ଆଜି ଅତିରିକ୍ତ ଏସପି ତ୍ରିନାଥ ମିଶ୍ର ଜାମିନ ଆବେଦନର ଶୁଣାଣି
ଭୁବନେଶ୍ୱର : କମ୍ୟୁନିକେସନ ବିଭାଗର ଅତିରିକ୍ତ ଏସପି ତ୍ରିନାଥ ମିଶ୍ର ଜାମିନ ଆବେଦନର ଶୁଣାଣି ଆଜି । କଟକ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହେବ ଶୁଣାଣି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତ୍ରିନାଥଙ୍କୁ ୧୬ ତାରିଖରେ ଗିରଫ କରିଥିଲା ଭିଜିଲାନ୍ସ।
ତ୍ରିନାଥ ମିଶ୍ର କଟକ ଜିଲାରେ ସବ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରିବା ପରେ ପଦୋନ୍ନତି ପାଇ ପୁଣି କଟକ ଜିଲ୍ଲାରେ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରିଥିଲେ । ପରବର୍ତ୍ତୀ ସମୟରେ ପୁଣି ପଦୋନ୍ନତି ପାଇ ଏସିପି ଭାବେ କଟକ କମିଶନରେଟ ପୋଲିସରେ କାର୍ଯ୍ୟ କରୁଥିବା ବେଳେ ପୁଣି ପଦୋନ୍ନତି ପାଇ ଅତିରିକ୍ତ ଡିସିପି ଭାବେ ଦିର୍ଘ ଦିନ କାର୍ଯ୍ୟ କରିବା ପରେ ନିକଟରେ ତାଙ୍କର ଅତିରିକ୍ତ ଏସ୍ପି କମୁନିକେସନ ଭାବେ ବଦଳି ହୋଇଥିଲା । ତ୍ରିନାଥ ମିଶ୍ର ଦୀର୍ଘ ବର୍ଷ କଟକ ଜିଲା ଓ କମିଶନରେଟ ପୋଲିସରେ କାର୍ଯ୍ୟ କରିଥିଲେ । ତେବେ ସରକାରୀ ଚାକିରୀଆ ହୋଇଥିଲେ ବି ସେଲିବ୍ରିଟିଙ୍କ ଭଳି ଅୟସ ଆରାମରେ ଜୀବନ କାଟୁଥିଲେ ତ୍ରିନାଥ ମିଶ୍ର । ଭିଜିଲାନ୍ସ ଚଢ଼ାଉରେ କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଥିବା ବେଳେ ସେ ଏହି ସମ୍ପତ୍ତିର ହିସାବ ଦେଇ ପାରିନଥିବାରୁ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । ଚଢାଉରେ ୩ ଜଣ ଅତିରିକ୍ତ ଏସ୍ପି, ୧୦ ଡିଏସ୍ପି, ୧୩ ଇନସ୍ପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ ହୋଇଥିଲେ ।
