ଆଜି ପ୍ରଥମ କକ୍ଷ ପରିବର୍ତ୍ତନ କରିବା ‘ଆଦିତ୍ୟ L1’, ୫ଥର କକ୍ଷ ପରିବର୍ତ୍ତନ ସହ ପୃଥିବୀ କକ୍ଷପଥରେ ଘୂରିବ ୧୬ ଦିନ
ବେଙ୍ଗାଲୁରୁ : ଭାରତର ପ୍ରଥମ ସୂର୍ଯ୍ୟ ଅଭିଯାନ ଆଦିତ୍ୟ ଏଲ୍-୧ ଗତ ଶନିବାର ଦିନ ୧୧ଟା ୫୦ରେ ଶ୍ରୀହରିକୋଟାର ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଲଞ୍ଚ କରାଯାଇଛି । ପିଏସ୍ଏଲ୍ଭି ସି-୫୭ର ଏକ୍ସଏଲ୍ ଭର୍ସନ ରକେଟ ଦ୍ବାରା ସ୍ପେସକ୍ରାଫ୍ଟକୁ ପୃଥିବୀର କକ୍ଷପଥରେ ଅବସ୍ଥାପିତ କରାଯାଇଛି । ତେବେ ‘ଆଦିତ୍ୟ L1’ର ରବିବାର ପ୍ରଥମ କକ୍ଷପଥ ପରିବର୍ତ୍ତନ । ୫ଥର କକ୍ଷ ପରିବର୍ତ୍ତନ ସହ ଏହା ୧୬ ଦିନ ପୃଥିବୀ କକ୍ଷପଥରେ ଘୂରିବ । ୧୧୦ ଦିନର ଯାତ୍ରା ପରେ ଏଲ-ଓ୍ବାନ ବିନ୍ଦୁରେ ‘ଆଦିତ୍ୟ L1’କୁ ଅବସ୍ଥାପିତ କରାଯିବ ।
୨୦୨୪ ଜାନୁଆରୀ ୬ ତାରିଖରେ ପୃଥିବୀ ଠାରୁ ୧୫ ଲକ୍ଷ କି.ମି ଦୂରରେ ଅବସ୍ଥିତ ଲଗରେଞ୍ଜ ପଏଣ୍ଟ-୧ରେ ପହଞ୍ଚିବ । ସେଠାରେ ହେଲୋ ଅର୍ବିଟରେ ଏହାକୁ ଅବସ୍ଥାପିତ କରାଯିବ । ସେହି ପଏଣ୍ଟରେ ସୂର୍ଯ୍ୟ ଗ୍ରହଣର ପ୍ରଭାବ ପଡେ ନାହିଁ । ଯାହାଫଳରେ ସେଠାରେ ରହି ଏହି ମହାକାଶଯାନ ସୂର୍ଯ୍ୟ ଉପରେ ଗବେଷଣା କରିପାରିବ । ପୃଥିବୀ ଠାରୁ ସୂର୍ଯ୍ୟ ମଧ୍ୟରେ ଏଭଳି ୫ଟି ଲଗରେଞ୍ଜ ପଏଣ୍ଟ ରହିଛି । ପ୍ରଥମ ଲଗରେଞ୍ଜ ପଏଣ୍ଟ ପୃଥିବୀ ଠାରୁ ୧୫ ଲକ୍ଷ କିମି. ଦୂରରେ ଅବସ୍ଥିତ । ସେଠାରେ ଯଦି କୌଣସି ବସ୍ତୁ ରଖାଯାଏ ତାହା ସେହି ପଏଣ୍ଟକୁ ଚକ୍କର କାଟିବା ଆରମ୍ଭ କରିବ ।
ପ୍ରଥମଥର ପାଇଁ ପିଏସ୍୪କୁ ଦୁଇ ଦୁଇଥର ଚାଲୁ କରାଯାଇଥିଲା । ଯାହାଫଳରେ ରକେଟଟି ତୁରନ୍ତ ବହୁ ଉଚ୍ଚକୁ ଉଠିପାରିଥିଲା । ସୂର୍ଯ୍ୟ ଉପରେ ବୈଜ୍ଞାନିକ ଅଧ୍ୟୟନ ପାଇଁ ଆଦିତ୍ୟ ଏଲ୍-୧ ମହାକାଶ ଯାନରେ ୭ଟି ପେଲୋଡ ରହିଛି । ଏହି ସମସ୍ତ ପେଲୋଡ ଇସ୍ରୋର ବିଭିନ୍ନ କେନ୍ଦ୍ର ଓ ବୈଜ୍ଞାନିକ ପ୍ରତିଷ୍ଠାନର ସହଯୋଗରେ ଭାରତର ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି ।

