ସର୍ବଦଳୀୟ ବୈଠକ ପରେ ଗୃହ ହେଲା ସ୍ୱାଭବିକ
ଭୁବନେଶ୍ୱର : ଦ୍ୱିତୀୟାର୍ଧ ବୈଠକ ଆରମ୍ଭ ହେବା ମାତ୍ରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସରକାରୀ କାଗଜ ଉପସ୍ଥାପନା ପାଇଁ ଡାକିଥିଲେ । କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ନିଜ ଆସନରେ ଠିଆ ହୋଇ କିଛି କହିବାର ଦେଖା ଯାଇଥିଲା । ବାଚସ୍ପତି ଶ୍ରୀ ପାତ୍ର ତାଙ୍କୁ କହିଲେ ଯେ ଗୃହର ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିବାକୁ ଯାଉଛନ୍ତି । ଏହା ପୂର୍ବରୁ କିଛି କାଗଜ ଉପସ୍ଥାପନା କରିବାର ଅଛି । କାଗଜ ଉପସ୍ଥାପନା କରା ଯିବା ପରେ ତାଙ୍କ ପ୍ରକୋଷ୍ଠରେ ବୈଠକ ଅନୁଷ୍ଠିତ ହେବ । ନରସିଂହ ମିଶ୍ର ଏହାର ପ୍ରତିବାଦ କରି କହିଲେ ଯେ ତାଙ୍କ କଥା ନ ଶୁଣି ସରକାରୀ କାର୍ଯ୍ୟକ୍ରମ କରା ନ ଯାଉ ବୋଲି ସେ ବିରୋଧରେ ଠିଆ ହୋଇଛନ୍ତି । ତେଣୁ ପ୍ରଥମେ ସର୍ବଦଳୀୟ ବୈଠକ ଡକା ଯାଉ । ତା ପରେ କାଗଜ ଉପସ୍ଥାପନ ହେଉ । ବାଚସ୍ପତି କହିଥିଲେ ଯେ ଅଳ୍ପ କାଗଜ ଅଛି । ଉପସ୍ଥାପନା କରା ଯିବା ପରେ ବୈଠକରେ ଆଲୋଚନା କରିବା । ନରସିଂହ ମିଶ୍ର ଆପତି ବ୍ୟକ୍ତ କରି କହିଲେ ଯେ ଯଦି ତାଙ୍କ କଥା ନ ଶୁଣା ଯିବ ତେବେ ସେ ତାଙ୍କ ଆସନରେ ଠିଆ ହୋଇ ଏହାର ପ୍ରତିବାଦ କରିବେ । ଏହା ପରେ ଶ୍ରୀ ମିଶ୍ର ତାଙ୍କ ଆସନରେ ଠିଆ ହୋଇ ରହିଲେ ଓ କଂଗ୍ରେସ ଦଳର ବିଧାୟକ ମାନେ ଗୃହର ମଧ୍ୟଭାଗରେ ଆସି ନାରାବାଜୀ କରିଥିଲେ । ଅପର ପକ୍ଷରେ କାଗଜ ଉପସ୍ଥାପନ କାର୍ଯ୍ୟ ଜାରୀ ରହିଥିଲା । ୪.୧୨ରେ ବାଚସ୍ପତି ଗୃହକୁ ମୁଲତବୀ କରି ତାଙ୍କ ପ୍ରକୋଷ୍ଠରେ ସର୍ବଦଳୀୟ ବୈଠକ ଡାକିଥିଲେ । ବୈଠକ କାରଣରୁ ଗୃହ ତିନି ଥର ମୁଲତବୀ ହୋଇଥିଲା । ଏହା ପରେ ଗୃହ କାର୍ଯ୍ୟ ସ୍ୱାଭବିକ ହୋଇଥିଲା ।
ସୂଚନା ଯେ, ଗତଦୁଇ ଦିନ ବିଧାନ ସଭା ଠିକ୍?ରେ ଚାଲିପାରିନଥିବା ବେଳେ ଆଜି ମଧ୍ୟ ଗୃହରେ ବିରୋଧୀ ହଟ୍ଟଗୋଳ କରି ଗୃହ ଚଲାଇବାକୁ ଦେଇନାହାନ୍ତି । ଫଳରେ ଗୃହକୁ ମୁଲତବୀ ରଖିଥିଲେ ବାଚସ୍ପତି । ଏଥି ସହିତ ଗୃହ ପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡକାଇଛନ୍ତି ବାଚସ୍ପତି । ଅପରାହ୍ନ ୪.୩୦ରେ ଏହି ବୈଠକ ବସିବା ନେଇ ସୂଚନା ମିଳିଛି । ତେବେ ଆଜି ଆରମ୍ଭରୁ ଗୃହରେ ହଟ୍ଟଗୋଳ ହୋଇଥିଲା । ପ୍ରଶ୍ନକାଳ ମଧ୍ୟ ଚାଲିପାରିଲାନି । ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ ନିକଟରେ ନାରାବାଜି କରିଥିଲେ । ଗତକାଲି ଷ୍ଟାଫ ସିଲେକ୍ସନ କମିଶନ ଦୁର୍ନୀତି ନେଇ ମୁଲତବୀ ପ୍ରସ୍ତାବ ଦିଆଯାଇଥିଲା । ହେଲେ କାହିଁକି ଏହା ଉପରେ ଆଲଚୋନା କରାଗଲା ନାହିଁ ତାକୁ ନେଇ ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ପ୍ଲାକାଡ୍ର ଧରି ଗୃହରେ ହୋହଲ୍ଲା ଓ ନାରାବାଜି କରିଥିଲେ କଂଗ୍ରେସ ବିଧାୟକ । ଷ୍ଟାଫ୍ ସିଲେକ୍ସନ କମିଶନରେ ଦୁର୍ନୀତି ଯୋଗୁ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧାର ।ତେଣୁ ଏନେଇ ଗୃହରେ ଆଲୋଚନା କରିବାକୁ ଦାବି କରିଥିଲା କଂଗ୍ରେସ । ଗୃହରେ ହଟ୍ଟଗୋଳ ଯୋଗୁ ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ ରଖିଥିଲେ ବାଚସ୍ପତି ।
