ବଳାତ୍କାର ଅଭିଯୁକ୍ତଙ୍କୁ ୭ବର୍ଷ ଜେଲ୍ ଓ ୧୧ହଜାର ଟଙ୍କା ଜରିମାନା
ବାଲେଶ୍ୱର : ବାଲେଶ୍ୱର ଆଡ଼ିସନାଲ ସେସନ୍ ଜଜ୍ କମ୍ ସ୍ପେଶାଲ ଜଜ୍ ଜଗଦୀଶ ପ୍ରସାଦ ମହାନ୍ତି ଶନିବାର ଏକ ବଳାତ୍କାର ମାମଲାକୁ ବିଚାର କରି ଅଭିଯୁକ୍ତକୁ ୭ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିବା ସହ ୧୧ହଜାର ଟଙ୍କା ଜରିମାନା ଓ ଅନାଦେୟ ଏକବର୍ଷ ଜେଲ୍ ଦଣ୍ଡ ଶୁଣାଇଛନ୍ତି ।
ସୂଚନା ଯେ, ଗତ ୨୦୧୬ ଅକ୍ଟୋବର ୨୯ ତାରିଖରେ ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଅଙ୍ଗାରଗଡ଼ିଆ ଅଞ୍ଚଳର ଜଣେ ୧୬ ବର୍ଷୀୟ ନାବାଳିକା ଫାଣ୍ଡିଛକ ସ୍ଥିତ ଏକ ମୋବାଇଲ ଦୋକାନରେ ନିଜର ମୋବାଇଲ ମରାମତି କରିବାକୁ ଦେଇଥିଲେ । ଦୋକାନରେ କାର୍ଯ୍ୟରତ ବସ୍ତା ଥାନା ହଳଦୀପଦା ଗ୍ରାମର ଈଶ୍ୱର ବେହେରା ଓରଫ୍ ଜଗା (୩୩) ମରାମତି ପାଇଁ କିଛିଦିନ ସମୟ ନେଇଥିଲେ । ପରେ ୨୦୧୬ ନଭେମ୍ବର ୬ ତାରିଖ ରାତି ୮ଟା ୩୦ମିନିଟ୍ ସମୟରେ ନାବାଳିକା ଜଣକ କଚେରୀ ଗଡ଼ାଣ ସ୍ଥିତ ମାର୍କେଟ୍ରୁ ପରିବା କିଣୁଥିବା ବେଳେ ଜଗା ସହ ଦେଖା ହୋଇଥିଲା । ନାବାଳିକା ଜଣକ ଜଗାକୁ ମୋବାଇଲ ଠିକ୍ ହୋଇଯାଇଛି କି ନାହିଁ ପଚାରିଥିଲା । କିଛିସମୟର ବାର୍ତ୍ତାଳପ ପରେ ଜଗା ଗୋଡ଼ ଖରାପ ଥିବାର କହି ନିଳିଆବାଗ୍ ସ୍ଥିତ ଘରେ ଛାଡ଼ିଦେବା ପାଇଁ କହିଥିଲା । ନାବାଳିକା ଜଣକ ଜଗାକୁ ସାହାଯ୍ୟ କରି ନିଳିଆବାଗ ସ୍ଥିତ ଭଡ଼ା ରହୁଥିବା ଘରେ ଛାଡ଼ିବାକୁ ଯାଇଥିଲା । ଘରେ ପହଞ୍ôଚବା ମାତ୍ରେ ଜଗା ନାବାଳିକାକୁ ଘର ଭିତରକୁ ଡାକିଥିଲା । ନାବାଳିକାର ଅନିଚ୍ଛା ସତ୍ତ୍ୱେ ଧମକଚମକ ଦେବାସହ ମାରଣାସ୍ତ୍ର ଦେଖାଇ ବଳାତ୍କାର କରିଥିଲା । ଏନେଇ ନାବାଳିକାର ପରିବାର ଲୋକେ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିବା ପରେ ମାମଲା (ନଂ.୨୭୮ ।୧୬) ରୁଜୁ କରାଯାଇଥିଲା । ଉକ୍ତ ମାମଲାରେ ୧୧ ସାକ୍ଷ୍ୟ ଓ ୧୮ ଦଲିଲ୍, ଦସ୍ତାବିଜ୍କୁ ଭିତ୍ତି କରି ମାନ୍ୟବର ବିଚାରପତି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ୭ବର୍ଷ ଜେଲ୍ ଦଣ୍ଡ ସହ ୧୧ହଜାର ଟଙ୍କା ଜରିମାନା ରାୟ ଶୁଣାଇଛନ୍ତି । ଅଭିଯୁକ୍ତ ଜଗାକୁ ଜେଲ୍କୁ ପଠାଇ ଦିଆଯାଇଛି । ଉକ୍ତ ମାମଲାକୁ ସରକାରଙ୍କ ପକ୍ଷରୁ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା ପରିଚାଳନା କରୁଥିଲେ ।