ସୂଚନା ଯେ, ସୂର୍ଯ୍ୟର ବିଭିନ୍ନ ଗତିବିଧି, ସୌରଝଡ ଓ ମହାକାଶର ପାଣିପାଗ ସମ୍ପର୍କରେ ଆଦିତ୍ୟ ଏଲ୍-୧ ଅଧ୍ୟୟନ କରିବ । ସେହିଭଳି ସୂର୍ଯ୍ୟ ପୃଷ୍ଠରେ ହେଉଥିବା ଉତ୍ତପ୍ତ, ସୌରଝଡ଼ ବା କମ୍ପନ ଓ ତାର ତାପମାତ୍ରା, ସୂର୍ଯ୍ୟ ବାୟୁମଣ୍ଡଳ, ସୂର୍ଯ୍ୟଠାରୁ ପୃଥିବୀକୁ ଆସୁଥିବା କିରଣ ଯୋଗୁ ପରିବେଶ ଉପରେ ପଡୁଥିବା ପ୍ରଭାବ ଆଦି ସମ୍ପର୍କରେ ଏହି ମହକାଶ ଯାନ ଅଧ୍ୟୟନ କରିବ । ଯେଉଁ ସୌରଜଗତରେ ଆମର ପୃଥିବୀ ରହିଛି ତାର କେନ୍ଦ୍ର ହେଉଛି ସୂର୍ଯ୍ୟ । ସେଥିପାଇଁ କୁହାଯାଏ ସୂର୍ଯ୍ୟ ହିଁ ସକଳ ଶକ୍ତିର ଆଧାର । ପୃଥିବୀ ସମେତ ସମସ୍ତ ୮ଟି ଯାକ ଗ୍ରହ ସୂର୍ଯ୍ୟକୁ ପରିକ୍ରମା କରୁଛନ୍ତି। ସୂର୍ଯ୍ୟ ଯୋଗୁ ହିଁ ପୃଥିବୀରେ ଜୀବଜଗତ ସମ୍ଭବ ହୋଇପାରିଛି ।
ସୂର୍ଯ୍ୟଠାରୁ ଲଗାତାର ଶକ୍ତି ବାହାରିବାରେ ଲାଗିଛି । ଯାହାକୁ ଆମେ ଚାର୍ଜଡ ପାର୍ଟିକଲ୍ସ ବୋଲି କହିଥାଉ । ସୂର୍ଯ୍ୟ ଠାରୁ ଦୁଇ ପ୍ରକାର ଶକ୍ତି ପ୍ରବାହ ହୋଇଥାଏ । ଗୋଟିଏ ହେଉଛି ପ୍ରକାଶ ବା ସ୍ୱାଭାବିକ ଶକ୍ତି । ଯାହାକି ପୃଥିବୀକୁ ଆଲୋକିତ କରିଥାଏ ଏବଂ ଜୀବନକୁ ସମ୍ଭବ କରିଥାଏ। ଆଉ ଗୋଟିଏ ହେଉଛି ଚମ୍ବକୀୟ ଶକ୍ତି । ଯେଉଁଥିରେ ବୈଦ୍ୟୁତିକ ଉପକରଣକୁ କ୍ଷତି ପହଞ୍ଚିଥାଏ । ଯାହାକୁ ସୌରଝଡ଼ ବୋଲି କୁହାଯାଏ । ଏହି ସୌରଝଡ ପୃଥିବୀକୁ ଆସୁଥିବା ବେଳେ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ଆମକୁ ସେଥରୁ ସୁରକ୍ଷା କରିଥାଏ । ଯଦି ଏହି ସୌରଝଡ କକ୍ଷପଥରେ ରହିଥିବା ଉପଗ୍ରହକୁ ଧକ୍କା ଦେବ ତେବେ ସମଗ୍ର ବିଶ୍ୱବ୍ୟାପୀ ଟେଲି ଯୋଗାଯୋଗ ସେବା ପ୍ରଭାବିତ ହେବ । କେବଳ ଏତିକି ନୁହେଁ, ଅନ୍ୟାନ୍ୟ ବୈଦ୍ୟୁତିକ ସାମଗ୍ରୀ ଅଚଳ ହେବା ସହ ଯୋଗାଯୋଗ ବାଧାପ୍ରାପ୍ତ ହେବ ।
