ଗାଜର ଚାଷ
ଆଜିକାଲି ସହରମାନଙ୍କରେ ଗାଜର ଚାହିଦା ଦିନକୁ ଦିନ ବଢୁଛି । ବଡ଼ବଡ଼ ହୋଟେଲ ମାନଙ୍କରେ ସାଲାଡ଼ କରିବା ପାଇଁ ଏହାର ଆବଶ୍ୟକ ହୋଇଥାଏ । ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ମଧ୍ୟ ଗାଜର ଆବଶ୍ୟକ ହୋଇଥାଏ ।
ଗାଜରରୁ ପ୍ରସ୍ତୁତ ହାଲୁଆ ଏକ ରୁଚିକର ଖାଦ୍ୟ ରୂପେ ବ୍ୟବହୃତ ହୋଇଥାଏ । ଏହି ଦୁଇଟି ପରିବାରେ ଯଥେଷ୍ଟ ପରିମାଣରେ ଭିଟାମିନ୍ ଏ ଓ ନାନା ଜାତିର ଧାତବ ଲବଣ ରହି ଅଛି ।
ଗାଜର ଖାଇବା ଦ୍ଵାରା କିଡ଼ନୀ ଭଲ ଭାବରେ କାର୍ଯ୍ୟ କରିଥାଏ ଏବଂ ପରିସ୍ରା ପରିଷ୍କାର ହୁଏ । ଇଉରୋପ ମହାଦେଶରେ କାମଳ ରୋଗ ହେଲେ ଗାଜର ରସ ପିଇବାକୁ ଦିଆଯାଏ ।
ଲଗାଇବା ସମୟ :
ଗାଜର ଶୀତଦିନିଆ ଫସଲ । ଖରା ଅଧିକ ହେଲେ ଗାଜର ବା ବିଟରୁଟ୍ ବଢ଼ିପାରେ ନାହିଁ । ଆମ ରାଜ୍ୟରେ ଅକ୍ଟୋବର ଠାରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ଗାଜର ଓ ବିଟରୁଟ୍ ଲଗାଯାଇପାରିବ । ତେବେ ପାହାଡ଼ିଆ ଅଞ୍ଚଳରେ ଅଗଷ୍ଟ ମାସ ଠାରୁ ମଧ୍ୟ ଏହା ଚାଷ କରାଯାଇପାରିବ ।
ମାଟି :
ଏହି ଦୁଇଟି ଫସଲ ପାଇଁ ନିଗିଡା ଦୋରସା ମାଟି ଆବଶ୍ୟକ । ଜମିକୁ ଭଲ ଭାବରେ ଚାଷ କରି ମାଟି ଗୁଣ୍ଡ କରି ବିଲଟିକୁ ସମାନ କରିବା ଦରକାର । ବିଲରୁ ଯେପରି ଅଧିକ ପାଣି ଗଡ଼ିଯାଇ ପାରିବ, ସେଥିପାଇଁ ମଧ୍ୟ ନାଳ ରଖିବା ଆବଶ୍ୟକ ।
ବିହନ କିସମ :
ଗାଜର – ପୁଷାକେସର, ପୁଷା ୟମଦଗ୍ରୀ, ପୁଷାମେଘାଳି, ହିସାର ଗୌରୀକ୍, ନେସ୍, ବ୍ୟାଣ୍ଟନି ଇତ୍ୟାଦି ।
ଲଗାଇବା ପ୍ରଣାଳୀ :
ଜମି ଚାଷ କରି ସାରିବା ପରେ ବିଲରେ ପ୍ରତି ଏକଫୁଟ ଛଡ଼ାରେ ସିଆର କରନ୍ତୁ । ଏହି ସିଆରରେ ଏକର ପିଛା ୧୦ ଗାଡ଼ି ହିସାବରେ ଭଲ ଖତ ଦିଅନ୍ତୁ । ଏଥି ସହିତ ଏକର ପ୍ରତି ୧୦ କି.ଗ୍ରା. ଯବକ୍ଷାରଜାନ, ୨୦ କି.ଗ୍ରା. ଫସ୍ଫରସ୍ ଓ ୩୦ କି.ଗ୍ରା. ପଟାସ୍ ସାର ପ୍ରୟୋଗ କରି ଅଳ୍ପ ମାଟି ବା ଖତ ଘୋଡ଼ାଇ ଦିଅନ୍ତୁ । ତାପରେ ସେହି ସିଆରରେ ମଞ୍ଜି ବୁଣି ମଞ୍ଜିକୁ ମାଟି ଦ୍ୱାରା ଘୋଡ଼ାଇ ପକାନ୍ତୁ । ବିଲରେ ପାଗ ଥିବାବେଳେ ହିଁ ମଞ୍ଜି ଲଗାନ୍ତୁ । ଗଛ ଉଠିବାର ୧୫ ଦିନପରେ ପ୍ରତି ୪ ଇଞ୍ଚ ଛଡ଼ାରେ ଗୋଟିଏ ଲେଖାଏଁ ଗଛ ରଖି ବଳକା ଗଛ ଉପାଡ଼ି ଦିଅନ୍ତୁ ଏବଂ ବିଲରୁ ଅନାବନା ଘାସ ବାଛି ପକାନ୍ତୁ । ଗଛଗୁଡ଼ିକ ୩୦ ଦିନର ହୋଇଗଲେ ଏକର ପ୍ରତି ୧୦ କି.ଗ୍ରା. ଯବକ୍ଷାରଜାନ ସାର ଦେଇ ହୁଡ଼ା ଦିଅନ୍ତୁ ।
ଗାଜର ଶୀତଦିନିଆ ଫସଲ ହୋଇଥିବାରୁ ପାଣି ଆବଶ୍ୟକ ହୋଇଥାଏ । ଶୀତଦିନେ ପ୍ରାୟ ୮ ରୁ ୧୦ ଦିନରେ ପାଣି ଦେବାକୁ ହୁଏ । କିନ୍ତୁ କେବେ ହେଲେ ଅଧିକ ପରିମାଣରେ ପାଣି ଦିଅନ୍ତୁ ନାହିଁ । ଅମଳ ପୂର୍ବରୁ ହାଲୁକା ଭାବେ ପାଣି ଦେଲେ ଉପାଡ଼ିବା ପାଇଁ ସହଜ ହୋଇଥାଏ ।
ଅମଳ :
ଏକ ଏକରରୁ ପ୍ରାୟ ୫୦ ରୁ ୬୦ କ୍ରିଷ୍ଟାଲ୍ ପର୍ଯ୍ୟନ୍ତ ଅମଳ ମିଳିଥାଏ । ଉପାଡ଼ି ସାରିବା ପରେ ଭଲ ଭାବରେ ପାଣିରେ ଧୋଇ ଚେ ର ଇତ୍ୟାଦି ଛିଣ୍ଡାଇ ଦେବା ଉଚିତ୍ । ସାଧାରଣତଃ ଗାଜର ଏକ ସପ୍ତାହ ପର୍ଯ୍ୟନ୍ତ ରହି ଥାଏ । ଏକ ଏକର ରେ ଗାଜର ଚାଷ କଲେ ପ୍ରାୟ ୪୦, ୦୦୦ ଟଙ୍କା ପର୍ଯ୍ୟନ୍ତ ମିଳିଥାଏ । ଖର୍ଚ୍ଚ ବାବଦକୁ ପ୍ରାୟ ୨୦,୦୦୦ ଟଙ୍କା ବାଦ ଦେଲେ ଲାଭ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ ।
