ଏସିଡ଼୍ ଆକ୍ରମଣ ଜନିତ ମୃତ୍ୟୁ ମାମଲା: ମୁଖ୍ୟ ଅଭିଯୁକ୍ତ ଓ ଏସିଡ଼ ବିକ୍ରେତା ଗିରଫ
ବାଲେଶ୍ୱର : ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ଅନ୍ତର୍ଗତ ଭୀମପୁରା ଗ୍ରାମରେ ଏସିଡ୍ ଆକ୍ରମଣ ଜନିତ ମହିଳା ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ସ୍ୱାମୀ ଚନ୍ଦନ କୁମାର ରଣା(୨୯)ଙ୍କ ସମେତ ମୋଟ୍ ୮ଜଣଙ୍କୁ ପୋଲିସ ଗିରଫ କରିଛି । ପୂର୍ବରୁ ଚନ୍ଦନର ପ୍ରଥମ ପତ୍ନୀ ଓ ଅନ୍ୟ ୫ ଜଣ ସହଯୋଗୀ ଗିରଫ ହୋଇଥିଲେ । ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ଚନ୍ଦନ ଓ ବେଆଇନ ଏସିଡ଼ ବିକ୍ରି କରୁଥିବା ୬୫ ବର୍ଷୀୟ ବ୍ୟବସାୟୀଙ୍କୁ ପୋଲିସ ଗୁରୁବାର ଗିରଫ କରିଛି ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ୱର ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି ।
ଗତ ୨୦ ତାରିଖରେ ଦ୍ୱିତୀୟ ପତ୍ନୀ ବନିତା ସିଂ (୨୦)ଙ୍କ ଉପରେ ଏସିଡ଼ ଆକ୍ରମଣ କରି ଚନ୍ଦନ ଫେରାର ହୋଇଯାଇଥିଲା । ତାକୁ ଧରିବା ପାଇଁ ଜିଲା ପୋଲିସ ପକ୍ଷରୁ ମୋଟ୍ ୫ଟି ଟିମ୍ ଗଠନ କରି ତନାଘନା ଜାରି ରଖିଥିଲା । ସ୍ଥାନୀୟ ପୋଲିସ ଟିମ୍ ଓ ଗୋଟିଏ ସାଇବର ଟିମ୍ ସହିତ ବାକି ୩ଟି ଟିମ୍ ବିଭିନ୍ନ ରାଜ୍ୟକୁ ଯାଇ ମୁଖ୍ୟ ଅଭିଯୁକ୍ତ ଚନ୍ଦନକୁ ଖୋଜାଖୋଜି କରିଥିଲା । ବିଶେଷ କରି ସାଇବର ଟିମ୍ର ମୋବାଇଲ ଟ୍ରାକିଂକୁ ଅନୁରସରଣ ପୂର୍ବକ କୋଲକାତା, ମହାରାଷ୍ଟ୍ର ଓ ତାମିଲନାଡୁ ପୋଲିସର ସହଯୋଗରେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ଏସପି ଶ୍ରୀମତୀ ନାଥ ପ୍ରକାଶ କରିଛନ୍ତି ।
ସୂଚନା ଯେ, ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଭୀମପୁରା ଅଞ୍ଚଳର ଏକ ଗହଣା ଦୋକାନରେ କାରିଗର ଭାବେ କାର୍ଯ୍ୟ କରିବା ସମୟରେ ନୀଳଗିରି ନୟାପାଟଣା ଗ୍ରାମର ଚନ୍ଦନ କୁମାର ରଣାଙ୍କର ସ୍ଥାନୀୟ ବାସିନ୍ଦା କାର୍ତ୍ତିକ ସିଂଙ୍କ ସାନଝିଅ ବନିତାଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ପ୍ରାୟ ଦୁଇ ମାସ ପୂର୍ବେ ଉଭୟ ବିବାହ କରିଥିଲେ । ମାତ୍ର ପୂର୍ବରୁ ଯେ ଚନ୍ଦନ ବିବାହିତ ଏବଂ ପତ୍ନୀଙ୍କ ସମେତ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି, ବିବାହ ପରେ ଏ ସମ୍ପର୍କରେ ବନିତା ଜାଣିବାକୁ ପାଇଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ସହ ବନିତା ବାପାଙ୍କ ଘରକୁ ପଳାଇ ଆସି ଭୀମପୁରାରେ ଭଡ଼ା ନେଇ ରହୁଥିବା ତାଙ୍କ ବଡ଼ ଭଉଣୀ ବର୍ଷାଙ୍କ ପାଖରେ ରହୁଥିଲେ । ଚନ୍ଦନର ଠକେଇକୁ ନେଇ ସେ ବନିତା ସହଦେବଖୁଣ୍ଟା ଥାନାରେ ଏକ ଏତଲା ମଧ୍ୟ ଦେଇଥିଲେ । ତେବେ ଗତ ଫେବୃୟାରୀ ୨୦ ତାରିଖ ମଧ୍ୟାହ୍ନରେ ବର୍ଷାଙ୍କ ଭଡ଼ାଘରେ ପହଞ୍ôଚ ବନିତାକୁ ସଙ୍ଗରେ ନେଇଯିବାକୁ ଡାକିଥିଲେ ଚନ୍ଦନ । ବନିତା ଏବଂ ବଡ଼ ଭଉଣୀ ବର୍ଷା ଘରୁ ବାହାରକୁ ଆସିବା ମାତ୍ରେ ଚନ୍ଦନ ସେମାନଙ୍କ ସହ ଯୁକ୍ତି ତର୍କ କରିଥିଲା । ବନିତା ତାଙ୍କ ସହ ଯିବାକୁ ରାଜି ନ ହେବାରୁ ଶେଷରେ ଚନ୍ଦନ ଉତ୍ତ୍ୟକ୍ତ ତାଙ୍କ ଉପରକୁ ଫୋପାଡ଼ି ଥିଲା । ଅଧିକ ମାତ୍ରାରେ ଏସିଡ୍ ବନିତାଙ୍କ ଉପରେ ପଡ଼ିଥିବା ବେଳେ ତାଙ୍କ ଶରୀର ୮୦ରୁ ଅଧିକ ଭାଗ ପୋଡ଼ି ଯାଇଥିଲା । ଏମିତିକି ବନିତାଙ୍କ ପାଖରେ ଛିଡ଼ା ହୋଇଥିବା ବର୍ଷା ଓ ତାଙ୍କର ଦୁଇ ଶିଶୁ ଏହି ଏସିଡ଼୍ ମାଡ଼ରେ ଗୁରୁତର ହୋଇଥିଲେ । ଏସିଡ୍ ଫିଙ୍ଗି ଚନ୍ଦନ ସେଠାରୁ ଫେରାର ହୋଇଯାଇଥିବା ବେଳେ ବନିତାଙ୍କୁ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ସଙ୍କଟାପନ୍ନ ଅବସ୍ଥାରେ କଟକ ବଡ଼ ଡାକ୍ତରଖାନା ସ୍ତାନାନ୍ତର କରାଯାଇଥିଲା । ଡାକ୍ତରମାନଙ୍କ ଅକ୍ଳାନ୍ତ ଉଦ୍ୟମ ସତ୍ତ୍ୱେ ଚିକିତ୍ସାଧୀନ ଅବସ୍ଥାରେ ଗତ ୨୬ ତାରିଖରେ ବନିତାଙ୍କର କଟକରେ ମୃତ୍ୟୁ ହୋଇଥିଲା । ଏନେଇ ସହଦେବଖୁଣ୍ଟା ଥାନାରେ ମାମଲା (ନଂ. ୫୬/୨୩) ରୁଜୁ ହୋଇଥିବା ମାମଲାରେ ପୂର୍ବରୁ ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଚନ୍ଦନ ଓ ଏସିଡ଼ ବିକ୍ରେତାକୁ ପୋଲିସ ଗିରଫ କରିଛି ।
