ଏଚସିଜି ପଣ୍ଡା କ୍ୟାନସର ହସପିଟାଲ ଓ ବିଏମସି ମଧ୍ୟରେ ରାଜିନାମା
କଟକ : ସମଗ୍ର ବିଶ୍ୱରେ କର୍କଟ ରୋଗ ଦିନକୁ ଦିନ ତାର କାୟା ବିସ୍ତାର କରିଚାଲିଛି । ବିଶ୍ୱର ସମସ୍ତ ଦେଶ ଏହି କର୍କଟ ରୋଗର ଦୂରିକରଣ ପାଇଁ ତାଙ୍କର ଉଦ୍ୟମ ଜାରିରଖିôଛନ୍ତି । ଏହି କର୍କଟ ରୋଗର ଦୂରୀକରଣ ଦିଗରେ କଟକ ତେଲେଙ୍ଗାପେଣ୍ଠସ୍ଥିତ ଏଚସିଜି ପଣ୍ଡା କ୍ୟାସନର ହସପିଟାଲ ସହ ଭୂବନେଶ୍ୱରସ୍ଥିତ ଓଲଡ୍ ଟାଉନ୍ ଅନ୍ତର୍ଗତ ବିଏମସି ହସପିଟାଲ ଏବଂ ଭୂବନେଶ୍ୱର ମହାନଗର ନିଗମର ମିଳିତ ଆନୂକୂଲ୍ୟରେ ଏକ ମିଳିତ ରାଜିନାମା ସ୍ୱାକ୍ଷାରିତ ହୋଇଛି । ଭୂବନେଶ୍ୱରରେ କର୍କଟ ରୋଗର ସହଜ ଓ ସହଳ ଚିକିତ୍ସା ପାଇଁ ଏଚସିଜି ପଣ୍ଡା କ୍ୟାନସର ହସପିଟାଲ ପକ୍ଷରୁ ବିଏମସି ହସପିଟାଲରେ ସପ୍ତାହର ପ୍ରତ୍ୟେକ ମଙ୍ଗଳବାର ଦିନ କର୍କଟ ରୋଗର ଚିକିତ୍ସା ପାଇଁ ଏକ ଓପିଡି ଖୋଲାଯିବ । ତତ୍ ସଂଗେସଂଗେ ଏଚସିଜି ପଣ୍ଡା କ୍ୟାନସର ହସପିଟାଲର କ୍ୟାନସର ବିଶେଷଜ୍ଞମାନେ ସେଠାରେ ଚିକିତ୍ସା ଯୋଗାଇଦେବେ। ଏହି ରାଜିନାମାରେ ରାଜ୍ୟ ବିଜ୍ଞାନ ଓ କାରିଗରୀ ବିଭାଗର ମନ୍ତ୍ରୀ ଅଶୋକ ପଣ୍ଡା, ବିଏମସି ମେୟର ସୁଲୋଚନା ଦାସ, ପଣ୍ଡା କ୍ୟାନସର ହସପିଟାଲର ନିର୍ଦ୍ଦେଶକ ପ୍ରଫେସର କୃପାସିନ୍ଧୁ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଏହି ସେବାକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଣ୍ଡା କ୍ୟାନସର ହସପିଟାଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶାନ୍ତନୁ କୁମାର ଦାସ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ,ଏହି ରାଜିନାମା ଦ୍ୱାରା ଭୂବନେଶ୍ୱରର ବାସିନ୍ଦାମାନେ ଉପଯୁକ୍ତ କ୍ୟାନସିର ଚିକିତ୍ସାର ପରାମର୍ଶ ସହଜରେ ପାଇପାରିବେ ।
