ଆଫଗାନିସ୍ତାନରେ ନୂଆ ଟ୍ୱିଷ୍ଟ, ନିଜକୁ ରାଷ୍ଟ୍ରପତି ଘୋଷଣା କଲେ ଉପ ରାଷ୍ଟ୍ରପତି
କାବୁଲ : ଆଫଗାନିସ୍ତାନ ସଙ୍କଟରେ ନୂଆ ଟ୍ୱିଷ୍ଟ। କାବୁଲ କବଜା କରିବା ପରେ ତାଲିବାନ ନିଜର ସରକାର ଗଠନ କରିବାକୁ ପ୍ରୟାସ ଆରମ୍ଭ କରିଛି । ତାଲିବାନର କବଜା ପରେ ଆଫଗାନ ସରକାର ଭୁଶୁଡ଼ି ପଡ଼ିଛି। ହେଲେ ଏସବୁ ଭିତରେ ତାଲିବାନ ବିରୋଧରେ ଅଣ୍ଟା ଭିଡ଼ିଛନ୍ତି ଦେଶର ବିଦାୟୀ ଉପରାଷ୍ଟ୍ରପତି ଅମରୁହ୍ଲା ସାଲେହ। ରାଷ୍ଟ୍ରପତି ଅସରଫ ଗନି ଦେଶଛାଡ଼ି ପଳାଇ ଯାଇଥିବାରୁ ସମ୍ବିଧାନ ଅନୁସାରେ ସେ ରାଷ୍ଟ୍ରପତି ହେବାକୁ ଯୋଗ୍ୟ ବୋଲି କହିଛନ୍ତି । ଏହାବାଦ୍ ସେ ଏବେ ବି ଆଫଗାନିସ୍ତାନରେ ରହିଥିବା ସୂଚନା ଦେଇଛନ୍ତି।
ଏନେଇ ସେ ନିଜ ଟୁଇଟରରେ ଲେଖିଛନ୍ତି ଯେ, ଦେଶର ସମ୍ବିଧାନ ଅନୁସାରେ ରାଷ୍ଟ୍ରପତିଙ୍କ ଅନୁପସ୍ଥିତି, ପଳାୟନ, ଇସ୍ତଫା କିମ୍ବା ମୃତ୍ୟୁ ପରି ଘଟଣା ଘଟିଲେ ଉପରାଷ୍ଟ୍ରପତି ଦେଶ ଶାସନ ଭାର ନିଜ ହାତକୁ ନେବା କଥା। ଆଉ ଏହି ଆଧାରରେ ସେ ନିଜକୁ ରାଷ୍ଟ୍ରପତି ଭାବେ ଘୋଷଣା କରିଛନ୍ତି ବୋଲି କହିଛନ୍ତି ଅମରୁଲ୍ଲା । କେବଳ ଏତିକି ନୁହେଁ, ତାଲିବାନ ବିରୋଧରେ ଏକାଠି ହେବାକୁ ସେ ଅପିଲ କରିଛନ୍ତି । ଅମରୁଲ୍ଲା କହିଛନ୍ତି, ସେ କେବେ ବି ତାଲିବାନ ଆଗରେ ମୁଣ୍ଡ ନୁଆଁଇବେ ନାହିଁ । ପଞ୍ଜଶିରରେ ବର୍ତ୍ତମାନ ଅମରୁହ୍ଲା ଓ ମାସୁଦଙ୍କ ପୁଅ ରହିଛନ୍ତି। ମାସୁଦ ହେଉଛନ୍ତି ତାଲିବାନ ବିରୋଧରେ ପ୍ରଥମେ ଯୁଦ୍ଧ ଘୋଷଣା କରିଥିବା ବ୍ୟକ୍ତି। ଏହି ଯୁଦ୍ଧ ବେଳେ ତାଙ୍କର ମୃତ୍ୟୁ ମଧ୍ୟ ଗଠିଥିଲା। ୧୯୯୦ରେ ଅମରୁହ୍ଲା ଓ ମାସୁଦଙ୍କ ପୁଅ ମିଳିତ ଭାବେ ତାଲିବାନ ବିରୋଧରେ ଗୋଟିଏ ମିଲିସିଆ ଗ୍ରୁପ ଗଠନ କରିଥିଲେ।ଏହି ଗ୍ରୁପ୍ ହିଁ ପ୍ରଥମ ଧାଡ଼ି ଗରିଲା କମାଣ୍ଡୋ ଭାବେ କାର୍ଯ୍ୟ କରି ପଞ୍ଜଶିରରେ ତାଲିବାନ ଉପରେ ବିଜୟ ହାସଲ କରିଥିଲା। ଏବେ ସି ଦମ୍ଭରେ ଅମରୁହ୍ଲା ସମାନ କଥା କହିଛନ୍ତି। ପଞ୍ଜଶିରର ଜଣେ ବ୍ୟକ୍ତି କହିଛନ୍ତି, ଆମେ ତାଲିବାନକୁ କେବେ ହେଲେ ଏଠାରେ ପ୍ରବେଶ କରାଇ ଦେବୁନାହିଁ। ଆମେ ସେମାନଙ୍କ ସହ ଲଢ଼େଇ କରିବୁ। ଅମରୁହ୍ଲାଙ୍କ ଏଭଳି ଆହ୍ୱାନ ନୂଆ ଯୁଦ୍ଧର ଶୁଭାରମ୍ଭ କରିପାରେ ବୋଲି କୁହାଯାଉଛି।
