଲ ଯାଦବଙ୍କ ସହ ବିବାଦ ହେତୁ ଦଳୀୟ ପତାକା ଏବଂ ନିର୍ବାଚନ ପ୍ରତୀକକୁ ନେଇ ହୋଇଥିବା ଆଇନଗତ ଯୁଦ୍ଧରେ ଅଖିଳେଶ ଯାଦବ ଜିତିବା ପରେ ପ୍ରଥମ ଥର ପାଇଁ ୨୦୧୭ ଜାନୁଆରୀ ୧ ତାରିଖରେ ଦଳ ପକ୍ଷରୁ ଏକ ଜରୁରୀକାଳୀନ ରାଷ୍ଟ୍ରୀୟ ଅଧିବେଶନ ଡକା ଯାଇଥିଲା। ଯେଉଁଥିରେ ଦଳର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ସ୍ଥାନରେ ଅଖିଲେଶ ଯାଦବଙ୍କୁ ପ୍ରଥମ ଥର ଦଳର ମଙ୍ଗୁଆଳ ଭାବେ ନିଯୁକ୍ତ କରା ଯାଇ ଯାଇଥିଲା।
ଏହା ପରେ ୨୦୧୭ ଅକ୍ଟୋବର ରେ ଆଗ୍ରା ଠାରେ ଅନୁଷ୍ଠିତ ଦଳର ରାଷ୍ଟ୍ରୀୟ ଅଧିବେଶନରେ ଅଖିଳେଶ ଯାଦବ ପୁନର୍ବାର ସର୍ବସମ୍ମତି କ୍ରମେ ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ କରା ଯାଇଥିଲା। ସେତେବେଳେ ଦଳର ସମ୍ବିଧାନକୁ ପରିବର୍ତ୍ତନ କରି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳକୁ ୩ ବର୍ଷରୁ ୫ ବର୍ଷକୁ ବୃଦ୍ଧି କରାଯାଇଥିଲା।
ଗତ ୧୯୯୨ ମସିହା ଅକ୍ଟୋବର ୪ ତାରିଖରେ ଗଠିତ ହୋଇଥିଲା ସମାଜବାଦୀ ପାର୍ଟି। ସେବେଠାରୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ବର୍ତ୍ତମାନ ପର୍ଯ୍ୟନ୍ତ ଯାଦବ ପରିବାର ହାତରେ ରହିଛି। ବର୍ତ୍ତମାନ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ପୂର୍ବରୁ ତାଙ୍କ ପିତା ତଥା ଦଳର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ ଦଳର ସଭାପତି ଦାୟିତ୍ୱ ଗ୍ରହଣ କରିଥିଲେ।
ଗତ ୨୦୧୯ ଲୋକସଭା ନିର୍ବାଚନ ଏବଂ ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଦଳର କ୍ରମାଗତ ନିର୍ବାଚନରେ ପରାଜୟ ପରେ ଏବେ ସମାଜବାଦୀ ପାର୍ଟି ଏହାର ରାଷ୍ଟ୍ରୀୟ ଅଧିବେଶନ ଆୟୋଜନ କରିଛି। ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ଲାଗି ଦଳ ପକ୍ଷରୁ ଆୟୋଜିତ ହୋଇଥିବା ଏହି ବୈଠକ ବେଶ ଗୁରୁତ୍ୱ ବହନ କରୁଛି। ଏହାର କାରଣ ହେଉଛି ରାଜ୍ୟର ପ୍ରତ୍ୟେକ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପକ୍ଷରୁ କରା ଯାଉଥିବା ନିର୍ବାଚନ ପ୍ରସ୍ତୁତି।
କ୍ରମାଗତ ଭାବେ ତୃତୀୟ ଥର ପାଇଁ ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ ଅଖିଳେଶ ଯାଦବଙ୍କ ସାମ୍ନାରେ ରହିଛି ଜବରଦସ୍ତ ଆହ୍ୱାନ। ତାଙ୍କ ସାମ୍ନାରେ ରହିଥିବା ପ୍ରମୁଖ ଆହ୍ୱାନ ହେଉଛି ଚଳିତ ବର୍ଷ ନଭେମ୍ବର-ଡିସେମ୍ବର ମାସରେ ରାଜ୍ୟରେ ଅନୁଷ୍ଠିତ ହେଉଥିବା ପୌର ନିର୍ବାଚନ ଏବଂ ଆଗାମୀ ୨୦୨୪ ଲୋକସଭା ନିର୍ବାଚନ। ଏଭଳି ପରିସ୍ଥିତିରେ ଦଳର ନେତୃତ୍ୱକୁ ଅତୀତର ଭୁଲରୁ ଶିକ୍ଷା କରି ସଙ୍ଗଠନକୁ ପୁନର୍ବାର ମଜବୁତ କରିବାକୁ ହେବ।
